Humans: ଫୁଲକୁ ଚୁମୁନି ଭ୍ରମର: ମଣିଷ ହାତରେ ପରାଗସଙ୍ଗମ, ବଦଳୁଛି ଚାଷର ପରିଭାଷା

ଝାରସୁଗୁଡ଼ା: ଅଭିମାନ କରିଛି ଭ୍ରମର। ତା’ ସାଙ୍ଗକୁ ମହୁମାଛି ବି ତା’ର ପ୍ରିୟ ଫୁଲ ପାଖରେ ଘୂରି ବୁଲିବା ଆଉ ଦେଖିବାକୁ ମିଳୁନି। ଫୁଲରୁ ଫୁଲକୁ ଡେଇଁ ରସ ଶୋଷିବା ହେଉଛି ଭ୍ରମର ଆଉ ମହୁମାଛିର କାମ। ହେଲେ ପ୍ରକୃତି ଉପରେ ଦାଉ ସାଧୁଥିବା ମଣିଷ ଉପରେ ଅଭିମାନ କରି ଭ୍ରମର, ମହୁମାଛି ନିରୁଦ୍ଦିଷ୍ଟ ହୋଇ ଯାଇଛନ୍ତି। ଫଳରେ ପରାଗସଙ୍ଗମ ବି ହୋଇପାରୁନି। ଯାହା ଦ୍ବାରା ଫୁଲରୁ ଫଳ ଧରିବା କଷ୍ଟକର ହେଉଛି। ଏଭଳି ସ୍ଥିତିରେ ମାଟି ସହ ମାଟି ହୋଇ କୃଷି ବୈଜ୍ଞାନିକଙ୍କ ପାଠଶାଳାକୁ ପଛରେ ପକାଉଥିବା ଅଭିଜ୍ଞ ଚାଷୀ ଭ୍ରମର ଆଉ ମହୁମାଛିର କାମକୁ ନିଜ ହାତକୁ ନେଇ ସୁନାର ଫସଲ ଫଳାଉଛନ୍ତି।

ସିନ୍ଦୂରା ଫାଟିବା ଆଗରୁ ପରିବା ବାଡ଼ିରେ ହାଜର ହୋଇଯାଉଛି ଚାଷୀ। ସୂର୍ଯ୍ୟଙ୍କ କିରଣ ପଡ଼ିବା ମାତ୍ରେ ମାଖନ (କଖାରୁ) ଲତାରୁ ଉପରକୁ ମୁଣ୍ଡ ଟେକୁଥିବା ଫୁଲ ଭିତରୁ ଅଣ୍ଡିରା ଫୁଲକୁ ଛିଣ୍ଡାଇ ନିକଟରେ ଥିବା ମାଈଫୁଲରେ ଝାଡ଼ିବାରେ ଲାଗିଛି। ସବୁ ମାଈଫୁଲ ଉପରେ ଅଣ୍ଡିରାଫୁଲର ଗୁଣ୍ଡିକୁ ଝାଡ଼ି ଝାଡ଼ି ଦେଉଛି। ଖାଲି ମାଖନ ନୁହେଁ, ତରଭୁଜ ଫୁଲରେ ବି ସମାନ ଢଙ୍ଗରେ ଫୁଲଝଡ଼ା ଚାଲିଛି। ଏଭଳି ଦୃଶ୍ୟ ଏବେ ହୀରାକୁଦ ଜଳଭଣ୍ଡାରର ଶୁଖିଲା ନଈପଠାରେ ହୋଇଥିବା ହଜାର ହଜାର ଏକର ପରିବା ବାଡ଼ିରେ ଦେଖିବାକୁ ମିଳୁଛି। ଦେଖିବା ଲୋକ ଆରମ୍ଭରୁ ଏହି କାମକୁ ବୁଝିବା କାଠିକର ପାଠ। ହେଲେ ଦିନ କେଇଟା ପରେ ଏହାର ଫଳାଫଳ ଦେଖିବା ପରେ ହିଁ ଅସଲ ରହସ୍ୟ ସାମନାକୁ ଆସୁଛି।

କୌଣସି ଫୁଲ ଝଡ଼ିବା ପୂର୍ବରୁ ଫଳର ଆକାର ଧରିବାକୁ ସବୁ କ୍ରିୟା ସାରିଦେଇଥାଏ। ଏଥିରେ ପ୍ରକୃତିର ଅନବଦ୍ୟ ଅବଦାନ ଭାବେ ଅସଂଖ୍ୟ ଭ୍ରମର ଓ ମହୁମାଛି ସେହି ମାଈଫୁଲକୁ ପରିପୁଷ୍ଟ କରିବା ଲାଗି ପରାଗସଙ୍ଗମ କରିଥାନ୍ତି। ନିଜର ଖାଦ୍ୟ ଭାବେ ଫୁଲର ରସ ଶୋଷିବା ପ୍ରକ୍ରିୟା ଭିତରେ ପରାଗସଙ୍ଗମ ହୋଇଯାଇଥାଏ। ଯାହାକି କୌଣସି ଲତା ହେଉ ଅବା ବଡ଼ ଗୁଳ୍ମରେ ଫଳ ଧରିବା ସହଜ ହୋଇଥାଏ। ହେଲେ ବଦଳୁଥିବା ପ୍ରକୃତି ପାଇଁ ଏବେ ଆଉ ଭ୍ରମର କିମ୍ବା ମହୁମାଛି ଦେଖିବାକୁ ମିଳୁନାହାନ୍ତି। ଯାହାଦ୍ବାରା ପରାଗସଙ୍ଗମ ମଧ୍ୟ ହୋଇ ପାରୁନାହିଁ। ପରିଣାମ ସ୍ବରୂପ କଷି ଧରିବା ପୂର୍ବରୁ ଫଳ ଝଡ଼ିଯାଉଛି ତ ଆଉ କେଉଁଠି ରୋଗପୋକର ଶିକାର ହୋଇ ଆଶାନୁରୂପ ଫସଲ ଉତ୍ପାଦନ ହୋଇପାରୁନାହିଁ। ଏଭଳି ସ୍ଥିତିରେ ବର୍ତ୍ତମାନ କୌଣସି କୃଷି ବୈଜ୍ଞାନିକଙ୍କ ପରାମର୍ଶରେ ନୁହେଁ, ବରଂ ନିଜ ଅଭିଜ୍ଞତା ବଳରେ ଚାଷୀ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ବର୍ତ୍ତମାନ ଖରା ଦିନରେ ହୀରାକୁଦ ଜଳଭଣ୍ଡାରର ଶୁଖିଲା ନଈପଠାରେ ହେଉଥିବା ପନିପରିବା ଚାଷକୁ ଏହି ପଦ୍ଧତିରେ ହିଁ ସଫଳ କରିପାରୁଛି।
ଝାରୁପଡ଼ା ଗାଁର ଯୁବଚାଷୀ ପ୍ରଦୀପ ସା କହିଛନ୍ତି, ଏହି ପଦ୍ଧତି ଦ୍ବାରା ଟିକିଏ କଷ୍ଟ କରିବାକୁ ପଡୁଛି ସତ, ହେଲେ ଏହାର ପରିଣାମ ବେଶ୍‌ ଫଳପ୍ରଦ ହେଉଛି। ଉପଯୁକ୍ତ ପରାଗସଙ୍ଗମ ଦ୍ବାରା ମାଖନ ଓ ତରଭୁଜ ପରି ଫଳ ବିନା ରୋଗପୋକରେ ବହୁତ ବଡ଼ ଆକାର ଧରି ପାରୁଛି। ଆଉ ଏହା ଅନେକ ମାତ୍ରାରେ ଉତ୍ପାଦନକୁ ବଢ଼ାଇ ଦେଉଛି ବୋଲି ସେ କହିଛନ୍ତି। ସେହିପରି ପଲସଦା ଗାଁର ଅନ୍ୟ ଜଣେ ଯୁବଚାଷୀ ହଳଧର କାଲୋ କହିଛନ୍ତି, ଏହି ପ୍ରକ୍ରିୟା ଦ୍ବାରା ଉତ୍ପାଦନ ଦୁଇରୁ ତିନିଗୁଣ ବଢ଼ିଯାଉଛି। ଏପରିକି ପ୍ରତିବର୍ଷ ପଟୁମାଟିରେ ପରିପୂର୍ଣ୍ଣ ହୀରାକୁଦ ଜଳଭଣ୍ଡାର ଅବବାହିକା ଅଞ୍ଚଳରେ ହେଉଥିବା ମାଖନ ଚାଷରେ ଗୋଟିଏ ଗୋଟିଏ କଖାରୁର ଓଜନ ୫୦ କିଲୋ ପର୍ଯ୍ୟନ୍ତ ଅତିକ୍ରମ କରୁଥିବା ଦେଖିବାକୁ ମିଳୁଛି।

ଏ ନେଇ ବିଶିଷ୍ଟ କୃଷି ବୈଜ୍ଞାନିକ ଡ.ପ୍ରଶାନ୍ତ ନନ୍ଦ କହିଛନ୍ତି, ଚାଷୀଙ୍କ ଏଭଳି ଅଭିନବ ଉଦ୍ୟମ ନିଶ୍ଚିତ ଭାବେ କୃଷି ବିଜ୍ଞାନକୁ ପଛରେ ପକାଇ ଦେଉଛି। ଏହା ଉପରେ ଅଧିକ ଗବେଷଣା ସହ ଅଭିଜ୍ଞ ଚାଷୀଙ୍କ ଅଭିଜ୍ଞତାକୁ ସରକାର ରାଜ୍ୟରୁ ଆରମ୍ଭ କରି ସାରା ଦେଶରେ ପ୍ରୟୋଗ କରିବା କଥା ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଆଜିକୁ ପ୍ରାୟ ୩ ଦଶନ୍ଧି ହେବ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍‌ ଓ ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକ୍‌ ସୀମାରେ ଥିବା ହୀରାକୁଦ ଜଳଭଣ୍ଡାରର ଶୁଖିଲା ନଈପଠାରେ ପ୍ରାୟ ୨୦ ହଜାରରୁ ଅଧିକ ଏକର ଜମିରେ ପରିବା ଚାଷ ହୋଇଆସୁଛି।

 

 

 

ସୌଜନ୍ୟ ସମ୍ବାଦ