ଅସମ୍ଭାଳ ଶୀତରେ ଥରୁଛି ପୁରା ଓଡ଼ିଶା, ଆଗକୁ ଆହୁରି କରିବ କଲବଲ

ଭୁବନେଶ୍ୱର ୦୭।୦୧ : ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା। ୫ ଡିଗ୍ରୀକୁ ଖସି ଆସିଲା ଥଣ୍ଡା। ଅସମ୍ଭାଳ ଜାଡ଼ ଥରାଇ ଦେଲା। ଖାଲି ଆଭ୍ୟନ୍ତରୀଣ କି ଦକ୍ଷିଣ ଓଡ଼ିଶା ନୁହେଁ, ଉପକୂଳ ବି ଥରିଲା। ଅସହ୍ୟ ଶୀତରେ କଲବଲ ହେଲା ଟ୍ୱିନ୍‌ ସିଟି। ଆଗକୁ ବି ଏଥିରୁ ତ୍ରାହି ମିଳିବାର ଆଶା ନାହିଁ। ଆସନ୍ତା ୨ରୁ ୩ ଦିନ ଯାଏ ପୂରା ଓଡ଼ିଶା ଥରିବ। ୬ ଜିଲ୍ଲାରେ ଶୀତ ଲହରି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ବୁଧବାର ରାତି ତାପମାତ୍ରା ଝାରସୁଗୁଡ଼ାରେ ୫ଡିଗ୍ରୀ, ରାଉରକେଲାରେ ୬ ଡିଗ୍ରୀ, ସୁନ୍ଦରଗଡ଼ରେ ୭, ଫୁଲବାଣୀରେ ୮, ବୌଦ୍ଧ, ଅନୁଗୁଳ, କୋରାପୁଟ, ବଲାଙ୍ଗୀର, ଢେଙ୍କାନାଳରେ ୯ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୁରୁବାର ଝାରସୁଗୁଡ଼ାରେ ୬ ଡିଗ୍ରୀ, ରାଉରକେଲାରେ ୭,  ସୁନ୍ଦରଗଡ଼ ଓ ଫୁଲବାଣୀରେ ୮, କୋରାପୁଟ ଓ ବଲାଙ୍ଗୀରରେ ୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୦ ତାରିଖରେ ବି ପୂରା ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ। ବୁଧବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ, ଅନୁଗୁଳ, କଟକ ଓ ଜଗତ୍‌ସିଂହପୁର ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହୋଇପାରେ । ଗୁରୁବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ, ଅନୁଗୁଳ, କଟକ ଓ ଜଗତସିଂହପୁରରେ ଶୀତ ଲହରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଝାରସୁଗୁଡ଼ାରେ ଆଜି ରେକର୍ଡ ଶୀତ ଅନୁଭୂତ ହୋଇଥିଲା । ୫.୧ ଡିଗ୍ରୀ ରାତି ତାପମାତ୍ରା ସହ ଏହା ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । ୨୦୨୩ ମସିହା ଜାନୁୟାରୀ ୭ ତାରିଖରେ ଏଠାରେ ପାରଦ ୫.୬ ଡିଗ୍ରୀ ଥିଲା । ୨୦୨୦ ଡିସେମ୍ବର ୨୧ରେ ପାରଦ ୫.୮ ଓ ୨୦୨୫ ଜାନୁୟାରୀ ୯ରେ ୬ ଡିଗ୍ରୀ ଥିଲା । ୧୯୮୬ ମସିହା ଜାନୁୟାରୀ ୬ତାରିଖରେ ୬.୧ ଡିଗ୍ରୀରେ ଥରିଥିଲା ଝାରସୁଗୁଡ଼ା। ଝାରସୁଗୁଡ଼ା ସମେତ ୧୬ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିଲା । ରାଉରକେଲାରେ ୬.୬, କିରେଇ ଓ ଜି ଉଦୟଗିରିରେ ୬.୮, ଦାରିଙ୍ଗବାଡ଼ିରେ ୭.୫, ସୁନ୍ଦରଗଡ଼ରେ ୭.୬, ସେମିଳିଗୁଡ଼ାରେ ପାରଦ ୮.୫ ଡିଗ୍ରୀ ରହିଥିଲା । କଟକରେ ୧୦ ଡିଗ୍ରୀ ଓ ଭୁବନେଶ୍ୱରରେ ୧୨.୯ ଡିଗ୍ରୀ ରହିଥିଲା । ଭୋର୍‌ ସମୟରେ ରାଜଧାନୀରେ ଦେଶର ଉତ୍ତର-ଉତ୍ତର ପୂର୍ବ ଦିଗରୁ ୧୦ରୁ ୧୫ କିମି ବେଗରେ ଥଣ୍ଡା ପବନ ବହିଥିଲା । ଏଥିପାଇଁ ଦିନ ତାପମାତ୍ରା ବି କମ୍‌ ରହିଥିଲା । ଦିନ ସାଢ଼େ ୨ଟା ବେଳକୁ ଭୁବନେଶ୍ୱରରେ ଦିନ ତାପମାତ୍ରା ୨୩.୪ ଡିଗ୍ରୀ ଥିଲା । ଗୋପାଳପୁରରେ ଦିନ ତାପମାତ୍ରା ୨୨.୧, କଟକରେ ୨୨.୨, ଚାନ୍ଦବାଲିରେ ୨୨.୩, ବାରିପଦା ଓ ଦାରିଙ୍ଗବାଡ଼ିରେ ୨୩ ଓ ବାଲେଶ୍ୱରରେ ୨୩.୩ ଡିଗ୍ରୀ ରହିଥିଲା । ବହୁ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ କମ୍‌ ଥିଲା । ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୪.୮ ଡିଗ୍ରୀ ଓ ଗୋପାଳପୁରରେ ସ୍ୱାଭାବିକଠାରୁ ୫.୩ ଡିଗ୍ରୀ କମ୍‌ ରହିଥିଲା ।   ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଜି ଲଘୁଚାପ ସୃଷ୍ଟି ହୋଇଛି । ପରେ ଏହା ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ସୌଜନ୍ୟ ସମ୍ବାଦ

Exit mobile version