ନ୍ୟୁୟର୍କ, ୧୭/୦୨ : ଆମେରିକାରେ ବନ୍ଧା ହେଲେ ଭାରତୀୟ ବଂଶୋଦ୍ଭବ । ଲାଗିଛି ଦୁଷ୍କର୍ମ ସମେତ ଆହୁରି ସଙ୍ଗୀନ ଦଫା । ଏପରିକି ନାବାଳିକାଙ୍କୁ ଅସଦାଚରଣ ମାମଲା ମଧ୍ୟ ଲାଗିଛି । ସୋମବାର ଆମେରିକାର ଇମିଗ୍ରେସନ୍ ଏବଂ କଷ୍ଟମ୍ସ୍ ଏନଫୋର୍ସମେଣ୍ଟ ବା ଆଇସିଇ ଟିମ୍ ଜଣେ ମୂଳ ଭାରତୀୟଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ଭୋଡେଲା ଯଶସ୍ୱୀ କୋଟାପଲ୍ଲୀ ।
କୋଟାପଲ୍ଲୀଙ୍କ ବିରୋଧରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ ନେଇ ଅଭିଯୋଗ ଲାଗିଛି । ଏହାସହ ଆଇନ ତଥା ନିୟମ କାନୁନ ମାନୁନଥିବା ମାମଲା ମଧ୍ୟ ୟୁଏସ ପୋଲିସ ଯୋଡିଛି । ଏନେଇ ନିଜେ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛି ଆଇସିଇ । ଆଇସିଇ କହିଛି ଯେ, କୋଟାପଲ୍ଲୀ ହେଉଛନ୍ତି ଭାରତରୁ ଆସିଥିବା ଜଣେ ଅପରାଧି ଏବଂ ଏଲିଅନ୍ । ତାଙ୍କ ବିରୋଧରେ ଅନେକ ମାମଲା ରହିଛି । ସେ ନ୍ୟୁଜର୍ସିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି । ଏହା ବାଦ୍ ଅନେକ ମାମଲା ତାଙ୍କ ନାଁରେ ରହିଛି । ତେଣୁ ତାଙ୍କୁ ଗିରଫ କରାଯାଇଛି ।
ଟ୍ରମ୍ପଙ୍କ ଶାସନ ପରେ ଆଇସିଇ ଆକ୍ଟିଭ୍
ଆଇସିଇ ଲଗାତାର ଭାବେ ବିଭିନ୍ନ ସ୍ଥାନରେ ଚଢଉ କରୁଛି । ଯେଉଁ ବିଦେଶୀ ନାଗରିକ ବେଆଇନ ଭାବେ ଆମେରିକାରେ ଆସି ରହୁଛନ୍ତି ସେମାନଙ୍କ ଫାଇଲ ଖୋଜା ଯାଉଛି । କୌଣସି ଅପରାଧିକ ମାମଲା ରହିଛି ନା ନାହିଁ ସେନେଇ ଖୋଳତାଡ ହେଉଛି । ଖାଲି ଭାରତରୁ ନୁହେଁ ଅନେକ ଦେଶର ନାଗରିକ ଆମେରିକାରେ ଦୀର୍ଘଦିନ ହେବ ରହି ଆସୁଛନ୍ତି ଯେଉଁମାନଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି ।
ଗତ ଡିସେମ୍ବରରେ ଆଇସିଇ ଆଉ ଜଣେ ଭାରତୀୟଙ୍କ ବିରୋଧରେ ଆକ୍ସନ ନେଇଥିଲା । ଭାରତୀୟଜଣଙ୍କ ୟୁଏସରେ ଟ୍ରକ୍ ଡ୍ରାଇଭର୍ ଭାବେ କାମ କରୁଥିଲେ । ସେ ଦୁଇ ଜଣଙ୍କୁ ହତ୍ୟା କରିଥିବା ସଂସ୍ଥା କହିଥିଲା । ବ୍ୟକ୍ତିଜଣଙ୍କ ଆମେରିକାକୁ ବେଆଇନ ଭାବେ ଆସିଥିଲେଏବଂ ପରେ କାଲିଫର୍ଣ୍ଣିଆରୁ ଚଞ୍ଚକତା କରି ଟ୍ରକ୍ ଲାଇସେନ୍ସ ପ୍ରାପ୍ତ କରିଥିଲେ ।
ସୌଜନ୍ୟ Prameya News7
