ମ୍ବାଇ,୧୬/୧୨: ଆଗାମୀ ଆଇପିଏଲ-୧୯ ପାଇଁ ମଙ୍ଗଳବାର ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭାରତୀୟ ସମୟ ଅପରାହ୍ଣ ୨.୩୦ ମିନିଟ୍ରେ ଆବୁଧାବିର ଅଥିହାଡ୍ ଏରେନାରେ ନିଲାମ କାର୍ଯ୍ୟ ଆରମ୍ଭ ହେବ । ଷ୍ଟାର ସ୍ପୋର୍ଟ୍ସରେ ଏହାର ସିଧା ପ୍ରସାରଣ କରାଯିବ । ଇତି ମଧ୍ୟରେ ସମସ୍ତ ଫ୍ରାଞ୍ଚାଇଜ ସଦସ୍ୟମାନେ ଆବୁଧାବିରେ ନିଜ ପସନ୍ଦ ଖେଳାଳି ତାଲିକା ଧରି ପହଞ୍ଚି ଗଲେଣି ।
ସମ୍ପ୍ରତି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ରୁ ବିରତି ନେଇଥିବା ଆହତ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟାସ ଆୟର ମଧ୍ୟ ନିଲାମ କାର୍ଯ୍ୟକ୍ରମରେ ଯୋଗ ଦେବେ । ୧୦ଟି ଯାକ ଫ୍ରାଞ୍ଚାଇଜ ଖାଲି ପଡ଼ିଥିବା ମୋଟ୍ ୭୭ଟି ସ୍ଥାନ ପାଇଁ ମୋଟ୍ ୩୫୦ ଜଣ ଖେଳାଳିଙ୍କୁ ନେଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ୨୪୪ ଜଣ ଭାରତୀୟ ଓ ୧୧୫ ଜଣ ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି ।୩୫୯ଜଣ ଖେଳାଳିଙ୍କୁ ନେଇ ୪୨ଟି ସେଟ୍ ପ୍ରସ୍ତୁତ କରାଯାଇଛି । ସମସ୍ତ ଫ୍ରାଞ୍ଚାଇଜଙ୍କ ନିକଟରେ ୭୭ଟି ସ୍ଥାନ ଖାଲି ରହିଛି ।
ଏଥିରେ ରହିଛି ବିଦେଶୀ ଖେଳାଳିଙ୍କ ପାଇଁ ୩୧ଟି ସ୍ଥାନ । ଅଷ୍ଟ୍ରେଲିଆ ଅଲ୍ରାଉଣ୍ଡର କାମେରନ ଗ୍ରୀନ ଏଥର ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହେବେ ବୋଲି ଅନୁମାନ କରାଯାଉଛି । କୋଲକାତା ନାଇଟ୍ ରାଇଡର୍ସ, ଚେନ୍ନାଇ ସୁପରକିଙ୍ଗ୍ସ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଦିଲ୍ଲୀ କ୍ୟାପିଟାଲ୍ସ ପ୍ରମୁଖ ବିଦେଶୀ ପେସ୍ ବୋଲିଂ ଅଲ୍ରାଉଣ୍ଡର ସନ୍ଧାନରେ ରହିଛନ୍ତି ।
ସୌଜନ୍ୟ ସମ୍ବାଦ

