US Faces: ଆମେରିକାର ୧୬ ଲଢ଼ୁଆ ବିମାନ ଓ ୧୦ ରିପର ଡ୍ରୋନ୍ ନଷ୍ଟ କଲାଣି ଇରାନ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୀଷଣ ସଂଘର୍ଷରେ ଆମେରିକାକୁ ବିପୁଳ କ୍ଷତି ହେବାରେ ଲାଗିଛି। ଆମେରିକା ଇରାନକୁ ହରାଇବା ଯେତେ ସହଜ ବୋଲି ଭାବିଥିଲା ତାହା ହୋଇପାରୁନାହିଁ।

ତେହେରାନ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୀଷଣ ସଂଘର୍ଷରେ ଆମେରିକାକୁ ବିପୁଳ କ୍ଷତି ହେବାରେ ଲାଗିଛି। ଆମେରିକା ଇରାନକୁ ହରାଇବା ଯେତେ ସହଜ ବୋଲି ଭାବିଥିଲା ତାହା ହୋଇପାରୁନାହିଁ। ଆମେରିକା ପ୍ରତିରକ୍ଷା ଅଧିକାରୀଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଇରାନ ବିରୋଧୀ ଅଭିଯାନରେ ଆମେରିକା ବାୟୁସେନାକୁ ନା କେବଳ ଶତ୍ରୁପକ୍ଷର ଆକ୍ରମଣରୁ ବରଂ ବୈଷୟିକ ତ୍ରୁଟି ଓ ପରସ୍ପର ମଧ୍ୟରେ ତାଳମେଳର ଅଭାବ ଯୋଗୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି। ବ୍ଲୁମବର୍ଗ ଓ ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ଆମେରିକାର ୧୬ଟି ଲଢ଼ୁଆ ବିମାନ ନଷ୍ଟ ହେଲାଣି, ଯେଉଁଥିରେ ଖୁବ୍ ମହଙ୍ଗା ଡ୍ରୋନ୍ ଓ ରିଫିଉଲିଂ ଟ୍ୟାଙ୍କର ମଧ୍ୟ ରହିଛି।
୨୮ ଫେବ୍ରୁଆରିରୁ ଏପର୍ଯ୍ୟନ୍ତ ଆମେରିକାର ୧୦ଟି ଏମ୍କ୍ୟୁ-୯ ରିପର ଡ୍ରୋନ୍ ନଷ୍ଟ ହୋଇସାରିଲାଣି। ଏଥିରୁ ୯ଟିକୁ ଇରାନ ଏୟାର ଡିଫେନ୍ସ ସିଷ୍ଟମ ଉଡ଼ାଣ ସମୟରେ ଖସେଇ ଦେଇଛି। ଆଉ ଏକ ଡ୍ରୋନ୍ ଜୋର୍ଡାନର ଏୟାରଫିଲ୍ଡରେ ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ଦ୍ବାରା ନଷ୍ଟ ହୋଇଥିଲା। ଅନ୍ୟ ଦୁଇଟି ଡ୍ରୋନ୍ ବୈଷୟିକ ତ୍ରୁଟି ଯୋଗୁ ନଷ୍ଟ ହୋଇଥିଲା। ଏହିସବୁ ଡ୍ରୋନ୍ ମାନବ ବିହୀନ ଓ ନଷ୍ଟ ହେବାର ସମ୍ଭାବନା କମ୍ ଥିବାରୁ ବିପଜ୍ଜନକ ଯୁଦ୍ଧ କ୍ଷେତ୍ରରେ ମୁତୟନ ହୋଇଥାଏ। କେସି-୧୩୫ ରିଫିଉଲିଂ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବା ସହିତ ୬ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। କୁଏତ୍ରେ କୁଏତ ସେନାର ଭୁଲ ଯୋଗୁ ତିନିଟି ଏଫ୍ -୧୫ ଲଢ଼ୁଆ ବିମାନ ଖସେଇ ଦେଇଥିଲେ। ଏହା ଯୁଦ୍ଧରେ ତାଳମେଳ ଅଭାବକୁ ଦର୍ଶାଉଛି। ସାଉଦି ଆରବ ସ୍ଥିତ ଏକ ସାମରିକ ଘାଟିରେ ଅନ୍ୟ ୫ଟି କେସି-୧୩୫ ବିମାନ କ୍ଷତିଗ୍ରସ୍ତ ହୋଇଥିଲା। ନିକଟରେ ଅତ୍ୟାଧୁନିକ ଏଫ୍ ୩୫ ଲଢ଼ୁଆ ବିମାନ ଇରାନ ଦ୍ବାରା ନଷ୍ଟ ହୋଇଛି।
ସୌଜନ୍ୟ ସମ୍ବାଦ




