ଆମେରିକା ଓ ପାକିସ୍ତାନରୁ ଅର୍ଥ ଆସୁଛି ! ସିଜେପି ଉପରେ କେନ୍ଦ୍ରର ସଙ୍ଗୀନ ଅଭିଯୋଗ
ବେଙ୍ଗାଲୁରୁରେ ସାମ୍ବାଦିକମାନଙ୍କୁ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ସିଜେପିକୁ ଦେଶ ଭିତରେ ଓ ବାହାରେ ଥିବା ଅନଧିକୃତ ଉତ୍ସ, ଭାରତ ବିରୋଧୀ ଅନୁଷ୍ଠାନ ଏବଂ ବିଦେଶୀ ଅର୍ଥରେ ପରିଚାଳିତ ବେସରକାରୀ ସଂଗଠନଗୁଡ଼ିକରୁ ପାଣ୍ଠି ମିଳୁଛି ।

ନୂଆଦିଲ୍ଲୀ : ଦେଶରେ ଅଶାନ୍ତି ସୃଷ୍ଟି କରିବା ପାଇଁ କକ୍ରୋଚ୍ ଜନତା ପାର୍ଟି (ସିଜେପି)କୁ ବିଦେଶୀ ସଂଗଠନ ଓ ପାକିସ୍ତାନରୁ ଅର୍ଥ ଯୋଗାଇ ଦିଆଯାଉଥିବା କେନ୍ଦ୍ର ସରକାର ଅଭିଯୋଗ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ଅଭିଯୋଗ ଆଣିବା ସହ ସଂଗଠନର ପ୍ରତିଷ୍ଠାତା ଅଭିଜିତ ଦୀପକେ ଓ ସହପ୍ରତିଷ୍ଠାତା ଆଶୁତୋଷ ରାଙ୍କାଙ୍କ ନାମ ନେଇଛନ୍ତି । ତେବେ ସିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି। ଅନ୍ୟପକ୍ଷରେ ଅଭିଯୋଗର ପ୍ରମାଣ ଦେବାକୁ କଂଗ୍ରେସ ନେତା ଦାବି କରିଛନ୍ତି ।
ବେଙ୍ଗାଲୁରୁରେ ସାମ୍ବାଦିକମାନଙ୍କୁ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ସିଜେପିକୁ ଦେଶ ଭିତରେ ଓ ବାହାରେ ଥିବା ଅନଧିକୃତ ଉତ୍ସ, ଭାରତ ବିରୋଧୀ ଅନୁଷ୍ଠାନ ଏବଂ ବିଦେଶୀ ଅର୍ଥରେ ପରିଚାଳିତ ବେସରକାରୀ ସଂଗଠନଗୁଡ଼ିକରୁ ପାଣ୍ଠି ମିଳୁଛି । ଏହାର ଯଥେଷ୍ଟ ପ୍ରମାଣ ଥିବା ସେ ଦାବି କରିଛନ୍ତି । ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆମେରିକାର କିଛି ଦାତାଙ୍କଠାରୁ ଅର୍ଥ ପାଉଥିବା ବେଳେ ଆଶୁତୋଷ ରାଙ୍କାଙ୍କୁ ପାକିସ୍ତାନୀ ରାଜନେତାମାନେ ଅର୍ଥ ଦେଉଥିବା ସେ ଅଭିଯୋଗ କରିଛନ୍ତି ।
ବିଦେଶୀ ଅର୍ଥରେ ପରିଚାଳିତ ଏନ୍ଜିଓ, ଗୁପ୍ତ ବାହ୍ୟ ଶକ୍ତି ଓ ଭାରତ ବିରୋଧୀ ସଂଗଠନଗୁଡ଼ିକ ମିଳିତ ଭାବେ ଦେଶରେ ଏକ ଭୁଲ୍ ଧାରଣା ସୃଷ୍ଟି କରୁଛନ୍ତି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି । ଗତ ଏକ ମାସ ଧରି ସିଜେପିର କାର୍ଯ୍ୟକଳାପ ଦେଶରେ ବିଦ୍ରୋହ ଓ ଅରାଜକତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚାଲିଥିବା ସେ ଅଭିଯୋଗ କରିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗକୁ ସିଜେପି ଖଣ୍ଡନ କରିଛି । ଗୁରୁବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ବିବୃତି ଜାରି କରି ସଂଗଠନ କହିଛି ଯେ ଜଣେ କେନ୍ଦ୍ରମନ୍ତ୍ରୀ ଯେକୌଣସି କଥା କହିଦେଇ ଦାୟିତ୍ୱରୁ ଖସିଯାଇପାରୁଛନ୍ତି । ଉଚ୍ଚ ପଦପଦବିରେ ଥିବା ବ୍ୟକ୍ତିଙ୍କ କଥାର ମୂଲ୍ୟ କ୍ରମଶଃ ହ୍ରାସ ପାଉଥିବା ଏହାର ପ୍ରମାଣ ବୋଲି ସଂଗଠନ କହିଛି ।
ସୌଜନ୍ୟ ସମ୍ବାଦ




