ଖେଳ

Vijay Hazare Trophy: ବିଜୟ ହଜାରେ ଟ୍ରଫି: ଚତୁର୍ଥ ପରାଜୟ ସହ ଓଡ଼ିଶାର ଅଭିଯାନ ଶେଷ

ବିଜୟ ହଜାରେ ଟ୍ରଫି ଘରୋଇ ବିସିସିଆଇ ପ୍ରତିଯୋଗିତାରେ ଓଡ଼ିଶା ଚତୁର୍ଥ ପରାଜୟ ସହ ଅଭିଯାନ ଶେଷ କରିଛି। ନକ୍‌ଆଉଟ୍‌ ଯୋଗ୍ୟତା ଅର୍ଜନରେ ବିଫଳ ଓଡ଼ିଶା ୭ଟି ମ୍ୟାଚ୍‌ରୁ ୩ ବିଜୟ ସହ ଏଲିଟ୍‌ ଗ୍ରୁପ୍‌-ଡି’ରେ ଷଷ୍ଠରେ ରହି ଅଭିଯାନ ଶେଷ କରିଛି।

ଭୁବନେଶ୍ବର: ବିଜୟ ହଜାରେ ଟ୍ରଫି ଘରୋଇ ବିସିସିଆଇ ପ୍ରତିଯୋଗିତାରେ ଓଡ଼ିଶା ଚତୁର୍ଥ ପରାଜୟ ସହ ଅଭିଯାନ ଶେଷ କରିଛି। ନକ୍‌ଆଉଟ୍‌ ଯୋଗ୍ୟତା ଅର୍ଜନରେ ବିଫଳ ଓଡ଼ିଶା ୭ଟି ମ୍ୟାଚ୍‌ରୁ ୩ ବିଜୟ ସହ ଏଲିଟ୍‌ ଗ୍ରୁପ୍‌-ଡି’ରେ ଷଷ୍ଠରେ ରହି ଅଭିଯାନ ଶେଷ କରିଛି। ଗୁରୁବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶାକୁ ରେଳବାଇ ୫ ୱିକେଟ୍‌ରେ ହରାଇ ଦେଇଥିଲା। ଓଡ଼ିଶା ଟସ୍‌ ହାରି ବ୍ୟାଟିଂ କରିଥିଲା। ସ୍ବସ୍ତିକ ସାମଲ (୯), ଓମ୍‌ ଟି ମୁଣ୍ଡେ (୧୯), ଗୋବିନ୍ଦ ପୋଦ୍ଦାର (୧୯), ଶାନ୍ତନୁ ମିଶ୍ର (୨୩) ଶସ୍ତାରେ ଆଉଟ୍‌ ହୋଇଯିବାରୁ ଓଡ଼ିଶା ୭୨/୪ରେ ସଂଘର୍ଷ କରିଥିଲା। ଅଧିନାୟକ ବିପ୍ଳବ ସାମନ୍ତରାୟ (୪୩) ଏବଂ ଯୁବ ତାରକା ସମ୍ବିତ ବରାଳ (୬୫ ବଲ୍‌ରୁ ୫୦ ରନ୍‌, ୩ ଚୌକା, ୧ ଛକା) ପଞ୍ଚମ ୱିକେଟ୍‌ ପାଇଁ ୧୬.୫ ଓଭରରେ ୮୦ ରନ୍ ଯୋଡ଼ି ସ୍ଥିତି ସମ୍ଭାଳିବା ପରେ ସୌମ୍ୟ ଲେଙ୍କା (୩୬ ବଲ୍‌ରୁ ୫୬ ରନ, ୫ ଚୌକା, ୪ ଛକା) ଓଡ଼ିଶାକୁ ୨୫୧ ରନ୍‌ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ପ୍ରଥମ ପଦାର୍ପଣକାରୀ ୱିକେଟ୍‌ରକ୍ଷକ ଦିନେଶ ମାଝୀ (୨୮ ବଲ୍‌ରୁ ୧୫ ରନ୍, ୨ ଷ୍ଟମ୍ପିଂ) ବିଶେଷ ପ୍ରଭାବ ଛାଡ଼ିପାରି ନଥିଲେ। ରାଜ ଚୌଧୁରୀ ଓ ବରୁଣ ଲାଲ ୩ ଲେଖାଏଁ ୱିକେଟ୍‌ ଦଖଲ କରିବାରୁ ଓଡ଼ିଶା ପାଳି ୪୯.୧ ଓଭରରେ ଶେଷ ହୋଇଯାଇଥିଲା। ଜବାବରେ ରେଳବାଇ ୪୫.୨ ଓଭରରେ ୫ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ୨୮ ବର୍ଷୀୟ ଲକ୍ଷ୍ନୌ ବ୍ୟାଟର୍‌ ସାହାବ ଯୁବରାଜ ସିଂହ (୧୩୪ ବଲ୍‌ରୁ ୧୧୮* ରନ୍‌) ନିଜ ଦ୍ବିତୀୟ ଲିଷ୍ଟ୍‌-ଏ ଶତକ ସହିତ ଓଡ଼ିଶାକୁ ହରାଇ ଦେଇଥିଲେ। ଗୋବିନ୍ଦ ‌ପୋଦ୍ଦାର ୨ ୱିକେଟ୍‌ ଏବଂ ଦେବବ୍ରତ ପ୍ରଧାନ, ସମ୍ବିତ ବରାଳ, ଓମ୍‌ ଟି ମୁଣ୍ଡେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ସର୍ଫରାଜଙ୍କ ୧୫ ବଲ୍‌ ଅର୍ଦ୍ଧଶତକ
ପଞ୍ଜାବ ବିପକ୍ଷରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ସର୍ଫରାଜ ଖାନ୍‌ ଗୁରୁବାର ମାତ୍ର ୧୫ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ଲିଷ୍ଟ୍‌-ଏରେ ଦ୍ରୁତତମ ଭାରତୀୟ ବ୍ୟାଟର୍‌ ହୋଇଛନ୍ତି। ପୂର୍ବରୁ ଏହି ରେକର୍ଡ ଅଭିଜିତ କାଲେ ଓ ଅତୀତ ସେଠଙ୍କ ନାମରେ ଥିଲା। ଉଭୟ ୧୬ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସର୍ଫରାଜଙ୍କ ୨୦ ବଲ୍‌ ୬୨ ରନ୍‌ ସତ୍ତ୍ବେ ମୁମ୍ବାଇ କିନ୍ତୁ ଏହି ମ୍ୟାଚ୍‌ ମାତ୍ର ୧ ରନ୍‌ରେ ହାରିଯାଇଛି। ପଞ୍ଜାବର ୨୧୬ ଜବାବରେ ମୁମ୍ବାଇ ୨୧୫ ରନ୍‌ରେ ଅଲ୍‌ଆଉଟ୍‌ ‌ହୋଇଯାଇଥିଲା। ସର୍ଫରାଜ ପଞ୍ଜାବ ଅଧିନାୟକ ଅଭିଷେକ ଶର୍ମାଙ୍କ ଗୋଟିଏ ଓଭରରେ ୩ ଛକା ଓ ୩ ଚୌକା ସହ ୩୦ ରନ୍ ଆଦାୟ କରିବା ମଧ୍ୟ ଅନ୍ୟତମ ଚର୍ଚ୍ଚିତ ଖବର ରହିଛି।

ଗାଏକ୍ବାଡ୍‌ଙ୍କ ରେକର୍ଡ
ବିଜୟ ହଜାରେ ଟ୍ରଫିରେ ଋତୁରାଜ ଗାଏକ୍ବାଡ୍‌ ଗୁରୁବାର ଏକ ବିଶ୍ବ ରେକର୍ଡ କହିଛନ୍ତି। ଏହି ପ୍ରତିଯୋଗିତାରେ ସେ ଦ୍ରୁତତମ ଭାବେ ୧୫ ଶତକ (୫୭* ପାଳି) ଅର୍ଜନ କରିଛନ୍ତି। ଏ ‌କ୍ଷେତ୍ରରେ ସେ ଅଙ୍କିତ ବା‌ୱେନ୍‌ (୧୫ ଶତକ, ୯୪ ପାଳି)ଙ୍କୁ ପଛରେ ପକାଇଛନ୍ତି। ୧୦୦ ମ୍ୟାଚ୍‌ ଭିତରେ ୨୦ ଲିଷ୍ଟ୍‌-ଏ ଶତକ ହାସଲ କରି ସେ ମଧ୍ୟ ବିଶ୍ବ ରେକର୍ଡ କରିଛନ୍ତି। ସର୍ବନିମ୍ନ ୫୦ ପାଳି ବିଚାରରେ ସର୍ବୋଚ୍ଚ ହାରାହାରିରେ ମଧ୍ୟ ଗାଏକ୍ବାଡ୍ (୫୮.୮୩) ଅଷ୍ଟ୍ରେଲିଆର ମାଇକେଲ୍ ବେଭାନ (୫୭.୮୬)କୁ ପଛରେ ପକାଇଛନ୍ତି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button