ୱାଶିଂଟନ: ହର୍ମୁଜ ପ୍ରଣାଳୀରୁ ଇରାନର ଦବଦବା ହଟାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଶାଳ ସାମରିକ ଅଭିଯାନ ‘ପ୍ରୋଜେକ୍ଟ ଫ୍ରିଡମ୍’ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଆଧାରରେ ଆମେରିକୀୟ ନୌସେନା ସୋମବାର ଇରାନର ସାତଟି ଦ୍ରୁତଗାମୀ ନୌକାକୁ ଧ୍ଵଂସ କରିଥିବା ବେଳେ ଏକାଧିକ କ୍ରୁଜ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣକୁ ବିଫଳ କରିଦେଇଛି। ଆମେରିକା ସେଣ୍ଟ୍ରାଲ୍ କମାଣ୍ଡର ମୁଖ୍ୟ ଆଡମିରାଲ ବ୍ରାଡ କୁପର ସୂଚନା ଦେଇଛନ୍ତି ଯେ, ଏହି ଅଭିଯାନରେ ୧୫୦୦୦ ଆମେରିକୀୟ ସୈନ୍ୟ, ଅତ୍ୟାଧୁନିକ ବିଧ୍ଵଂସକାରୀ ଯୁଦ୍ଧପୋତ, ଶହେରୁ ଅଧିକ ବିମାନ ଓ ସବମାରିନ୍ ସାମିଲ ରହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଆମେରିକୀୟ କମାଣ୍ଡରମାନଙ୍କୁ ନିଜ ସୈନ୍ୟ ଓ ବ୍ୟବସାୟିକ ଜାହାଜଗୁଡ଼ିକୁ ସିରକ୍ଷା ଦେବା ପାଇଁ ପୂର୍ଣ୍ଣ ଅଧିକାର ଦିଆଯାଇଛି।
ଅଟକି ରହିଥିବା ଅନ୍ତର୍ଜାତୀୟ ଜଳପଥକୁ ପୁନଃ ସଚଳ କରିବା ରହିଛି ମୁଖ୍ୟ ଲକ୍ଷ୍ୟ
ତେବେ ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଫେବୃଆରି ୨୮ରୁ ଇରାନର ଅବରୋଧ ଯୋଗୁଁ ଅଟକି ରହିଥିବା ଅନ୍ତର୍ଜାତୀୟ ଜଳପଥକୁ ପୁନଃ ସଚଳ କରିବା। ଇରାନର ଧମକ ସତ୍ତ୍ୱେ ଆମେରିକା ବ୍ୟବସାୟିକ ଜାହାଜଗୁଡ଼ିକୁ ହର୍ମୁଜ ଦେଇ ଯାତାୟାତ କରିବାକୁ ଉତ୍ସାହିତ କରୁଛି ଏବଂ ଏହାର ପ୍ରଭାବ ସ୍ୱରୂପ ବାଣିଜ୍ୟିକ ଚଳାଚଳ ଆରମ୍ଭ ହୋଇଥିବା ଆମେରିକା ଦାବି କରିଛି, କିନ୍ତୁ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଏହି ଦାବିକୁ ଖଣ୍ଡନ କରିବା ସହ ଆମେରିକୀୟ ଜାହାଜଗୁଡ଼ିକ ଚଳାଚଳ କରୁନଥିବା କହିଛି। ଅନ୍ୟପଟେ ହର୍ମୁଜରେ ଏକ ଦକ୍ଷିଣ କୋରିଆ ଜାହାଜ ଉପରେ ହୋଇଥିବା ବିସ୍ଫୋରଣକୁ ନେଇ ଟ୍ରମ୍ପ ପ୍ରତିକ୍ରିୟା ରଖିଛନ୍ତି ଯେ, ସମ୍ପୃକ୍ତ ଜାହାଜ ଏହି ଅଭିଯାନର ଅଂଶ ନଥିଲା ଏବଂ ଦକ୍ଷିଣ କୋରିଆକୁ ଏହି ସୁରକ୍ଷା ମିସନରେ ସାମିଲ ହେବା ଉଚିତ।
ସୌଜନ୍ୟ ସମ୍ବାଦ

