
ମାଲକାନଗିରି: ବିଦ୍ୟୁତ୍ ସଂଯୋଗ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଟିପିଏସଓଡିଏଲ୍ କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ।
ଆଜି ମାଲକାନଗିରି ଟିପିଏସଓଡିଏଲର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ଓ ଭଞ୍ଜକିଶୋର ସ୍ୱାଇଁ (ବେସରକାରୀ ବ୍ୟକ୍ତି) ଜଣେ ଇଟା କାରଖାନା ମାଲିକଙ୍କ ଠାରୁ ତାଙ୍କ ଇଟା କାରଖାନାକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଏବଂ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଏହାପରେ ଓଡ଼ିଶା ଭିଜିଲାନ୍ସର ଏକ ଦଳ ଆଜି ଶ୍ରୀ ନାୟକ ଏବଂ ତାଙ୍କ ସହଯୋଗୀ ଶ୍ରୀ ସ୍ୱାଇଁଙ୍କୁ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟରୁ ଇଟା କାରଖାନା ମାଲିକଙ୍କ ଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛନ୍ତି। ସେମାନଙ୍କଠାରୁ ସମ୍ପୂର୍ଣ୍ଣ ୨୦,୦୦୦ ଟଙ୍କା ଲାଞ୍ଚ ଟଙ୍କା ଉଦ୍ଧାର ଏବଂ ଜବତ କରାଯାଇଛି।
ଏହାପରେ ଟିପିଏସଓଡିଏଲର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକଙ୍କ ସହିତ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।
ମାମଲାର ତଦନ୍ତ ଜାରି
ଏହି ସମ୍ପର୍କରେ, ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ କୋରାପୁଟ ଭିଜିଲାନ୍ସ ପିଏସ୍ ମାମଲା ନଂ ୦୧/୨୦୨୬, ୭ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ରୁଜୁ କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି।
ମାଲକାନଗିରି ସଦର ମହକୁମାରେ ରହିଥିବା ଟାଟା ପାଵାରର ସେକ୍ସନ ଅଫିସରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ଭିଜିଲାନସ ଜାଲରେ ପଡ଼ିଛନ୍ତି। ସେ ୨୦ ହଜାର ଟଂକା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ମାଡି ବସିଛି। ସୂଚନା ଅନୁଯାୟୀ ଟୁନୁ ନାୟକ ନାମକ ଜଣେ ଉପଭୋକ୍ତା ନିଜ ଇଟା ଫ୍ୟାକ୍ଟ୍ରିକୁ ବିଦ୍ୟୁତ ସଂଯୋଗ ନେଇ ବାରମ୍ବାର କନିଷ୍ଠ ଯନ୍ତ୍ରୀଙ୍କ ପାଖକୁ ଦୌଡ଼ିଥିଲେ। କିନ୍ତୁ ତାଂକୁ ସେ ବିଭିନ୍ନ ସମସ୍ୟା କହିବା ସହ ଆଳ ଦେଖାଇ ଚାଲିଲେ। ଶେଷରେ ୨୦ ହଜାର ଟଂକା ନଦେଲେ ସେ ବିଦ୍ୟୁତ ସଂଯୋଗ କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ। ଉପଭୋକ୍ତା ଟୁନୁ ନାୟକ ବାଧ୍ୟ ହୋଇ ଭିଜିଲାନସର ସହଯୋଗ ଲୋଡିଥିଲେ।
ଆଜି ସକାଳେ ଡିଏନକେ ସ୍ଥିତ ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟ ସମ୍ମୁଖରେ ଟଂକା ନେଇ ନିକଟରେ ରହିଥିବା ବହି ଦୋକାନୀ ଭଞ୍ଜ କିଶୋର ସ୍ବାଇଁଙ୍କୁ ଟଂକା ଦେଇଥିଲେ। ଏହି ସମୟରେ ଛପି ରହିଥିବା ଭିଜିଲାନସ କର୍ମଚାରୀ ଚଢ଼ାଉ କରିଥିଲେ। ଭିଜିଲାନସ ଅଧିକାରୀ ୨୦ ହଜାର ଟଂକା ଜବତ କରିବା ସହ କନିଷ୍ଠ ଯନ୍ତ୍ରୀ ଶ୍ରୀ ନାୟକଙ୍କ ହାତ ଧୋଇବା ସହ ବହି ଦୋକାନ ମାଲିକ ଭଞ୍ଜକିଶୋର ସ୍ୱାଇଁଙ୍କୁ ତୁରନ୍ତ କାବୁ କରି ଭିଜିଲାନସ କାର୍ଯ୍ୟାଳୟକୁ ନେଇଥିଲେ। ଏଥିସହ କନିଷ୍ଠ ଯନ୍ତ୍ରୀ ଶ୍ରୀ ନାୟକଙ୍କ ଡିଭିଜନାଲ କାର୍ଯ୍ୟାଳୟ,ତାଂକ କ୍ବାଟରରେ ଏକାକାଳୀନ ତଦନ୍ତ କରୁଛି ଭିଜିଲାନସ। ତେବେ ତଦନ୍ତ ଚାଲିଥିବାରୁ ବର୍ତ୍ତମାନ ସୁଦ୍ଧା କେତେ ସ୍ଥାବର ଓ ଅସ୍ଥାବର ସଂପତ୍ତି ରହିଛି ତାହା ଜଣାପଡି ନାହିଁ। ଯନ୍ତ୍ରୀ ଶ୍ରୀ ନାୟକ ଏବଂ ବହି ଦୋକାନୀ ଭଞ୍ଜକିଶୋର ସ୍ୱାଇଁଙ୍କ ନାମରେ କେଶ ରୁଜୁ କରାଯାଇଥିବା ଡିଏସପି ସଦାନନ୍ଦ ପାଣି ପ୍ରକାଶ କରିଛନ୍ତି। ଏହି ଚଢାଉରେ ଜୟପୁର ଭିଜିଲାନସ ଏବଂ ମାଲକାନଗିରି ଭିଜିଲାନସ ବିଭାଗର ଦୁଇ ଜଣ ଡିଏସପିଙ୍କ ସମେତ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ।
ସୌଜନ୍ୟ ସମ୍ବାଦ




