ମହାନଗର

New Year, New Challenges: ନୂଆବର୍ଷରେ ନୂଆ ଆହ୍ବାନ: ମୁକାବିଲା କରିବ କମିସନରେଟ୍‌ ପୁଲିସ

୨୦୨୫ ମସିହା କମିସନରେଟ୍‌ ପୁଲିସକୁ କାଠଗଡ଼ାରେ ଠିଆ କରି ବିଦାୟ ନେଇଛି। ହତ୍ୟା, ଦୁଷ୍କର୍ମ, ଚୋରି, ଛିନ୍‌ତାଇ, ଡକାୟତି ଭଳି ସବୁପ୍ରକାର ଅପରାଧର ମୁକସାକ୍ଷୀ ପାଲଟିଛି ଖୋଦ ରାଜଧାନୀ। ବନ୍ଧୁକ ଗର୍ଜିଛି, ଖଣ୍ଡା ଭୁଜାଲି ବୁଲାଇ ଅପରାଧୀମାନେ ଆତଙ୍କରାଜ ଚଳାଇଛନ୍ତି....

ସରିତଦୀପ ଶତପଥୀ

ଭୁବନେଶ୍ୱର: ୨୦୨୫ ମସିହା କମିସନରେଟ୍‌ ପୁଲିସକୁ କାଠଗଡ଼ାରେ ଠିଆ କରି ବିଦାୟ ନେଇଛି। ହତ୍ୟା, ଦୁଷ୍କର୍ମ, ଚୋରି, ଛିନ୍‌ତାଇ, ଡକାୟତି ଭଳି ସବୁପ୍ରକାର ଅପରାଧର ମୁକସାକ୍ଷୀ ପାଲଟିଛି ଖୋଦ ରାଜଧାନୀ। ବନ୍ଧୁକ ଗର୍ଜିଛି, ଖଣ୍ଡା ଭୁଜାଲି ବୁଲାଇ ଅପରାଧୀମାନେ ଆତଙ୍କରାଜ ଚଳାଇଛନ୍ତି, ଦୟା ନଦୀପଠା ଭଳି ପର୍ଯ୍ୟଟନସ୍ଥଳରେ ଗଣଦୁଷ୍କର୍ମ ଘଟିଛି, ମହିଳାଙ୍କୁ ଅପହରଣ କରି ହତ୍ୟା କରାଯାଇଛି ଏବଂ ସର୍ବୋପରି ବସ୍ତି ହିଂସା ପୁଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେଣୁ ନୂଆବର୍ଷ ୨୦୨୬ କମିସନରେଟ୍‌ ପୁଲିସ ପାଇଁ ଏକପ୍ରକାର ବଡ଼ ଆହ୍ବାନ ହୋଇ ଠିଆହେବ। ମହିଳା ସୁରକ୍ଷା, ବସ୍ତି ହିଂସା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ଭଳି ବିଭିନ୍ନ ସମସ୍ୟା କମିସନରେଟ୍‌ ପୁଲିସ ପାଇଁ ଆହ୍ବାନ ହୋଇ ମୁଣ୍ଡଟେକିବ।

Zero Night Celebration: ସବୁ ଗଡ଼ବଡ଼ କରିଦେଲା ଗୁରୁବାର… ନୂଆବର୍ଷ ଭୋଜି ଫିକାଫିକା, ଜିରୋ ନାଇଟ୍ ସେଲିବ୍ରେସନରେ ଆମିଷ ମାଡ଼

‘ୱି କେୟାର୍‌ ୱି ଡେୟାର୍‌’ ନାରା ଦେଉଥିବା କମିସନରେଟ୍‌ ପୁଲିସ ଥାଇ ବି ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ନୁହେଁ ବୋଲି ଅଭିଯୋଗ ହୋଇଆସୁଛି। ୨୦୨୫ ମସିହା ଶେଷ ସମୟରେ ରେଡ୍‌ ଫ୍ଲାଗ୍‌ ଅନ୍ତର୍ଭୁକ୍ତ ଦୁଇ ଦୁଇଟି ଗଣଦୁଷ୍କର୍ମ ମାମଲାକୁ ନେଇ ଓଡ଼ିଶା, ସମଗ୍ର ଦେଶରେ ନିନ୍ଦିତ ହୋଇଛି। ତେଣୁ ନୂଆବର୍ଷ ଅର୍ଥାତ ୨୦୨୬ରେ ମଧ୍ୟ କମିସନରେଟ ପୁଲିସ ପାଇଁ ନାରୀ ସୁରକ୍ଷା ବଡ଼ ଆହ୍ବାନ ସୃଷ୍ଟି କରିଛି। ପୂର୍ବରୁ କମିସନରେଟ୍‌ ପୁଲିସ ମହିଳା ସୁରକ୍ଷା ପାଇଁ ଅଭିନବ ପଦକ୍ଷେପ ଗ୍ରହଣ କରିଥିଲା। ରାଜଧାନୀରେ ‘ହର୍‌’ ଟିମ୍‌ ସକ୍ରିୟ ଥିଲା। ପିଙ୍କ୍‌ ଜୋନ୍‌, ମହିଳାଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ମୋବାଇଲ୍‌ ଆପ୍ଲିକେସନ୍‌ ‘ମୋ ସାଥୀ’ ଆପ୍‌ ଥିଲା। ମାତ୍ର ସମୟ ଚକ୍ରରେ ସେସବୁ ଥାଇ ନଥିବା ଭଳି। ତେଣୁ ରାଜଧାନୀରେ ମହିଳାମାନଙ୍କ ସୁରକ୍ଷା ପାଇଁ କମିସନରେଟ୍‌ ପୁଲିସ କି ନୂଆ ପଦକ୍ଷେପ ଗ୍ରହଣ କରିବ, ତାହା ଉପରେ ସମସ୍ତଙ୍କ ନଜର।

ଚିନ୍ତା ବଢ଼ାଇବ ମହିଳା ସୁରକ୍ଷା
ନିୟନ୍ତ୍ରଣକୁ ଆସିବ କି ବସ୍ତି ହିଂସା 
ସୁଧୁରିବ ତ ଟ୍ରାଫିକ୍‌ ସମସ୍ୟା!

ସଂପ୍ରତି ବସ୍ତି ଗଣ୍ଡଗୋଳ କମିସନରେଟ୍‌ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍‌। ୨୦୨୫ରେ ବସ୍ତି ହିଂସା ରେକର୍ଡ କରିଥିବା ଚର୍ଚ୍ଚା ହେଉଛି। ଗତବର୍ଷ ଜାନୁଆରି ପ୍ରଥମ ସପ୍ତାହରେ ଓ ହୋଲି ପର୍ବ ବେଳେ ଦୁଇଟି ମୁଣ୍ଡ ଗଡ଼ିଛି। ଶତାଧିକ ହଣାମରା ଗଣ୍ଡଗୋଳ ଘଟିଛି। କଥା କଥାକେ ଖଣ୍ଡା, ଭୁଜାଲି ସହିତ ବୋମାମାଡ଼ ହେଉଛି। ଗୁଳିକାଣ୍ଡ ବି କିଛି କମ୍‌ ହୋଇନାହିଁ। ଗୁଳିମାଡ଼ରେ ବି ମୁଣ୍ଡ ଯାଇଛି। ତେଣୁ ବସ୍ତି ହିଂସା ରୋକିବା ପୁଲିସ ପାଇଁ କାଠିକର ପାଠ ହେବା ନେଇ ଆଶଙ୍କା କରାଯାଉଛି। ପୂର୍ବରୁ କମିସନରେଟ୍‌ ପୁଲିସ ରାଜଧାନୀର ବିଭିନ୍ନ ବସ୍ତିରେ ପୁଲିସ ମିତ୍ର ନିୟୋଜିତ କରୁଥିଲା। ଏମିତିକି ଅପରାଧପ୍ରବଣ ବସ୍ତିଗୁଡ଼ିକ ପାଇଁ ବିଭିନ୍ନ ଥାନା ପକ୍ଷରୁ କିଛି ସ୍ବତନ୍ତ୍ର ପୁଲିସ ଟିମ୍‌ ଥିଲା। ‘ବସ୍ତିକୁ ଚାଲ’ ଅଭିଯାନ ଥିଲା। ମାତ୍ର ଧୀରେଧୀରେ ପୁଲିସର ସେସବୁ କୌଶଳ ପୁରୁଣା ହେବା ସାଙ୍ଗକୁ ଅଚଳ ଅବସ୍ଥାରେ ରହିଛି। ଏଣେ ବସ୍ତି ହିଂସା ମାତ୍ରା ବଢ଼ିବଢ଼ି ଚାଲିଛି। ନିଶା ବେପାରକୁ ନେଇ ବେଶି ହିଂସାକାଣ୍ଡ ଘଟୁଛି। ଏସବୁ ପଛରେ ବଡ଼ କାରଣ ହେଉଛି, ପୁଲିସ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଦୂରତା ବଢ଼ୁଛି। ରାଜଧାନୀର ସବୁଠୁ ବଡ଼ ସମସ୍ୟା ହେଉଛି ଟ୍ରାଫିକ୍‌ ଭିଡ଼ ନିୟନ୍ତ୍ରଣ। ଏହା ଆଗକୁ ପୂର୍ବାପେକ୍ଷା ବଡ଼ ଆହ୍ବାନ ହେବ। ପର୍ବପର୍ବାଣୀ କଥା ପଛକୁ ଥାଉ, ଅନ୍ୟ ଦିନମାନଙ୍କରେ ଟ୍ରାଫିକ୍‌ ଜାମ୍‌ ଯନ୍ତ୍ରଣା ରାଜଧାନୀବାସୀଙ୍କ ପାଇଁ ଅସହ୍ୟ ହେଲାଣି। ରସୁଲଗଡ଼, ପଳାଶୁଣୀ, ଜୟଦେବବିହାର, ରାଜମହଲ ଛକ, କଳ୍ପନା ଛକ ଆଦି ସ୍ଥାନରେ ଟ୍ରାଫିକ୍‌ ଜାମ୍‌ ସମସ୍ୟାର ସମାଧାନ ବାଟ ପୁଲିସ ନିକଟରେ ନାହିଁ ବୋଲି ଲୋକେ ଅନୁଭବ କଲେଣି। ସେହିଭଳି ରାଜଧାନୀରେ ନିଶା କାରବାର ବେକାବୁ ଅବସ୍ଥାରେ। ବସ୍ତି ହିଂସା ହେଉ କି ଅନ୍ୟ କିଛି ଗଣ୍ଡଗୋଳ ହେଉ, ସର୍ଭେ କହୁଛି, ୬୦% ଗଣ୍ଡଗୋଳ ନିଶାସେବନରୁ ହେଉଛି। ପୁଲିସ ପାଟ୍ରୋଲିଂ ଅଭାବରୁ ଏସବୁ ଘଟୁଛି। ଅପରାଧୀମାନେ ପୁଲିସକୁ ଭୟ କରୁଥିବା ଜଣାପଡ଼ୁନାହିଁ।

ସର୍ବୋପରି କର୍ମଚାରୀ ଅଭାବ କମିସନରେଟ ପୁଲିସ ପାଇଁ ଅନ୍ୟ ଏକ ଆହ୍ବାନ ହୋଇ ରହିବ।  ୩ବର୍ଷ ହେବ ପୁଲିସ ଏସ୍‌ଆଇ ନିଯୁକ୍ତି ହୋଇପାରିନାହିଁ। ନୂଆ ପୋଷ୍ଟିଂ ହୋଇନଥିବାରୁ ପୁଲିସର ତଦନ୍ତ ଅଧିକାରୀଙ୍କ ପରିମାଣ କମିକମି ଗଲାଣି। ସେହିଭଳି କିଛି ଥାନା ପାଇଁ ଆଇଆଇସି ପଦବି ପୂରଣ ହୋଇପାରୁନାହିଁ, ତେଣୁ ସେଠାରେ ଏସିପି ଥାନା ଅଧିକାରୀ ଦାୟିତ୍ବ ତୁଲାଉଛନ୍ତି। ତେଣୁ ୨୦୨୬ରେ କମିସନେରଟ୍‌ ପୁଲିସରେ କର୍ମଚାରୀ ଅଭାବ କିଭଳି ନ ରହିବ, ତାହା ବି ଏକ ଆହ୍ବାନ। କର୍ମଚାରୀ ଅଭାବ କମିସନରେଟ ପୁଲିସରେ ଦେଖା ଦେବ। ବହୁ ଏସଆଇ ଚଳିତ ବର୍ଷ ପଦୋନ୍ନତି ପାଇ ଆଇଆଇସି ପୋଷ୍ଟକୁ ଯାଇଛନ୍ତି। ସେମାନଙ୍କୁ ଏବେ ବିଭିନ୍ନ ଥାନାରେ ଆଡିସନାଲ ଆଇଆଇସି ପଦବୀରେ ଅଧିଷ୍ଠିତ କରାଯାଇ ଏସଆଇଙ୍କ କାମ କରାଯାଉଛି। ଏହା ସହିତ ତାଙ୍କ ସହ ପଦୋନ୍ନତି ପାଇଥିବା ଅନ୍ୟ ଆଇଆଇସିଙ୍କୁ ଥାନା ଦାୟିତ୍ୱ ଦିଆଯାଇଛି। ଏହାକୁ ନେଇ କିଛି ପୁଲିସ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହାକୁ କାବୁ କରିବା ଚଳିତ ବର୍ଷ କମିସନରେଟ ପୁଲିସ ପାଇଁ ଆହ୍ବାନ ରହିଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button