ଦେଶ ବିଦେଶ

USA: ଆମେରିକାରେ ଲୁଟ୍‌ ବେଳେ ଭାରତୀୟ ବଂଶୋଦ୍ଭବ ଦୋକାନ ମାଲିକଙ୍କୁ ଗୁଳି: ଝିଅ ସାମ୍ନାରେ ବାପାର ମୃତ୍ୟୁ

ଆମେରିକାର ଟେନେସି ରାଜ୍ୟର ଜ୍ୟାକସନ୍‌ ସହରରେ ଡକାୟତମାନେ ଲୁଟ୍‌ କରିବା ବେଳେ ଜଣେ ଭାରତୀୟ ବଂଶୋଦ୍ଭବ ଦୋକାନ ମାଲିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ୬୨ ବର୍ଷୀୟ ସୁରେଶ ପଟେଲ।

ୱାସିଂଟନ: ଆମେରିକାର ଟେନେସି ରାଜ୍ୟର ଜ୍ୟାକସନ୍‌ ସହରରେ ଡକାୟତମାନେ ଲୁଟ୍‌ କରିବା ବେଳେ ଜଣେ ଭାରତୀୟ ବଂଶୋଦ୍ଭବ ଦୋକାନ ମାଲିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ୬୨ ବର୍ଷୀୟ ସୁରେଶ ପଟେଲ। ଗୁରୁବାର ରାତି ପ୍ରାୟ ୯ଟାରେ ଜ୍ୟାକସନ୍‌ସ୍ଥିତ ରିଜ୍‌କ୍ରେଷ୍ଟ ସେଲାର୍ସ ୱାଇନ୍‌ ଆଣ୍ଡ୍‌ ସ୍ପିରିଟ୍‌ସ ଦୋକାନରେ ଏହି ଘଟଣା ଘଟିଥିଲା। ସୁରେଶଙ୍କ ୧୯ ବର୍ଷୀୟ ଝିଅ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେ ନିଜ ଆଖି ସାମ୍ନାରେ ବାପାଙ୍କ ଏ ଅବସ୍ଥା ଦେଖିଥିଲେ।

ଜ୍ୟାକସନ୍‌ ପୁଲିସ ବିଭାଗ ଅନୁସାରେ, ଜଣେ ମୁହଁ ଢାଙ୍କିଥିବା ବ୍ୟକ୍ତି ଦୋକାନ ଭିତରକୁ ପଶି କର୍ମଚାରୀଙ୍କୁ ଟଙ୍କା ଦେବାକୁ ଧମକ ଦେଇଥିଲା। ସେ ଟଙ୍କା ନେଇ ଯିବା ବଳାଇବା ପୂର୍ବରୁ ଅନେକ ରାଉଣ୍ଡ ଗୁଳି ଚଳାଇଥିଲା। ଏଥିରେ ସୁରେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣାରେ ଦୋକାନର ଜଣେ ୭୦ ବର୍ଷୀୟ କର୍ମଚାରୀ ମଧ୍ୟ ପଡ଼ିଯାଇ ଆଘାତ ପାଇଥିବା ଜଣାପଡ଼ିଛି। ପୁଲିସ ଦୋକାନର ସିସିଟିଭି ଦୃଶ୍ୟରୁ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ପାଇଛି। ସେ ଜଣେ କଳା ଚର୍ମର ବ୍ୟକ୍ତି ଏବଂ ଧୂସର ହୁଡି, ଜିନ୍ସ ଓ କଳା ରଙ୍ଗର ବୁଟ୍‌ ପିନ୍ଧିଥିଲା। ମୁହଁ ଲୁଚାଇବା ପାଇଁ ସେ ଏକ ମାସ୍କ ପିନ୍ଧିଥିଲା। ଘଟଣା ପରେ ସେ ଏକ ଧଳା ରଙ୍ଗର ସେଡାନ୍‌ କାର୍‌ରେ ଫେରାର ହୋଇଯାଇଥିବା ପୁଲିସ କହିଛି।

ସୁରେଶ ପଟେଲ ଗୁଜରାଟର ମେହସାଣା ଜିଲ୍ଲାର ମୂଳ ବାସିନ୍ଦା। ପ୍ରାୟ ୩୦ ବର୍ଷ ପୂର୍ବେ ସେ ଭଲ ରୋଜଗାର ଆଶାରେ ଆମେରିକା ଯାଇଥିଲେ। ତାଙ୍କ ପରିବାରର ସୂଚନା ଅନୁସାରେ, ସେ ଘଟଣାର ମାତ୍ର ତିନି ଦିନ ପୂର୍ବରୁ, ଅର୍ଥାତ୍‌ ଅଗଷ୍ଟ ୧୭ ତାରିଖରେ ଏହି ଦୋକାନର ନୂଆ ମାଲିକ ହୋଇଥିଲେ। ଘଟଣା ପରେ ଜ୍ୟାକସନ୍‌ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଟେନେସି ସମେତ ଆମେରିକାର ବିଭିନ୍ନ ସ୍ଥାନରେ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ଲୁଟ୍‌ ଓ ହିଂସାର ଶିକାର ହେବା ଘଟଣା ବୃଦ୍ଧି ପାଇବାରେ ଲାଗିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button