ଦେଶ ବିଦେଶ

Weather: ଘରୋଇ କମ୍ପ୍ୟୁଟରରେ ବର୍ଷା ପୂର୍ବାନୁମାନ କରୁଛନ୍ତି ଆଇଆଇଟି ପ୍ରଫେସର ସାଧାରଣ ଲୋକ ବି ଜାଣିପାରିବେ ପାଣିପାଗ

ବର୍ଷା କେବେ ହେବ, କେଉଁ ଅଞ୍ଚଳରେ କେତେ ପରିମାଣରେ ହେବ, ତାହା ଜାଣିବା ପାଇଁ ଆଉ ବଡ଼ ପାଣିପାଗ କେନ୍ଦ୍ର କିମ୍ବା ଅତ୍ୟାଧୁନିକ ସୁପର କମ୍ପ୍ୟୁଟର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏକ ସାଧାରଣ ଡେସ୍କଟପ୍ କମ୍ପ୍ୟୁଟରରେ ୭୨ ଘଣ୍ଟାର ବର୍ଷା...

ଚେନ୍ନାଇ: ବର୍ଷା କେବେ ହେବ, କେଉଁ ଅଞ୍ଚଳରେ କେତେ ପରିମାଣରେ ହେବ, ତାହା ଜାଣିବା ପାଇଁ ଆଉ ବଡ଼ ପାଣିପାଗ କେନ୍ଦ୍ର କିମ୍ବା ଅତ୍ୟାଧୁନିକ ସୁପର କମ୍ପ୍ୟୁଟର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏକ ସାଧାରଣ ଡେସ୍କଟପ୍ କମ୍ପ୍ୟୁଟରରେ ୭୨ ଘଣ୍ଟାର ବର୍ଷା ପୂର୍ବାନୁମାନ କରି ଏହାକୁ ସାଧାରଣ ଲୋକଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଇଛନ୍ତି ଆଇଆଇଟି ମାଡ୍ରାସର ପ୍ରଫେସର ଅରବିନ୍ଦ ପଟ୍ଟମଟ୍ଟା।

ଆଇଆଇଟି ମାଡ୍ରାସର ଯାନ୍ତ୍ରିକ ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ପ୍ରଫେସର ପଟ୍ଟମଟ୍ଟା ନିଜର ଆଗ୍ରହରୁ ଏହି ବ୍ୟବସ୍ଥା ବିକଶିତ କରିଛନ୍ତି। ଏଥିପାଇଁ ସେ କୌଣସି ବଡ଼ କମ୍ପ୍ୟୁଟର ବ୍ୟବହାର କରୁନାହାନ୍ତି। ନିଜ ଘରୋଇ ଡେସ୍କଟପ୍‌ରେ ଏହି ପୂର୍ବାନୁମାନ ପ୍ରସ୍ତୁତ କରୁଛନ୍ତି। ପ୍ରତି ତିନିଦିନରେ ଥରେ ଏକ ନିର୍ଦ୍ଦେଶ ଦେବା ପରେ କମ୍ପ୍ୟୁଟର ନିଜେ ପାଣିପାଗ ତଥ୍ୟ ସଂଗ୍ରହ, ବର୍ଷାର ଆକଳନ, ମାନଚିତ୍ର ପ୍ରସ୍ତୁତି ଓ ୱେବ୍‌ସାଇଟ୍‌ରେ ତଥ୍ୟ ପ୍ରକାଶ କରିବା କାମ କରୁଛି।

ଏଥିପାଇଁ ସେ ‘ୱେଦର ରିସର୍ଚ୍ଚ ଆଣ୍ଡ୍ ଫୋରକାଷ୍ଟିଂ’ (ଡବ୍ଲ୍ୟୁଆର୍‌ଏଫ୍‌) ନାମକ ଏକ ମୁକ୍ତ ସଫ୍ଟୱେର୍‌ ବ୍ୟବହାର କରୁଛନ୍ତି। ଏହି ସଫ୍ଟୱେର୍‌ ମାଧ୍ୟମରେ ବାୟୁମଣ୍ଡଳକୁ ତ୍ରିମାତ୍ରିକ ଗ୍ରିଡ୍‌ରେ ବିଭକ୍ତ କରି ପାଣିପାଗର ପରିବର୍ତ୍ତନ ଆକଳନ କରାଯାଏ। ତାଙ୍କ ବ୍ୟବସ୍ଥାରେ ପ୍ରତ୍ୟେକ ଗ୍ରିଡ୍‌ର ଆକାର ୮ କିଲୋମିଟର ରହିଛି ଏବଂ ଏହା ପ୍ରାୟ ୧୧ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳକୁ ଅନୁଧ୍ୟାନ କରେ। ଆବଶ୍ୟକତା ଅନୁଯାୟୀ ଆହୁରି ଛୋଟ ଗ୍ରିଡ୍‌ ବ୍ୟବହାର କରି ଅଧିକ ସୂକ୍ଷ୍ମ ପୂର୍ବାନୁମାନ ମଧ୍ୟ କରାଯାଇପାରିବ।

ଏହି ବ୍ୟବସ୍ଥା ୟୁରୋପୀୟ କେନ୍ଦ୍ର ଫର୍‌ ମିଡିୟମ୍‌ ରେଞ୍ଜ୍‌ ୱେଦର ଫୋରକାଷ୍ଟସ୍‌ (ଇସିଏମ୍‌ଡବ୍ଲ୍ୟୁଏଫ୍‌) ଏବଂ ଆମେରିକାର ଗ୍ଲୋବାଲ୍‌ ଫୋରକାଷ୍ଟ ସିଷ୍ଟମ୍‌ରୁ ପାଣିପାଗ ସମ୍ପର୍କିତ ତଥ୍ୟ ସଂଗ୍ରହ କରେ। ଦକ୍ଷିଣ ଭାରତ ପାଇଁ ପୂର୍ବାନୁମାନ ପ୍ରସ୍ତୁତ କରିବାକୁ ପ୍ରାୟ ୪ ଘଣ୍ଟା ଏବଂ ସମଗ୍ର ଭାରତ ପାଇଁ ପ୍ରାୟ ୮ ଘଣ୍ଟା ସମୟ ଲାଗୁଛି। ପ୍ରଫେସର ପଟ୍ଟମଟ୍ଟା କେବଳ କମ୍ପ୍ୟୁଟର ଦେଉଥିବା ତଥ୍ୟ ଉପରେ ନିର୍ଭର କରନ୍ତି ନାହିଁ। ବାସ୍ତବ ପାଣିପାଗ ତଥ୍ୟ ସହ ତାହାକୁ ମିଳାଇ ଯାଞ୍ଚ କରନ୍ତି। ବର୍ଷା ହେବାର ସମ୍ଭାବନା ୧୦ରୁ ୨୦ ପ୍ରତିଶତ ଥିଲେ ତାହାକୁ ଭରସାଯୋଗ୍ୟ ବୋଲି ଧରିବା କଷ୍ଟକର। ଅନ୍ୟପକ୍ଷରେ ୭୦ରୁ ୮୦ ପ୍ରତିଶତ ସମ୍ଭାବନା ଥିଲେ ପୂର୍ବାନୁମାନ ଅଧିକ ବିଶ୍ୱସନୀୟ ହୋଇଥାଏ ବୋଲି ସେ କହିଛନ୍ତି।

ତେବେ ଏହି ବ୍ୟବସ୍ଥାର କିଛି ସୀମାବଦ୍ଧତା ମଧ୍ୟ ରହିଛି। ୮ କିଲୋମିଟର ଗ୍ରିଡ୍‌ରେ ଛୋଟ ଛୋଟ ମେଘ ଓ ସେଥିରୁ ହେଉଥିବା ବର୍ଷାକୁ ସ୍ପଷ୍ଟ ଭାବେ ଚିହ୍ନଟ କରିବା ସମ୍ଭବ ନୁହେଁ। ୭୨ ଘଣ୍ଟା ପରେ ପୂର୍ବାନୁମାନର ସଠିକତା ମଧ୍ୟ ହ୍ରାସ ପାଏ। ତେବେ ଏହା ସରକାରୀ ପାଣିପାଗ ବିଭାଗର ବିକଳ୍ପ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସାଧାରଣ ଲୋକ, ଚାଷୀ ଓ ଗ୍ରାମାଞ୍ଚଳର ବାସିନ୍ଦା ଯେପରି ସହଜରେ ପାଣିପାଗ ପୂର୍ବାନୁମାନ ବୁଝିପାରିବେ, ସେଥିପାଇଁ ଏହି ବ୍ୟବସ୍ଥାକୁ ମାଗଣାରେ ଉପଲବ୍ଧ କରାଇବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button