Supremecourt: ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଲୋକଙ୍କ ଆବେଦନକୁ ପ୍ରାଥମିକତା ଦିଅ: ସୁପ୍ରିମକୋର୍ଟ
ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୋମବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଭୋଟର ତାଲିକାରୁ ନାମ କଟିଯାଇଥିବା ଲୋକଙ୍କ ଆବେଦନର ଶୁଣାଣିକୁ ଟ୍ରିବ୍ୟୁନାଲ୍ଗୁଡ଼ିକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୋମବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଭୋଟର ତାଲିକାରୁ ନାମ କଟିଯାଇଥିବା ଲୋକଙ୍କ ଆବେଦନର ଶୁଣାଣିକୁ ଟ୍ରିବ୍ୟୁନାଲ୍ଗୁଡ଼ିକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ତାଲିକାରେ ନୂଆ ଭାବେ ସାମିଲ ହୋଇଥିବା ଭୋଟରଙ୍କ ନାଁକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ କୋର୍ଟ କହିଛନ୍ତି। ଏହାସହିତ ବର୍ତ୍ତମାନ ୧୯ଟି ଆପିଲେଟ୍ ଟ୍ରିବୁନାଲ ମାମଲାର ଶୁଣାଣି କରୁଥିବାବେଳେ ଆବେଦନଗୁଡ଼ିକର ଶୁଣାଣିକୁ ତ୍ବରାନ୍ବିତ କରିବା ପାଇଁ ଅଧିକ ଆପିଲେଟ୍ ଟ୍ରିବ୍ୟୁନାଲ୍ ଗଠନ କରିବାକୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍ଚୀ ଓ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଟ୍ରିବ୍ୟୁନାଲଗୁଡ଼ିକୁ ଆବେଦନଗୁଡ଼ିକୁ ଦୁଇଟି ବର୍ଗରେ ପୃଥକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠଙ୍କ ମତରେ, ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଲୋକଙ୍କ ମତଦାନ ଅଧିକାର ସିଧାସଳଖ ପ୍ରଭାବିତ ହେଉଥିବାରୁ ସେମାନଙ୍କ ମାମଲା ଅଧିକ ଜରୁରୀ। ତେଣୁ ଏହି ଆବେଦନଗୁଡ଼ିକର ଶୀଘ୍ର ଫଇସଲା ହେବା ଆବଶ୍ୟକ। ଦ୍ୱିତୀୟ ବର୍ଗରେ ତାଲିକାରେ ଅନ୍ୟ ଭୋଟରଙ୍କ ନାମ ସାମିଲକୁ ବିରୋଧ କରି ହୋଇଥିବା ଆବେଦନ ରହିବ। ଏହାସହିତ ଆଗକୁ କୋଲକାତା ମ୍ୟୁନିସିପାଲ କର୍ପୋରେସନ (କେଏମ୍ସି) ନିର୍ବାଚନ ଥିବାରୁ ଏଥି ଅନ୍ତର୍ଗତ ବାଦ୍ ପଡ଼ିଥିବା ଭୋଟରଙ୍କ ଆବେଦନକୁ ଅଧିକ ପ୍ରାଥମିକତା ଦେବାକୁ କହିଛନ୍ତି।
ସୌଜନ୍ୟ ସମ୍ବାଦ




