ଆଥଲେଟିକ୍ସ ସ୍ୱର୍ଣ୍ଣ ବିଜେତା ଦୁଷ୍ମନ୍ତଙ୍କୁ ପଛକୁ ଭିଡ଼ୁଛି ଅଭାବ : ଭଲ ଜୋତା ହଳେ ନାହିଁ, ପୁଷ୍ଟିକର ଖାଦ୍ୟ ସାତ ସପନ, ବାଧକ ସାଜିଛି ପରିବାର ବୋଝ

ଅନୁଗୋଳ ୨୯/୦୮ (ଲିଟୁନ୍ କୁମାର ସାହୁ): ଆଖିରେ ଆଖିଏ ସ୍ୱପ୍ନ । ସୀମାହୀନ ଆକାଶ ପରି ମନରେ ଅସୀମ ଇଚ୍ଛାଶକ୍ତି । ଲକ୍ଷ୍ୟ-କ୍ଷୀପ୍ର ଗତିରେ ଚାଲିବେ, ଜାତୀୟ ଆଥଲେଟିକ୍ସରେ ପଦକ ଜିଣିବେ । ହେଲେ ଏଥିପାଇଁ ପ୍ରସ୍ତୁତିର ଗୋଟିଏ ପାଦ ଆଗକୁ ବଢ଼ାଇଲା ବେଳକୁ ଦୁଇ ପାଦ ପଛକୁ ଭିଡ଼ି ଆଣୁଛି ଅଭାବ, ଅନଟନ । ମୁଣ୍ଡ ଉପରେ ପରିବାର ବୋଝ । ରାତି ପାହିଲେ ପେଟ ପାଇଁ ଦାନା ଯୋଗାଡ଼ ଚିନ୍ତା । ଏଥିପାଇଁ ନିଜର ପ୍ରଶିକ୍ଷଣ ଓ ପ୍ରସ୍ତୁତିକୁ କାଣ୍ଟଛାଣ୍ଟ୍ କରି ଗ୍ୟାରେଜ୍ରେ ଖଟୁଛନ୍ତି ଜଣେ ରାଜ୍ୟ ଆଥଲେଟିକ୍ସ ସ୍ୱର୍ଣ୍ଣ ବିଜେତା ।
ଏ ସଂଘର୍ଷପୂର୍ଣ୍ଣ କାହାଣୀ ହେଉଛି ଅନୁଗୋଳର ଉଦୀୟମାନ କ୍ରୀଡ଼ାବିତ୍ ଦୁଷ୍ମନ୍ତ ପ୍ରଧାନ(୨୧)ଙ୍କର । ରାଜ୍ୟ ପ୍ରତିଯୋଗିତାରେ ଚମକ ଦେଖାଇ ସାରିବା ପରେ ଏବେ ତାଙ୍କର ଲକ୍ଷ୍ୟ ଜାତୀୟ ପ୍ରତିଯୋଗିତ ଉପରେ । ହେଲେ ତାଙ୍କ ପ୍ରଶିକ୍ଷଣ ଓ ପ୍ରସ୍ତୁତିରେ ବାଧକ ସାଜିଛି ଅର୍ଥ । ଏପରିକି କ୍ରୀଡ଼ାଭ୍ୟାସ ପାଇଁ ପାଖରେ ଭଲ ଜୋତା ହଳେ ନାହିଁ । ପୁଷ୍ଟିକର ଖାଦ୍ୟ ସାତ ସପନ । ଶାଗ ପଖାଳ ଖାଇ, ଦିନକୁ ଦୁଇ ଓଳି ଗ୍ୟାରେଜ୍ରେ ଖଟୁଥିବା ଦୁଷ୍ମନ୍ତ ସକାଳେ କେଉଁଦିନ ଘଣ୍ଟାଏ ତ ଆଉ କେଉଁଦିନ ଦୁଇ ଘଣ୍ଟା ସମୟ କାଢ଼ି କ୍ରୀଡ଼ା ପ୍ରଶିକ୍ଷକ ନୀଳମଣି ଦାସଙ୍କ ସହ ଅନୁଗୋଳ ସହରର ବିଭିନ୍ନ ପଡ଼ିଆରେ ନିର୍ଘାତ ପରିଶ୍ରମ କରୁଛନ୍ତି । ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ଚାଲି ଇଭେଣ୍ଟରେ ଅନୁଗୋଳର ଦବ୍ଦବା ରହିଆସିଛି । ଚାଲି ଇଭେଣ୍ଟରେ ଉଦୀୟମାନ ଖେଳାଳି ଭାବେ ଉଭା ହୋଇଥିବା ଦୁଷ୍ମନ୍ତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ସାରିଲେଣି । ୨୦୨୫ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ୧୦ କିଲୋମିଟର ଚାଲି ଇଭେଣ୍ଟରେ ସ୍ୱର୍ଣ୍ଣ ଓ ୨୦୨୬ରେ ରୌପ୍ୟ ପଦକ ହାସଲ କରିଛନ୍ତି । ୧୦ କିଲୋମିଟର ଚାଲିକୁ ସେ ଏକ ଘଣ୍ଟା ୫ରୁ ୭ ମିନିଟ୍ ସମୟ ନେଉଥିବା ବେଳେ ଜାତୀୟ ପ୍ରତିଯୋଗିତା ପାଇଁ ଘଣ୍ଟାଏ ଭିତରେ ସାରିବାକୁ ହେବ । ଏହି ଟାଇମିଂ ହାସଲ ପାଇଁ ଅଧିକ ଅଭ୍ୟାସ ଲୋଡ଼ା । ହେଲେ ଅଭ୍ୟାସ ପାଇଁ ଦୁଷ୍ମନ୍ତ ସମୟ ପାଉନାହାନ୍ତି । କାରଣ ପ୍ରତିଦିନ ଗ୍ୟାରେଜ୍କୁ ନଗଲେ ନଚଳେ, ଘରେ ଚୁଲି ଜଳିବନି ।
ଦୁଷ୍ମନ୍ତଙ୍କ ଘର ଅନୁଗୋଳ ସହର ଉପକଣ୍ଠ ତୁରଙ୍ଗ ଗ୍ରାମରେ । ମାତ୍ର ୪ ବର୍ଷ ବୟସର ହୋଇଥିବା ବେଳେ ତାଙ୍କ ବାପା ଆରପାରିକୁ ଚାଲିଗଲେ । ମା’ ମାମି ପ୍ରଧାନ ମୂଲମଜୁରୀ କରି ତାଙ୍କୁ ମଣିଷ କରିଛନ୍ତି । ଘର କହିଲେ ପଲସ୍ତରା ହୋଇନଥିବା ଏକ ଆଜବେଷ୍ଟ୍ସ ଘର । ମାମିଙ୍କୁ ବିଧବା ଭତ୍ତା ଓ ମାସକୁ ୧୦ କିଲୋ ଚାଉଳ ବ୍ୟତୀତ ଆଉ କିଛି ସରକାରୀ ସହାୟତା ମିଳୁନି । ଏତିକିରେ ପରିବାର ପ୍ରତିପୋଷଣ କଷ୍ଟକର । ତେଣୁ ଦୁଷ୍ମନ୍ତଙ୍କୁ ଗ୍ୟାରେଜ୍ରେ ଖଟିବାକୁ ପଡ଼ୁଛି । ଚଳିତ ବର୍ଷ ଯୁକ୍ତ ୨ କଳାରେ ଉତ୍ତୀର୍ଣ୍ଣ ହୋଇଥିଲେ ହେଁ ଆଥି ର୍କ ଅଭାବ ଦୁଷ୍ମନ୍ତଙ୍କ ପାଠପଢ଼ାରେ ଡୋରି ଲଗାଇଛି ।
ସୌଜନ୍ୟ ପ୍ରମେୟ




