ଦେଶ ବିଦେଶ

Uttarakhand: ନେପାଳ ବନ୍ୟା ପରେ ସତର୍କ ଉତ୍ତରାଖଣ୍ଡ: ହିମବାହ ହ୍ରଦ ଓ ସମ୍ବେଦନଶୀଳ ଅଞ୍ଚଳ ଉପରେ କଡ଼ା ନଜର

ପଡ଼ୋଶୀ ନେପାଳରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରୁ ଶିକ୍ଷା ନେଇ ଉତ୍ତରାଖଣ୍ଡ ସରକାର ରାଜ୍ୟର ହିମବାହ ହ୍ରଦ, ନଦୀ ଓ ଅନ୍ୟ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ନଜରଦାରି ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛନ୍ତି।

ଡେରାଡୁନ: ପଡ଼ୋଶୀ ନେପାଳରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରୁ ଶିକ୍ଷା ନେଇ ଉତ୍ତରାଖଣ୍ଡ ସରକାର ରାଜ୍ୟର ହିମବାହ ହ୍ରଦ, ନଦୀ ଓ ଅନ୍ୟ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ନଜରଦାରି ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ପୁନର୍ବାସ ମନ୍ତ୍ରୀ ମଦନ କୌଶିକ ଶୁକ୍ରବାର କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ ଉତ୍ତରାଖଣ୍ଡ ଅତ୍ୟନ୍ତ ସମ୍ବେଦନଶୀଳ ରାଜ୍ୟ। ତେଣୁ ଜୀବନ ଓ ସମ୍ପତ୍ତିର କ୍ଷୟକ୍ଷତି କମାଇବା ପାଇଁ ସରକାର ପୂର୍ବ ପ୍ରସ୍ତୁତିକୁ ଅଧିକ ମଜଭୁତ କରୁଛନ୍ତି।

ମଦନ କୌଶିକ କହିଛନ୍ତି, ନେପାଳର ସାମ୍ପ୍ରତିକ ବିପର୍ଯ୍ୟୟରୁ ଶିକ୍ଷା ନେଇ ହିମବାହ ହ୍ରଦ, ନଦୀ ଏବଂ ବିପଦପ୍ରବଣ ଅଞ୍ଚଳଗୁଡ଼ିକର ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉଛି। ବିପଦପ୍ରବଣ ହିମବାହ ହ୍ରଦଗୁଡ଼ିକର ବୈଜ୍ଞାନିକ ସର୍ବେକ୍ଷଣ ଓ ନିୟମିତ ମୂଲ୍ୟାୟନ କରାଯିବ। ସେହିପରି ଆଧୁନିକ ପ୍ରାକ୍‌ ସତର୍କ ସୂଚନା ବ୍ୟବସ୍ଥା ସ୍ଥାପନ କରାଯିବା ସହ ଆବଶ୍ୟକସ୍ଥଳେ ଅତିରିକ୍ତ ଯନ୍ତ୍ରପାତି ଓ ବୈଷୟିକ ସାଧନ ନିୟୋଜିତ କରାଯିବ। ଯେପରି ବିପଦ ସୂଚନା ଠିକ୍‌ ସମୟରେ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ନିକଟରେ ପହଞ୍ଚିପାରିବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ନେପାଳ ବିପର୍ଯ୍ୟୟ ପରେ ଉତ୍ତରାଖଣ୍ଡର କୁମାୟୁଁ ଅଞ୍ଚଳରେ ମଧ୍ୟ ସତର୍କତା ବଢ଼ାଯାଇଛି। ଚମ୍ପାୱତ ଜିଲ୍ଲା ପ୍ରଶାସନ ବନବସା ଓ ଟନକପୁର ଅଞ୍ଚଳରେ କାଳୀ-ଶାରଦା ନଦୀର ଜଳସ୍ତର ଉପରେ ନିରନ୍ତର ନଜର ରଖିଛି।

ଶାରଦା ବ୍ୟାରେଜ୍‌, ନଦୀଘାଟ ଓ ଅନ୍ୟ ସମ୍ବେଦନଶୀଳ ନଦୀକୂଳ ଅଞ୍ଚଳରେ ନିରୀକ୍ଷଣ ଜୋରଦାର କରାଯାଇଛି। ପୁଲିସ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଏବଂ ବିପର୍ଯ୍ୟୟ ପରିଚାଳନା ଦଳକୁ ସତର୍କ ରଖାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ପୂର୍ବରୁ ରାଜ୍ୟର ସମସ୍ତ ସମ୍ବେଦନଶୀଳ ହିମବାହ ହ୍ରଦର ବ୍ୟାପକ ବୈଜ୍ଞାନିକ ସର୍ବେକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହ୍ରଦର ଆକାର, ଜଳସ୍ତର, ଆଖପାଖ ଭୂଭାଗ ଓ ସମ୍ଭାବ୍ୟ ବିପଦ ଅଞ୍ଚଳରେ ହେଉଥିବା ପରିବର୍ତ୍ତନର ଆକଳନ କରାଯିବ। ଆଧୁନିକ ସେନ୍ସର, ଜଳସ୍ତର ମାପ ଯନ୍ତ୍ର ଓ ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ ପ୍ରାକ୍‌ ସତର୍କ ସୂଚନା ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରାଯିବ। ସୁରକ୍ଷିତ ସ୍ଥାନାନ୍ତର ପଥ, ବିପଦପ୍ରବଣ ଅଞ୍ଚଳର ମାନଚିତ୍ର ପ୍ରସ୍ତୁତି, ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଏବଂ ସ୍ଥାନୀୟସ୍ତରରେ ସତର୍କ ସୂଚନା ବ୍ୟବସ୍ଥା ଉପରେ ମଧ୍ୟ ଧାମୀ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାପାଳମାନଙ୍କୁ ବିପଦପ୍ରବଣ ଅଞ୍ଚଳଗୁଡ଼ିକର ନିୟମିତ ନିରୀକ୍ଷଣ କରି କୌଣସି ଅସ୍ୱାଭାବିକ ଘଟଣା ଦେଖିଲେ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button