ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ବୃନ୍ଦାବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ଶ୍ରୀ ହରିହରନ ଯୋଗଦେଇ ସମସ୍ତ ଦର୍ଶକମାନଙ୍କୁ ହୋଲି ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
ବୃନ୍ଦାବନ ମହୋତ୍ସବର ପ୍ରଥମାର୍ଦ୍ଧରେ ବୃନ୍ଦାବନ ଗୁରୁକୁଳର ଶିଳ୍ପୀମାନେ ସାମୂହିକ ବଂଶୀବାଦନ କରିଥିଲେ। “ବୈଷ୍ଣବ ଜନ ତୋ ତେନେ କହିୟେ” ଏବଂ “ରଙ୍ଗ ବରସେ” ସଙ୍ଗୀତକୁ ବଂଶୀରେ ଉଜ୍ଜୀବିତ କରିଥିଲେ ଶିଳ୍ପୀବୃନ୍ଦ। ତବଲାରେ ଶ୍ରୀ ବିଶ୍ୱ ରଞ୍ଜନ ନନ୍ଦ, ଢୋଲରେ ଶ୍ରୀ ବୈଭବ ଦାସ, ଗିଟାରରେ ଶ୍ରୀ ରୁପେଶ ଜୀବନ ବଂଶୀବାଦକମାନଙ୍କୁ ସହଯୋଗ କରିଥିଲେ।
ଏହାପରେ ପଦ୍ମଶ୍ରୀ ଶ୍ରୀ ହରିହରନ ନିଜର ସଙ୍ଗୀତ ପରିବେଷଣ ମାଧ୍ୟମରେ ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ପ୍ରଥମେ ଠୁମ୍ରୀ “ତୁ ଆଜା କାହ୍ନା” ଏବଂ ପରେପରେ “ଏସି ହୋରି ନା ଖେଲୋ କହ୍ନାଇରେ” ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ଶ୍ରୀ ହରିହରନ। ଏହାପରେ “ଲୋଗ କେହତେ ହେ ଅଜନବି ତୁମ୍ ହୋ”, “ଝୁମ୍ ଲେ ହସ ବୋଲ ଲେ”, “ନିଶାନ ୟୁଁ ତୋ ଥେ”, “ୱ୍ୱୋ ନେହିଁ ମେରା ମଗର”, ସେହେର ଦର ସେହେର” “ରଞ୍ଜିସ ହି ସହି” ଆଦି ଗଜଲକୁ ଖୁବ ସୁନ୍ଦର ଭାବେ ପରିବେଷଣ କରିଥିଲେ ଶ୍ରୀ ହରିହରନ, ଯାହାକୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ସଙ୍ଗୀତଜ୍ଞ ପଦ୍ମ ବିଭୂଷଣ ଶ୍ରୀ ହରିପ୍ରସାଦ ଚୌରସିଆ, ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ, ସ୍ଵରାଷ୍ଟ୍ର ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଶକ୍ତି ବିଭାଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥୀ ଏସ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲବନ୍ତ ସିଂହ, ଆଇଜି ଶ୍ରୀମତୀ ସାଇନି ଏସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ