JSW Steel : ୨୦୩୦ ସୁଦ୍ଧା ବାର୍ଷିକ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବା ପାଇଁ ଆମେ ପ୍ରତିବଦ୍ଧ: ମୁଖ୍ୟମନ୍ତ୍ରୀ

ରେଙ୍ଗାଲି/ସମ୍ବଲପୁର: ଓଡ଼ିଶାକୁ ଏକ ଲୌହ ପଥର ଉତ୍ପାଦନକାରୀ ରାଜ୍ୟରୁ ବିଶ୍ୱସ୍ତରୀୟ ଉଚ୍ଚମାନର ଇସ୍ପାତ ନିର୍ମାଣ ହବ୍ରେ ପରିଣତ କରିବା ପାଇଁ ଆଜି ଏକ ବଡ଼ ପଦକ୍ଷେପ ନିଆଯାଇଛି। ସମ୍ୱଲପୁରର ରେଙ୍ଗାଲୀ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ JSW ଷ୍ଟିଲ୍ ଲିମିଟେଡ୍ ଏବଂ ଜାପାନର JFE ଷ୍ଟିଲ୍ କର୍ପୋରେସନ୍ ମଧ୍ୟରେ ଏକ ଯୁଗ୍ମ ସହଭାଗିତା (Joint Venture) ଆରମ୍ଭ ହୋଇଛି। ଏହି ସହଭାଗିତା ବିଶେଷ କରି ଇଲେକ୍ଟ୍ରିକାଲ ଷ୍ଟିଲ୍ ଉତ୍ପାଦନରେ ସହାୟକ ହେବ, ଯାହା ଇଲେକ୍ଟ୍ରିକ୍ ଯାନ (EV) ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବ।
୨୦୩୦ ସୁଦ୍ଧା ୧୦୦ MTPA ଲକ୍ଷ୍ୟ
କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୩୦ ସୁଦ୍ଧା ବାର୍ଷିକ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବା ପାଇଁ ଆମେ ପ୍ରତିବଦ୍ଧ। ଏହି ଲକ୍ଷ୍ୟ ପୂରଣ ପାଇଁ ଆମ ପାଖରେ ଆବଶ୍ୟକୀୟ ସମ୍ବଳ, ନୀତି ଏବଂ ଭିତ୍ତିଭୂମି ରହିଛି।
ସମ୍ବଲପୁର ଗ୍ରୋଥ୍ କରିଡର
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ, ରାଜଧାନୀ ଅଞ୍ଚଳ ଭଳି ରାଉରକେଲା, ଝାରସୁଗୁଡ଼ା, ବରଗଡ଼ ଏବଂ ଦେବଗଡ଼କୁ ନେଇ ‘ସମ୍ବଲପୁର ଗ୍ରୋଥ୍ କରିଡର’ ବିକଶିତ କରାଯିବ। ଏହି କରିଡରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ସହ ୨ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
କେନ୍ଦୁଝରରେ ନିବେଶ ପାଇଁ ଆହ୍ୱାନ
ନିଜ ଗୃହ ଜିଲ୍ଲା କେନ୍ଦୁଝରରେ ନିବେଶ କରିବାକୁ JFE ଷ୍ଟିଲ୍ କମ୍ପାନୀକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦୁଝରରେ ଉଚ୍ଚମାନର ଲୌହ ପଥର ଓ ଉତ୍ତମ ପରିବହନ ବ୍ୟବସ୍ଥା ଯୋଗୁଁ ଉତ୍ପାଦନ ଖର୍ଚ୍ଚ ପ୍ରାୟ ୫୦% ହ୍ରାସ ପାଇବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଅତ୍ୟାଧୁନିକ ହାଇଗ୍ରେଡ୍ ଷ୍ଟିଲ ପ୍ରସ୍ତୁତ କ୍ଷେତ୍ରରେ JSW ଓ JFE ଷ୍ଟିଲ୍’ର ସହଭାଗୀତା ଖୁବ୍ ସହାୟକ ହେବ। ଏହି ସହଭାଗୀତା ଦ୍ୱାରା ଓଡ଼ିଶାରେ ସମୁଦାୟ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ପରିକଳ୍ପନାକୁ ସାକାର କରିବା ଦିଗରେ ଆଜିର ଏହି ଜଏଣ୍ଟ ଭେନ୍ଚର୍ ଏକ ଐତିହାସିକ ପଦକ୍ଷେପ ସାବ୍ୟସ୍ତ ହୋଇଛି। ଏହାଦ୍ୱାରା ଓଡ଼ିଶା ବିଶ୍ୱର ପ୍ରତିଷ୍ଠିତ ନିବେଶକ ମାନଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ଭାବେ ନିଜର ସ୍ଥାନକୁ ଆହୁରି ସୁଦୃଢ଼ କରିପାରିଛି।
ସୌଜନ୍ୟ ସମ୍ବାଦ




