ମନୋରଞ୍ଜନ
Taapsee Pannu: ତାପସୀଙ୍କ ମୋହଭଙ୍ଗ

ତାପସୀ ପନ୍ନୁ ନିଖୁଣ ସୌନ୍ଦର୍ଯ୍ୟ ହାସଲ ଚାପରେ ପଡ଼ି ଅତୀତରେ ନିଜକୁ ବହୁତ କଷ୍ଟ ଦେଇଛନ୍ତି ବୋଲି ନିକଟରେ ସ୍ବୀକାର କରିଛନ୍ତି। ଏହା ଏକ ସାଧାରଣ କଥା ଯେ କ୍ଷୀଣକଟୀ ମହିଳାମାନଙ୍କୁ ମନୋରଂଜନ ଶିଳ୍ପରେ ଆଦର୍ଶ ଭାବେ ଦେଖାଯାଇଥାଏ। ସେମାନଙ୍କୁ ଅଧିକ ଗୁରୁତ୍ବ ଓ କାମ ମଧ୍ୟ ମିଳେ। ତେଣୁ ତାପସୀ ମଧ୍ୟ ଏକଦା ନିଜ ଉଦରରୁ ସବୁତକ ଚର୍ବି ତରଳାଇ ସମତଳ ପେଟ ହାସଲ କରିବା ପାଇଁ ନିଜକୁ ବହୁ କଟକଣା ମଧ୍ୟରେ ରଖିଥିଲେ। ସେ ପ୍ରକାଶ କରିଛନ୍ତି ଯେ ଛୋଟ ବେଳୁ ସମତଳ ଉଦର ପ୍ରତି ତାଙ୍କର ଅହେତୁକ ମୋହ ଥିଲା। ଏହାର କାରଣ ହେଲା ସେ ଲକ୍ଷ୍ୟ କରିଥିଲେ ଯେ ସର୍ବଦା ଫିଟ୍ ଥିବା ସତ୍ତ୍ବେ ତାଙ୍କ ପେଟର ଚର୍ବି ଆସ୍ତରଣ ବଜାୟ ରହୁଥିଲା। ଏହାକୁ ଦୂର କରିବା ପାଇଁ ସେ ଅତିରିକ୍ତ ବ୍ୟାୟାମ କରିବାକୁ ଲାଗିଲେ। ତେବେ କ୍ଷୀଣକଟୀ ରୂପକୁ ବଜାୟ ରଖିବା ପ୍ରକ୍ରିୟାରେ ସେ ଅନେକ କାଳ ଧରି ନିଜ ଶରୀର ଉପରେ ଏକପ୍ରକାର ଅତ୍ୟାଚାର କରିଥିଲେ।




