ଜାତୀୟ

ଆମେରିକାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଷଡ଼ଯନ୍ତ୍ର ! ଭାରତର କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ : ଆମେରିକାର ଇଲିନୋଇସ ରାଜ୍ୟରେ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ କରି ବଡ଼ ସ୍ତରରେ ଗୁଳିକାଣ୍ଡର ଏକ ସମ୍ଭାବ୍ୟ ଷଡ଼ଯନ୍ତ୍ରକୁ, ପୁଲିସ ସଠିକ୍ ସମୟରେ ବିଫଳ କରିଛି । ଉକ୍ତ ଘଟଣା ପରେ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ଷଡ଼ଯନ୍ତ୍ରର ହିନ୍ଦୁ ବିରୋଧୀ ଓ ଜାତିଭେଦ ପୂର୍ଣ୍ଣ ସ୍ୱଭାବ ଖୁବ୍ ଚିନ୍ତାଜନକ । ବୈଦେଶିକ ମନ୍ତ୍ରଣାଳୟ ଆମେରିକାରୁ ଭାରତୀୟ ସଂପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦୃଢ ପଦକ୍ଷେପ ଉଠାଇବାକୁ ଦାବି କରିଛି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଗୁରୁବାର କହିଛନ୍ତି ଯେ, ଇଲିନୋଇସର ଅରୋରା ଅଞ୍ଚଶରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ କରିବାର ଖବରରେ ଭାରତ ବହୁତ ଚିନ୍ତିତ । ସେ କହିଛନ୍ତି ଯେ, ଏହି କଥିତ ଷଡ଼ଯନ୍ତ୍ରର ହିନ୍ଦୁ-ବିରୋଧୀ ଓ ଜାତିଭେଦ ପୂର୍ଣ୍ଣ ସ୍ୱଭାବ ବିଶେଷକରି ଚିନ୍ତାଜନକ । ଏଥିରେ ଭାରତୀୟ ବଂଶୋଦ୍ଭବ ଲୋକଙ୍କ ବିରୋଧରେ ହିଂସାର କଥା କୁହାଯାଇଛି ।

ଜୟସୱାଲ ଜଣାଇଛନ୍ତି ଯେ, ଆମେରିକାର ପୁଲିସ ଏବଂ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ତାଙ୍କୁ ହେପାଜତରେ (କଷ୍ଟଡିରେ) ରଖା ଯାଇଛି ଏବଂ ତାଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଦାଖଲ କରାଯାଇଛି । ମନ୍ତ୍ରଣାଳୟ କହିଛି ଯେ, ଏହି ଘଟଣା ଆମେରିକାରେ ବଢ଼ୁଥିବା ଜାତିଭେଦପୂର୍ଣ୍ଣ ଶତ୍ରୁତା ଓ ଭାରତ ବିରୋଧୀ ନେଇ ବଢ଼ୁଥିବା ଘୃଣାର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ଭାରତୀୟ ସଂପ୍ରଦାୟର ସୁରକ୍ଷା ପାଇଁ ଅଧିକ ସତର୍କତା ଅବଲମ୍ବନ କରିବା, ଘୃଣା ପ୍ରେରିତ ହିଂସା ପ୍ରତି କଠୋରତା ଦେଖାଇବା ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ।

ଭାରତ ଆଶା ପ୍ରକାଶ କରିଛି ଯେ, ଆମେରିକୀୟ ଅଧିକାରୀମାନେ ଏହି ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ କରିବେ, ଦୋଷୀମାନଙ୍କୁ ଦଣ୍ଡ ଦେବେ ଏବଂ ଏଭଳି ଘଟଣାଗୁଡ଼ିକୁ ରୋକିବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରିବେ।

ପୂରା ଘଟଣାଟି ଏହା ଯେ, ପ୍ୟାଲେଟାଇନ୍ ସହରର ଜଣେ ୧୯ ବର୍ଷ ବୟସ୍କ ଯୁବକ ଆଲେକଜେଣ୍ଡ୍ରୋସ୍ ପାପୋରାକିସଙ୍କ ଉପରେ ,ଅରୋରା ଅଞ୍ଚଳର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣର ଯୋଜନା କରିଥିବା ଅଭିଯୋଗ ରହିଛି। ସେ ଏକ ‘ଟାକୋ ବେଲ୍’ରେ କାମ କରୁଥିଲେ ଏବଂ ନିଜ ସହକର୍ମୀମାନଙ୍କ ଆଗରେ ନିଜକୁ ଜଣେ ଶ୍ୱେତବର୍ଣ୍ଣ ସୁପ୍ରିମେସିଷ୍ଟ୍ (ଶ୍ୱେତବର୍ଣ୍ଣ ଶ୍ରେଷ୍ଠତାବାଦୀ) ଏବଂ ନବ-ନାଜି ବୋଲି ପରିଚୟ ଦେଉଥିଲେ । ସେ କହିଥିଲେ ଯେ ସେ ଭାରତୀୟ ଲୋକଙ୍କୁ ହତ୍ୟା କରିବା ପାଇଁ ଖୁବ୍ ବ୍ୟଗ୍ର।

ରବିବାର (ଅକ୍ଟୋବର ୧୧) ଦିନ ସେ ମନ୍ଦିରକୁ ଯିବାକୁ ଚେଷ୍ଟା କରି ଥିଲେ । ରିପୋର୍ଟ ଅନୁଯାୟୀ, ଯେତେବେଳେ ସେ ଗୁଳି ଚଳାଇବାକୁ ଚେଷ୍ଟା କଲେ, ସେତେବେଳେ ତାଙ୍କ ରାଇଫଲ୍ ଜାମ୍ ହୋଇ ଗଲା ଏବଂ ସେ ସେଠାରୁ ଫେରାର ହୋଇ ଗଲେ । ଏହାପରେ ତାଙ୍କର ଜଣେ ସହକର୍ମୀ ପୁଲିସକୁ ସତର୍କ କରାଇ ଥିଲେ । ପୁଲିସ ତାଙ୍କୁ ଘରୁ ବାହାରିବା ସମୟରେ ଗିରଫ କରି ଥିଲା ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button