This time, 7 pendals, 15 opera groups: ଏଥର ୭ ପେଣ୍ଡାଲ, ୧୫ ଅପେରା ଦଳ: ୧୨ରୁ ଦୋକାନଘର ଓ ପାର୍କିଂ ପାଇଁ ଆବେଦନ

ଖଣ୍ଡଗିରି: ଜାନୁଆରି ୨୫ରୁ ଖଣ୍ଡଗିରି ମାଘମେଳା ଆରମ୍ଭ ହେଉଥିବା ବେଳେ ୨୭ରୁ ଖଣ୍ଡଗିରି ଯାତ୍ରା ମହାସମର ଆରମ୍ଭ ହେବ। ସାଧୁସନ୍ଥମାନେ ମେଳା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ମନୋରଞ୍ଜନର ଖୋରାକ ଯୋଗାଇବାକୁ ସଜବାଜ ହେଲେଣି ଯାତ୍ରା କମିଟି। ପେଣ୍ଡାଲ୍‌ ହେବାକୁ ଥିବା ସ୍ଥାନର ସଫେଇ ଚାଲିଛି। ଯାତ୍ରା ଦଳର ବ୍ୟାନର୍‌ ଲାଗୁଛି। ନୂଆ ନୂଆ କାହାଣୀ, ଦମ୍‌ଦାର ସଂଳାପକୁ ନେଇ ପ୍ରସ୍ତୁତ ହୋଇଥିବା ୧୫ ଯାତ୍ରାଦଳଙ୍କୁ କମିଟି ବଇନା ଦେଇ ସାରିଲେଣି। ଖଣ୍ଡଗିରିର ପବିତ୍ର ଭୂମିରେ ଏଥର କୌଣସି ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପୁରୁଣା ପାର୍ଟି ସହ ୪ଟି ନୂଆ ପାର୍ଟି ସାମିଲ ହେବାକୁ ଥିବାରୁ ନାଟକ ପୂର୍ବବର୍ଷ ଅପେକ୍ଷା ଅଧିକ ରୋମାଞ୍ଚକ ହେବ ବୋଲି ଆୟୋଜକ କମିଟି ଆଶା ରଖିଛନ୍ତି। ହରେକୃଷ୍ଣ ମହତାବ ପେଣ୍ଡାଲରେ ‘ଅଶୋକ ସମ୍ରାଟ’ ‘ଅଧା ରହିଲା ଆମ କାହାଣୀ’ ନାଟକ ପରିବେଷଣ କରିବାକୁ ଥିବା ବେଳେ ତୁଳସୀ ଗଣନାଟ୍ୟ ‘ଏଇ ବୋଧେ ଶେଷ ଦେଖା’ ନାଟକ ପରିବେଷଣ କରିବ।

୧୨ରୁ ଦୋକାନଘର ଓ ପାର୍କିଂ ପାଇଁ ଆବେଦନ, ୨୧ରୁ ଆବଣ୍ଟନ
ଠିକାଦାରଙ୍କ ଲୁଟ୍‌ରୁ ବଞ୍ଚିବାକୁ ବଢ଼ିବ ପାର୍କିଂ ଫି

ସନାତନ ସେବା ସମିତିରେ ଚଳିତ ବର୍ଷ ‘କୋଣାର୍କ ଗଣନାଟ୍ୟ’ ଓ ‘ସୂର୍ଯ୍ୟମନ୍ଦିର’ ଆସିବେ। ଇନ୍ଦିରା ସାଂସ୍କୃତିକ ପରିଷଦରେ ‘ସିଂହ ବାହିନୀ’ ‘ଶିବାନୀ’; ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦରେ ‘ସ୍ବର୍ଣ୍ଣ ମହଲ’,‘ରଙ୍ଗମହଲ’; ବାରଭୂଜା ସାଂସ୍କୃତିକ ପରିଷଦରେ ‘ବିଶ୍ବ ଦରବାର’, ‘ଶ୍ରୀମନ୍ଦିର’; ଅନନ୍ତ କେଶରୀ ଯାତ୍ରା କମିଟିରେ ‘ନାଟ୍ୟମଣ୍ଡପ’, ‘ରାଜ ଦରବାର’ ଓ କଳିଙ୍ଗ ସାଂସ୍କୃତିକ ପରିଷଦରେ ‘ଇନ୍ଦ୍ରଭୂବନ’, ‘କଳିଙ୍ଗ ଗଣନାଟ୍ୟ’ ନାଟକ ପରିବେଷଣ କରିବେ।

ସେହିପରି ଗତ ବର୍ଷ ଖଣ୍ଡଗିରିରେ ପାର୍କିଂ ପାଇଁ ବିଏମ୍‌ସି ଖଣ୍ଡଗିରି ଥାନା ସାମନା, ଖାରବେଳ ପାର୍କ, ଜାଗମରା ହାଉସିଂ ବୋର୍ଡ ସାମନା, ଖଣ୍ଡଗିରିବାରି ଓ ଖଣ୍ଡଗିରି ଓଭର୍‌ବ୍ରିଜ୍‌ ତଳେ, ଏଭଳି ୫ଟି ଜାଗା ଚିହ୍ନଟ କରି ଠିକା ଦେଇଥିଲା। ଘଣ୍ଟାକୁ ୨ ଚକିଆ ଓ ୩ ଚକିଆ ପାଇଁ ୧୦ଟଙ୍କା, ୪ ଚକିଆ ପା‌ଇଁ ୨୦ ଟଙ୍କା ଓ ଭାରୀଯାନ ପାଇଁ ୨୫ ଟଙ୍କା ବିଏମ୍‌ସି ଧାର୍ଯ୍ୟ କରିଥିଲା। ୨ ଘଣ୍ଟାରୁ ଅଧିକ ସମୟ ରଖି‌ଲେ ଏହା ଯଥାକ୍ରମେ ୨୦, ୩୦, ୪୦, ୬୦ ହେବାକୁ ସର୍ତ୍ତ ଥିଲା। ଯେଉଁମାନେ ଧାର୍ଯ୍ୟ ଟଙ୍କାଠାରୁ ଅଧିକ ନେବେ, ଟିକେଟ୍‌ରେ ସମସ୍ତ ବିବରଣୀ ନରଖିବେ, ସେମାନଙ୍କୁ ୧ହଜାର ଟଙ୍କା ଜରିମାନା ହେବ ବୋଲି ମଧ୍ୟ ତାଗିଦ କରାଯାଇଥିଲା। ହେଲେ  ବିଧିବଦ୍ଧ ଭାବରେ ଠିକା ନେଇଥିବା ସଂସ୍ଥାମାନେ ଧାର୍ଯ୍ୟ ଦେୟରୁ ୫ରୁ ୧୦ ଗୁଣା ନେଉଥିଲେ।ଏଥିରେ ରୋକ ଲଗାଇବାକୁ ବିଏମ୍‌ସି ପକ୍ଷରୁ ଏଥିର ପାର୍କିଂ ଫି ବଢ଼ାଇବାକୁ ଯୋଜନା ହୋଇଛି। ଆସନ୍ତା ୧୨ ତାରିଖରୁ ଦୋକାନଘର ଓ ପାର୍କିଂ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ୨୧ରୁ ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ଏହା ପ୍ରଦାନ କରାଯିବ।

ସୌଜନ୍ୟ ସମ୍ବାଦ