ଅର୍ଥନୀତିଦେଶ ବିଦେଶବାଣିଜ୍ୟ

WPI: ୫ ବର୍ଷରେ ବନ୍ଦହେବ ପାଇକାରୀ ମୁଦ୍ରାସ୍ଫୀତି; ନୂଆ ‘ଉତ୍ପାଦକ ମୁଦ୍ରାସ୍ଫୀତି’ ଜାରି ହେବ

ନୂଆଦିଲ୍ଲୀ: ଦେଶର ଦରଦାମ୍‌ ହିସାବ ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ପାଇକାରୀ ମୁଦ୍ରାସ୍ଫୀତିରେ ସଂଶୋଧନ କରାଯାଇଛି। ଏଥିପାଇଁ ୨୦୨୨-୨୩କୁ ନୂଆ ଆଧାର ବର୍ଷ ଭାବେ ଗ୍ରହଣ କରାଯାଇଛି ଓ ଏହି ହିସାବ ପାଇଁ ବିଚାରକୁ ନିଆଯାଉଥିବା ସାମଗ୍ରୀ ସଂଖ୍ୟା ୬୯୭ରୁ ବଢ଼ାଇ ୯୫୭ କରାଯାଇଛି। ଏଥି ସହିତ ସରକାର ସମ୍ପୂର୍ଣ୍ଣ ନୂଆ ‘ଉତ୍ପାଦକ’ ମୂଲ୍ୟ ସୂଚୀ ବା ମୁଦ୍ରାସ୍ଫୀତି (ପିପିଆଇ) ଜାରି କରିବେ। ଯେହେତୁ ବାଣିଜ୍ୟିକ ଚୁକ୍ତି ଓ ବିଭିନ୍ନ ପ୍ରକାର ସର୍ତ୍ତ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ବିଚାରକୁ ନିଆଯାଉଛି, ସେଥିପାଇଁ ‘ପିପିଆଇ’ ସହିତ ପାଇକାରୀ ମୁଦ୍ରାସ୍ଫୀତି ତଥ୍ୟକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜାରି କରାଯିବ। ଏହା ପରେ ପାଇକାରୀ ମୁଦ୍ରାସ୍ଫୀତି ତଥ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ।

ସଂଶୋଧିତ ପାଇକାରୀ ମୁଦ୍ରାସ୍ଫୀତି ଓ ନୂଆ ‘ପିପିଆଇ’ ତଥ୍ୟ ଆସନ୍ତା ଜୁନ ୧୫ରେ ପ୍ରକାଶ ପାଇବ।ବିକଶିତ ରାଷ୍ଟ୍ର ତଥା ବିଶ୍ବବ୍ୟାପୀ ପ୍ରଚଳନରେ ଥିବା ଶ୍ରେଷ୍ଠ ପରସଂଖ୍ୟାନ ଢାଞ୍ଚା ଆଧାରରେ କେନ୍ଦ୍ର ସରକାର ନୂଆ ‘ପିପିଆଇ’ ତଥ୍ୟ ଜାରି କରିବେ। ଏଥିରେ ‘ଉତ୍ପାଦନ ଉତ୍ପାଦକ ମୂଲ୍ୟ ସୂଚୀ’ (ଓପିପିଆଇ), ‘ଆଦିବାସୀ ଇନ୍‌ପୁଟ୍‌ ଉତ୍ପାଦକ ମୂଲ୍ୟ ସୂଚୀ’ (ଆଇପିପିଆଇ) ଓ ‘ସେବା ଉତ୍ପାଦକ ମୂଲ୍ୟ ସୂଚୀ’ (ଏସ୍‌ପିପିଆଇ) ଭଳି ତିନି ପ୍ରକାର ପୃଥକ ପୃଥକ ତଥ୍ୟ ଜାରି କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ‘ସେବା ପିପିଆଇ’ ପ୍ରସ୍ତୁତ କରିବା ପାଇଁ ବ୍ୟାଙ୍କିଂ, ପ୍ରତିଭୂତି କାରବାର, ବୀମା, ପେନ୍‌ସନ୍‌ ଫଣ୍ଡ୍‌ ପରିଚାଳନା, ରେଳବାଇ, ବିମାନ ଯାତ୍ରା ଓ ଟେଲିକମ୍‌ ସେବା ଭଳି ସାତଟି କ୍ଷେତ୍ରକୁ ହିସାବକୁ ନିଆଯିବ। ଅନ୍ୟ ସେବାଗୁଡ଼ିକୁ ପର୍ଯ୍ୟାୟକ୍ରମେ ସେଥିରେ ଯୋଡ଼ାଯିବ।

କେନ୍ଦ୍ର ସରକାର ନିଜ ପରିସଂଖ୍ୟାନ ଢାଞ୍ଚାକୁ ବଦଳାଇବା ପାଇଁ ଆରମ୍ଭ କରିଥିବା ଅଭିଯାନର ଏହା ହେଉଛି ଏକ ଅଂଶ। ନିକଟ ଅତୀତରେ ମୋଟ ଘରୋଇ ଉତ୍ପାଦ (ଜିଡିପି), ଉପଭୋକ୍ତା ମୂଲ୍ୟ ସୂଚୀ (ସିପିଆଇ) ବା ଖୁଚୁରା ମୁଦ୍ରାସ୍ଫୀତି ଓ ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି) ହିସାବର ଆଧାର ବର୍ଷରେ ପରିବର୍ତ୍ତନ କରାଯାଇଥିଲା। ନୀତି ନିର୍ମାତାମାନଙ୍କୁ ପିପିଆଇ ବିଶେଷ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ତଥ୍ୟ ମାଧ୍ୟମରେ ସେମାନେ ଉତ୍ପାଦନ ସ୍ଥଳରେ ମୂଲ୍ୟରେ ହେଉଥିବା ପରିବର୍ତ୍ତନକୁ ଆଗୁଆ ଜାଣିପାରିବେ। ସେହି ଜିନିଷ ଓ ସେବା ଗ୍ରାହକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସେଥିରେ ସୁଧାର ଆଣିବା ଲାଗି ପଦକ୍ଷେପ ନେଇପାରିବେ। ଫଳରେ ଦରଦାମ ନିୟନ୍ତ୍ରଣ କରିବା ଅଧିକ ସହଜ ହୋଇପାରିବ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button