କୋଲକାତା: ମମତା ବାନାର୍ଜୀ ତିନି ଦଶନ୍ଧି ପୂର୍ବେ ଗଠନ କରିଥିବା ତୃଣମୂଳ କଂଗ୍ରେସ (ଟିଏମ୍ସି) ଉପରେ ନିୟନ୍ତ୍ରଣ ହରାଇବାକୁ ଯାଉଛନ୍ତି କି? ସମ୍ଭାବ୍ୟ ଦଳବଦଳ, ଏକ ହୋଟେଲରେ ୫୦ରୁ ଅଧିକ ବିଧାୟକଙ୍କ ଗୁପ୍ତ ବୈଠକ ଏବଂ ଏକ ବିଦ୍ରୋହୀ ଗୋଷ୍ଠୀର ଆବିର୍ଭାବ ଏପରି ଗୁଜବକୁ ଇନ୍ଧନ ଯୋଗାଇଛି। ବିଦ୍ରୋହୀ ବିଧାୟକମାନେ ଟିଏମ୍ସି ଓ ଏହାର ନିର୍ବାଚନ ଚିହ୍ନ ଉପରେ ଦାବି କରିପାରନ୍ତି। ନିଲମ୍ବିତ ହୋଇଥିବା ଦଳର ଜାତୀୟ ମୁଖପାତ୍ର ଋଜୁ ଦତ୍ତ ଏପରି ସମ୍ଭାବନା ପ୍ରକାଶ କରିଛନ୍ତି।
ତୃଣମୂଳ କଂଗ୍ରେସ ମଧ୍ୟରେ ସଙ୍କଟ ଗଭୀର ହେବାରେ ଲାଗିଛି ଏବଂ ମମତା ତାଙ୍କ ଦଳକୁ ଏକାଠି ରଖି ଟିଏମ୍ସି ଉପରେ ନିୟନ୍ତ୍ରଣ ବଜାୟ ରଖିପାରିବେ କି ନାହିଁ ସେ ନେଇ ପ୍ରଶ୍ନ ଉଠୁଛି। ଗୁଜବ ମଧ୍ୟରେ ଋଜୁ ଦତ୍ତ ଦାବି କରିଛନ୍ତି ଯେ ପ୍ରାୟ ୫୦ ଜଣ ବିଧାୟକ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳରୁ ଅଲଗା ହେବା ଏବଂ ଏହାର ନିର୍ବାଚନୀ ପ୍ରତୀକ ଉପରେ ଦାବି କରିବାକୁ ଚାହୁଛନ୍ତି। ୧୯୯୮ରେ ମମତା ବାନାର୍ଜୀ ଦଳ ପ୍ରତିଷ୍ଠା କରିବା ପରଠାରୁ ଟିଏମ୍ସି ବୋଧହୁଏ ଏହାର ସବୁଠାରୁ ବଡ ଆଭ୍ୟନ୍ତରୀଣ ସଙ୍କଟ ଦେଇ ସଂଘର୍ଷ କରୁଛି।
ଟିଏମ୍ସିର ପ୍ରାୟ ୫୦ ଜଣ ବିଧାୟକ ଏକ ପୃଥକ୍ ବୈଠକରେ ଯୋଗ ଦେଇଥିବାର ଦାବି ସାମ୍ନାକୁ ଆସିବା ପରେ, ମଙ୍ଗଳବାର କୋଲକାତାର ରାଣୀ ରାସମଣି ଆଭେନ୍ୟୁରେ କେବଳ ହାତଗଣତି ବିଧାୟକ ଓ ସାଂସଦଙ୍କୁ ଦେଖିବାକୁ ମିଳିଥିଲା, ଯେଉଁଠାରେ ଦଳର ସୁପ୍ରିମୋ ମମତା ବାନାର୍ଜୀ ବୈଠକ କରୁଥିଲେ। ସେମାନଙ୍କ ମଧ୍ୟରେ ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ, ନୟନା ବନ୍ଦୋପାଧ୍ୟାୟ, ମଦନ ମିତ୍ର, ଅଶୋକ ଦେବ ଓ ଅସୀମା ପାତ୍ରଙ୍କ ସମେତ ସାଂସଦ ଡୋଲା ସେନ୍ ଓ କଲ୍ୟାଣ ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।
ବିରୋଧୀ ଦଳ ନେତାଙ୍କ ନିଯୁକ୍ତିରେ ନକଲି ଦସ୍ତଖତ, ଦୁଇ ବିଧାୟକ ଋତବ୍ରତ ବାନାର୍ଜୀ ଓ ସନ୍ଦୀପନ ସାହାଙ୍କ ବହିଷ୍କାରକୁ ନେଇ ବିବାଦ ଏବଂ ବିଧାୟକ ଓ ବରିଷ୍ଠ ନେତାମାନଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷର ଖବର ଦଳ ଭିତରେ ବିଦ୍ରୋହର କଳ୍ପନାଜଳ୍ପନାକୁ ଇନ୍ଧନ ଦେଇଛି। ଦତ୍ତ ଗଣମାଧ୍ୟମକୁ କହିଛନ୍ତି ଯେ ଅନେକ ନବନିର୍ବାଚିତ ଟିଏମ୍ସି ବିଧାୟକ ଚାହୁଛନ୍ତି ପଶ୍ଚିମବଙ୍ଗ ବିଧାନସଭାରେ ଋତବ୍ରତ ବାନାର୍ଜୀ ବିରୋଧୀ ଦଳ ନେତା (ଏଲ୍ଓପି) ହୁଅନ୍ତୁ। ମମତାଙ୍କ ନେତୃତ୍ୱାଧୀନ ଦଳ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ନାମ ପ୍ରସ୍ତାବ ଦେଇଛି। ମମତା ଓ ତାଙ୍କ ସହଯୋଗୀ କୁନାଲ ଘୋଷଙ୍କ ସମେତ ଟିଏମ୍ସି ନେତୃତ୍ୱ ଦଳ ମଧ୍ୟରେ ମତଭେଦ ଥିବା ସ୍ୱୀକାର କରିଛନ୍ତି।
ମମତା ଏକ ଫେସବୁକ୍ ଲାଇଭ୍ରେ କହିଛନ୍ତି, ପୁଲିସର ଚାପରେ ଟିଏମ୍ସି ବିଧାୟକମାନଙ୍କୁ ଧମକ ଦିଆଯାଉଛି। କୁନାଲ ଘୋଷ ବିଦ୍ରୋହୀ ବିଧାୟକମାନଙ୍କୁ ବିଭ୍ରାନ୍ତ ନ ହେବାକୁ ହାତ ଯୋଡ଼ି ନିବେଦନ କରିଛନ୍ତି। ଘୋଷ ଅଭିଯୋଗ କରିଛନ୍ତି ଯେ ଋତବ୍ରତ ଦଳର ନେତୃତ୍ୱକୁ ନ ଜଣାଇ ରୁଦ୍ଧଦ୍ୱାର ବୈଠକ ଆୟୋଜନ କରି ଦଳରେ ବିଭାଜନ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଋଜୁ ଦତ୍ତ କହିଛନ୍ତି ଯେ ନବନିର୍ବାଚିତ ଟିଏମ୍ସି ବିଧାୟକଙ୍କ ଏକ ଗୋଷ୍ଠୀ ବହିଷ୍କୃତ ବିଧାୟକ ଋତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବରେ ଉପସ୍ଥାପନ କରିବାକୁ ଚାହୁଛନ୍ତି। ସେମାନେ ନିଜକୁ ପ୍ରକୃତ ତୃଣମୂଳ କଂଗ୍ରେସ ବୋଲି ଦାବି କରୁଛନ୍ତି। ଏହି ୫୦ ଜଣ ବିଧାୟକ ତୃଣମୂଳ କଂଗ୍ରେସକୁ ଭାଙ୍ଗିବାକୁ ଚାହୁଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନ ଫଳ ପ୍ରକାଶ ପାଇବାର କିଛି ଦିନ ପରେ ମେ ୯ ତାରିଖରେ ଟିଏମ୍ସି ଏହାର ଜାତୀୟ ମୁଖପାତ୍ର ଋଜୁ ଦତ୍ତଙ୍କୁ ଛଅ ବର୍ଷ ପାଇଁ ଦଳରୁ ନିଲମ୍ବିତ କରିଥିଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍ସିର ପରାଜୟ ପରେ ଦଳ ବିରୋଧୀ ମନ୍ତବ୍ୟ ଓ ଅନୁଶାସନହୀନତା ହେତୁ ଦଳ ଏହି ପଦକ୍ଷେପ ନେଇଛି ବୋଲି କହିଛି। ଦତ୍ତ ଏକ ଭିଡିଓ ପୋଷ୍ଟ କରି ଅଭିଯୋଗ କରିଛନ୍ତି ଯେ ଟିଏମ୍ସି କର୍ମୀମାନେ ତାଙ୍କୁ ଓ ତାଙ୍କ ପରିବାରକୁ ଧମକ ଦେଉଛନ୍ତି ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିଥିବାରୁ ବିଜେପି ନେତାମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
୨୯୪ ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ଟିଏମ୍ସିର ୮୦ ବିଧାୟକ ଅଛନ୍ତି। ଦଳବଦଳ ବିରୋଧୀ ବ୍ୟବସ୍ଥା ଅଧୀନରେ, ଅଯୋଗ୍ୟତାକୁ ଏଡାଇବା ପାଇଁ ଏକ ବିଚ୍ଛିନ୍ନ ଗୋଷ୍ଠୀକୁ ପ୍ରାୟ ଦୁଇ ତୃତୀୟାଂଶ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେବ। ପ୍ରାୟ ୫୩ ଜଣ ବିଧାୟକଙ୍କ ସମର୍ଥନ ମିଳିଲେ ଏହା ସମ୍ଭବ ହେବ। ବିରୋଧୀଙ୍କ ପାଇରେ ୫୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା ଏବଂ ଜୁନ୍ ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭାର ବଜେଟ୍ ଅଧିବେଶନ ସୁଦ୍ଧା ଦଳ ପ୍ରଭାବଶାଳୀ ଭାବରେ ଭାଙ୍ଗିପାରେ ବୋଲି କୁହାଯାଉଛି।
ସୌଜନ୍ୟ ସମ୍ବାଦ

