ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ରେ ଏକ ବଡ଼ ଧରଣର ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସିବିଏସ୍ଇ ଦ୍ୱାରା ପରିଚାଳିତ ଅନ୍-ସ୍କ୍ରିନ୍ ମାର୍କିଂ (ଓଏସ୍ଏମ୍) ବ୍ୟବସ୍ଥାରେ ଦେଖାଦେଇଥିବା ବ୍ୟାପକ ବିଭ୍ରାଟ ଓ ବିବାଦ ପରେ କେନ୍ଦ୍ର ସରକାର ବୋର୍ଡର ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କୁ ସେମାନଙ୍କ ପଦରୁ ତୁରନ୍ତ ବଦଳି କରାଯାଇଛି। ଏହି ଦୁଇ ବରିଷ୍ଠ ଅଧିକାରୀଙ୍କୁ ହଟାଯିବା ସହ ସରକାର ଓଏସ୍ଏମ୍ ସେବା କ୍ରୟ ଏବଂ ଏହାର କାର୍ଯ୍ୟକାରିତାରେ ହୋଇଥିବା ଅନିୟମିତତାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ କମିଟି ଗଠନ କରିଛନ୍ତି।ଏହି ସମ୍ବେଦନଶୀଳ ମାମଲାର ଯାଞ୍ଚ ପାଇଁ ଗଠିତ ଏକ ସଦସ୍ୟ ବିଶିଷ୍ଟ କମିଟିର ଅଧ୍ୟକ୍ଷତା ଦକ୍ଷତା ବିକାଶ କମିସନର ଅଧ୍ୟକ୍ଷ ଏସ. ରାଧା ଚୌହାନ କରିବେ। ଏହି ତଦନ୍ତ କମିଟି ମାମଲାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଆସନ୍ତା ଏକ ମାସ ମଧ୍ୟରେ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗନିକଟରେ ନିଜର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କାନ ହୋଇଥିବା ଉତ୍ତର ଖାତା ଦେଖିବା ସମୟରେ ବ୍ୟାପକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅନେକ ଉତ୍ତର ଖାତାର ପୃଷ୍ଠାଗୁଡ଼ିକ ଅସ୍ପଷ୍ଟ ଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ପୂର୍ଣ୍ଣ ଗାଏବ ଥିଲା। ଏହା ବ୍ୟତୀତ ବୋର୍ଡର ଅଫିସିଆଲ୍ ପୋଟାଲ ମଧ୍ୟ ବାରମ୍ବାର ବନ୍ଦ ହୋଇଯାଇଥିଲା। ଏହି ବୈଷୟିକ ତ୍ରୁଟି ଯୋଗୁଁ ପୁନଃମୂଲ୍ୟାୟନ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ଘଟିଥିଲା, ଯାହାକୁ ନେଇ ସମଗ୍ର ଦେଶରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ଏହା ସହିତ ଭେଣ୍ଡର ଚୟନ, କ୍ରୟ ପ୍ରକ୍ରିୟା ଏବଂ ସାଇବର ସୁରକ୍ଷାକୁ ନେଇ ମଧ୍ୟ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସିବିଏସ୍ଇ ଭଳି ଏକ ସମ୍ମାନଜନକ ସଂସ୍ଥାରେ ଶୃଙ୍ଖଳା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାର ଏହି ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବଦଳି ହୋଇଥିବା ଅଧ୍ୟକ୍ଷ ରାହୁଲ ସିଂହ ମୁଖ୍ୟତଃ ସମସ୍ତ ପରୀକ୍ଷା, ଶିକ୍ଷାଗତ ନୀତି ଏବଂ ସଂସ୍କାର କାର୍ଯ୍ୟର ତଦାରଖ କରୁଥିଲେ। ଅନ୍ୟପଟେ ସଚିବ ହିମାଂଶୁ ଗୁପ୍ତା ବୋର୍ଡର ପ୍ରଶାସନିକ, ଆର୍ଥିକ ଏବଂ ଦୈନନ୍ଦିନ କାର୍ଯ୍ୟ ପରିଚାଳନା ଦାୟିତ୍ୱରେ ଥିଲେ। ଏହି ଘଟଣା ଦେଶର ଶିକ୍ଷା ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଆଗାମୀ ଦିନରେ ତଦନ୍ତ ରିପୋର୍ଟ ଆଧାରରେ ଆହୁରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ

