Human Interest Story: ପଡ଼ିଆରୁ ୱେଲ୍ଡିଂ ମିସ୍ତ୍ରୀ, ପରିବାର ବୋଝରେ ହଜିଗଲା କୁଶଙ୍କ ଫୁଟବଲ ସ୍ୱପ୍ନ, ୩୫୦ ଟଙ୍କାର ପାଇଁ ଖଟୁଛନ୍ତି ମଜୁରି

ବଲାଙ୍ଗିର ୨୯/୮( ମୁକେଶ ବହିଦାର): ଫୁଟବଲ ଥିଲା ନିଶା । ପରିବାରର ଆର୍ଥିକ ସ୍ଥିତି ସେତେ ଭଲ ନ ଥିଲା । ସୌଭାଗ୍ୟକୁ କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ନେବାର ସୁଯୋଗ ମିଳିଗଲା । ପ୍ରାୟ ୭ବର୍ଷ ଧରି ପ୍ରଶିକ୍ଷଣ ନେଲେ । ପ୍ରତିବଦଳରେ ସେ ଡି.ସି ରାୟ, ସୁବ୍ରତ କପ୍ ଭଳି ଦୁଇ ଦୁଇ ଥର ଜାତୀୟ ଚାମ୍ପିଅନସିପରେ ଖେଳିଲେ । ରାଜ୍ୟ ଓ ଜିଲ୍ଲା ଟୁର୍ଣ୍ଣାମେଣ୍ଟରେ ଖେଳି ପଦକ ଜିତିଲେ । ହେଲେ କରୋନା ପରଠୁ ଜୀବନର ଗତିପଥ ବଦଳିଗଲା । ମା’ବାପା ଚାଲିଗଲେ । ପରିବାରର ସ୍ଥିତି ବିଗିଡିଗଲା । ବଡ଼ଭାଇ କାମ ଅନ୍ୱେଷଣରେ ଦାଦନ ଗଲେ । ଶେଷରେ ପରିବାରର ବୋଝ ମୁଣ୍ଡାଇ ଖେଳାଳିରୁ ୱେଲଡିଂ ମିସ୍ତ୍ରୀ ପାଲଟିଗଲେ ଜାତୀୟସ୍ତରର ଫୁଟବଲ ଖେଳାଳି କୁଶ ଜାନୀ । ଏକଦା ଦିନତମାମ ଫୁଟବଲ ପଡ଼ିଆରେ ବଲ୍, ଗୋଲ ଏବଂ ପେନାଲଟି କିକ୍ର ଚିନ୍ତା କରୁଥିବା କୁଶ ଆଜି ମାତ୍ର ୩୫୦ ଟଙ୍କା ମଜୁରି ପାଇଁ ଦିନତମାମ ଖଟୁଛନ୍ତି ।
ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ନାଇକେନସିରା ଗାଁର କଷ୍ଟ ଜାନୀ ଏବଂ କେତକୀ ଜାନୀଙ୍କ ପୁଅ କୁଶ ପିଲାଦିନରୁ ଫୁଟବଲ ଖେଳପ୍ରତି ଆକର୍ଷିତ ଥିଲେ । ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ୨୦୧୪ରେ ପ୍ରଥମ ଥର ପାଇଁ ଫୁଟବଲ ପାଇଁ ଘରୁ ଗୋଡ଼ କାଢ଼ିଥିଲେ । ରେଫରି ଆଶିଷ ବାଗଙ୍କ ସହ ନିକଟ ବଡ଼ବନ୍ଧ ପଡ଼ିଆରେ ହେଉଥିବା ଫୁଟବଲ ଖେଳାଳି ଚୟନ ଶିବିରକୁ ଗଲେ । ସେଠାରେ କୁଶଙ୍କ ଖେଳ ଦେଖି କୋଚ ପରାଶର ବାଗ ତାଙ୍କୁ ଚୟନ କରି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା କ୍ରୀଡ଼ା ଛାତ୍ରାବାସ ଅନ୍ତେବାସୀ ଚୟନ ଶିବିରକୁ ପଠାଇଥିଲେ । ସେଠାରେ କୁଶଙ୍କୁ ଚୟନ କରି ବଲାଙ୍ଗିର କ୍ରୀଡ଼ା ଛାତ୍ରାବାସକୁ ପଠାଇଦେଲେ । ସେଇଠୁ କୁଶଙ୍କ କ୍ରୀଡ଼ା ଜୀବନ ଆରମ୍ଭ ହେଲା । ପ୍ରାୟ ୨ବର୍ଷର ପ୍ରଶିକ୍ଷଣ ପରେ ପ୍ରଥମ ଥର ପାଇଁ କୁଶଙ୍କୁ ଦୁଇଟି ସବଜୁନିୟର ଜାତୀୟ ଚାମ୍ପିଅନସିପରେ ଖେଳିବାର ସୁଯୋଗ ମିଳିଲା ।
ସୌଜନ୍ୟ ପ୍ରମେୟ




