Violence by BJP workers: ସତ୍ୟବାଦୀ ବ୍ଲକ୍ କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କ ହିଂସାକାଣ୍ଡ: ୧୫୦ କର୍ମୀଙ୍କ ନାମରେ ଏତଲା, ୪ ଅଟକ
ଗତ ଗୋପବନ୍ଧୁ ଜୟନ୍ତୀ ସଭାରେ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଭାଷଣକୁ ନେଇ ଆରମ୍ଭ ହୋଇଥିବା ରାଜନୈତିକ ବିବାଦ ଆଜି ହିଂସାକାଣ୍ଡର ରୂପ ନେଇଛି। ଆଜି ଶତାଧିକ ବିଜେପି କର୍ମୀ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ କାର୍ଯ୍ୟାଳୟରେ ପଶି ବ୍ୟାପକ...

ସାକ୍ଷୀଗୋପାଳ: ଗତ ଗୋପବନ୍ଧୁ ଜୟନ୍ତୀ ସଭାରେ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଭାଷଣକୁ ନେଇ ଆରମ୍ଭ ହୋଇଥିବା ରାଜନୈତିକ ବିବାଦ ଆଜି ହିଂସାକାଣ୍ଡର ରୂପ ନେଇଛି। ଆଜି ଶତାଧିକ ବିଜେପି କର୍ମୀ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। କମ୍ପ୍ୟୁଟର, ଲାପଟପ୍, ଟିଭି, ପ୍ରିଣ୍ଟର ଓ ସିସିଟିଭି ହାର୍ଡଡିସ୍କ ଆଦି ସାମଗ୍ରୀକୁ ଭାଙ୍ଗିରୁଜି ଦିଆଯାଇଥିବା ଜଣାପଡ଼ିଛି। ଏପରିକି ସରକାରୀ କାଗଜପତ୍ରକୁ ଫିଙ୍ଗାଫୋପଡ଼ା କରାଯାଇଛି। ଏପରିକି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ନିକଟରେ ଥିବା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ମଧ୍ୟ ବାଦ ପଡ଼ିନାହିଁ।
ଆଜି ପୂର୍ବାହ୍ନ ୧୧ଟା ୩୦ରେ କିଛି ବିଜେପି କର୍ମୀ ଦଳୀୟ ଉତ୍ତରୀୟ ପକାଇ ବିଧାୟକଙ୍କ ସପକ୍ଷରେ ସ୍ଳୋଗାନ୍ ଦେବା ସହ ବିଜେଡି ବିରୋଧରେ ନାରାବାଜି କରିଥିଲେ। ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା କାର୍ଯ୍ୟାଳୟରେ ଉପସ୍ଥିତ ନ ଥିବାର ସୁଯୋଗ ନେଇ ତାଙ୍କ କାର୍ଯ୍ୟାଳୟର କବାଟ ଓ ଝରକା ଭାଙ୍ଗି ଭିତରେ ପଶି ଭଙ୍ଗାରୁଜା କରିଥିଲେ। ଆଲମାରିରେ ଥିବା ସରକାରୀ କାଗଜପତ୍ର ଓ ବହିପତ୍ର ଫିଙ୍ଗି ଦେଇଥିଲେ। ଖବରପାଇ ଅଧ୍ୟକ୍ଷଙ୍କ ଭାଇ ଶୁଭେନ୍ଦୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ତାଙ୍କୁ ମଧ୍ୟ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା। ତାଙ୍କ ନାକ ଫାଟି ରକ୍ତ ବାହାରିଥିଲା। ଚିକିତ୍ସା ପାଇଁ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାକୁ ନିଆଯାଇଥିଲା।
୧୫୦ କର୍ମୀଙ୍କ ନାମରେ ଏତଲା, ୪ ଅଟକ
ସମିତି ଅଧ୍ୟକ୍ଷଙ୍କ ଭାଇଙ୍କ ନାକ ଫାଟିଲା
ବିଜେଡି ପକ୍ଷରୁ ବ୍ଲକ୍ ସମ୍ମୁଖରେ ଧାରଣା
ଖବରପାଇ ଅଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କ ସମେତ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ରୁଦ୍ର ମହାରଥୀ ଓ ବିଜେଡି ନେତା ସୁବ୍ରତ ଛାଟୋଇ ପ୍ରମୁଖ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିବା ସହ ଏଭଳି ହିଂସାକାଣ୍ଡକୁ ନିନ୍ଦା କରିଥିଲେ। ସନ୍ଧ୍ୟାରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ଧାରଣା ଦିଆଯାଇଥିଲା। ଏଥିରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ନାରାୟଣ ରାଉତରାୟ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ସୁବ୍ରତ ଛାଟୋଇଙ୍କ ସମେତ ଶତାଧିକ ବିଜେଡି ସମର୍ଥକ ସାମିଲ ହୋଇଥିଲେ। ଘଟଣାସ୍ଥଳରେ ପିପିଲି ଏସ୍ଡିପିଓ ଦେବାଶିଷ ମିଶ୍ର, ସତ୍ୟବାଦୀ ବିଡିଓ ଦେବାଶିଷ ନାୟକ, ଥାନା ଅଧିକାରୀ ସୌମ୍ୟରଞ୍ଜନ ମହାଳିକ, ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଓମ୍ ପ୍ରକାଶ ପରିଡ଼ା, କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ଅଧିକାରୀ ରୋଷନ ରଞ୍ଜନ ଓ ଚିତ୍ତରଞ୍ଜନ ରାଉତରାୟ ଏବଂ ପୁରୀ ସ୍ପେସାଲ ବ୍ରାଞ୍ଚ ଅଧିକାରୀ ବିଜୟ ପ୍ରଧାନଙ୍କ ସମେତ ପୁଲିସ ଫୋର୍ସ ମୁତୟନ ରହିଥିଲେ।
ସୌଜନ୍ୟ ସମ୍ବାଦ




