ଜାତୀୟ

ଏନ୍‌ଇଇଟି ପରେ ସରକାରଙ୍କ ଚିନ୍ତା ବଢ଼ାଇଛି ଇ-୨୦ ଅସନ୍ତୋଷ: ଅଗଷ୍ଟ ୪ରେ…

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଏନ୍‌ଇଇଟି ବିବାଦ ପରେ ଏବେ ୨୦% ଇଥାନଲ୍‌-ମିଶ୍ରିତ ପେଟ୍ରୋଲ (ଇ-୨୦)କୁ ନେଇ କେନ୍ଦ୍ର ସରକାରଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀର କେତେକ ପ୍ରମୁଖ ପରିବହନ ସଂସ୍ଥା ଇ-୨୦ ପେଟ୍ରୋଲ୍‌ର ପ୍ରତ୍ୟାହାର ଦାବିରେ ଆସନ୍ତା ଅଗଷ୍ଟ ୪ରେ ସଂସଦ ଭବନ ପର୍ଯ୍ୟନ୍ତ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରିବାକୁ ଘୋଷଣା କରିଛନ୍ତି। ଦିଲ୍ଲୀ ଟାକ୍ସି ଆଣ୍ଡ୍‌ ଟୁରିଷ୍ଟ ଟ୍ରାନ୍ସପୋର୍ଟର୍ସ ଆଣ୍ଡ୍‌ ଟୁର୍‌ ଅପରେଟର୍ସ ଆସୋସିଏଶନ ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଏହି ଆହ୍ବାନ ଦିଆଯାଇଛି। ଆସୋସିଏଶନର ସଭାପତି ସଞ୍ଜୟ ସମ୍ରାଟ କହିଛନ୍ତି, ଇଥାନଲ୍‌ ମିଶ୍ରିତ ପେଟ୍ରୋଲ ଯୋଗୁ ସାରା ଦେଶରେ ଗାଡ଼ିଗୁଡ଼ିକରେ ନାନା ଜଟିଳ ସମସ୍ୟା ଦେଖାଦେଉଛି। ଏହି ବିଷୟରେ ଏମ୍‌ପିମାନଙ୍କୁ ଚେତାଇବା ପାଇଁ ଏହି ପ୍ରତିବାଦ କରାଯାଉଛି। ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ କିମ୍ବା ଏହା ପଛରେ କୌଣସି ରାଜନୈତିକ ଦଳର ହାତ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
‘ଅଲ୍‌ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ’ର ଜାତୀୟ ସଭାପତି ହରୀଶ ସଭରୱାଲ ଏବଂ ‘ଅଲ୍‌ ଇଣ୍ଡିଆ ମୋଟର ଆଣ୍ଡ୍‌ ଗୁଡ୍ସ ଟ୍ରାନ୍ସପୋର୍ଟ ଆସୋସିଏଶନ’ର ସଭାପତି ରାଜେନ୍ଦ୍ର କପୁର କହିଛନ୍ତି, ସରକାର ଗାଡ଼ି ଚାଳକଙ୍କ ଉପରେ ବାଧ୍ୟତାମୂଳକ ଭାବେ ଇ-୨୦ ଇନ୍ଧନ ଲଦି ଦେଉଛନ୍ତି। ଗ୍ରାହକଙ୍କୁ ସାଧାରଣ ପେଟ୍ରୋଲ ବାଛିବାର କୌଣସି ବିକଳ୍ପ ଦିଆଯାଉନାହିଁ। ଇ-୨୦ ପେଟ୍ରୋଲ ଯୋଗୁ ଗାଡ଼ିଗୁଡ଼ିକର ଇଞ୍ଜିନ କ୍ଷତିଗ୍ରସ୍ତ ହେଉଥିବାରୁ ସାଧାରଣ ପେଟ୍ରୋଲ ବଜାରରେ ଉପଲବ୍ଧ କରାଯିବା ଉଚିତ।
ଅନ୍ୟପକ୍ଷରେ ଇନ୍‌ଷ୍ଟାଗ୍ରାମ୍‌ ଏବଂ ‘X’ ଭଳି ସୋସିଆଲ ମିଡିଆ ମଞ୍ଚରେ ଇ-୨୦ ଇନ୍ଧନ ବିରୋଧରେ ଇ-୨୦ ଜନତା ପାର୍ଟି(ଇଜେପି) ନାମକ ଏକ ଅନଲାଇନ ଆନ୍ଦୋଳନ ଜୋରଦାର୍‌ ଚାଲିଛି, ଯାହାକୁ ବହୁ ସଂଖ୍ୟାରେ ଲୋକ ସମର୍ଥନ କରୁଛନ୍ତି। ଗାଡ଼ିର ମାଇଲେଜ କମିବା, ଇଞ୍ଜିନ ଶୀଘ୍ର ଖରାପ ହେବା ଏବଂ କେତେକ ନିର୍ଦ୍ଦିଷ୍ଟ ସ୍ବାର୍ଥ ରହିଥିବା ଅଭିଯୋଗକୁ ନେଇ ଏହି ନୀତି ବିବାଦ ଘେରକୁ ଆସିଛି। କିନ୍ତୁ ସରକାର ଏହି ନୀତିର ସମର୍ଥନ କରି କହିଛନ୍ତି, ଇ-୨୦ ଇନ୍ଧନ ସମ୍ପୂର୍ଣ୍ଣ ସୁରକ୍ଷିତ, ପରିବେଶ ଅନୁକୂଳ ଏବଂ ଏହା ଦ୍ୱାରା ଦେଶର ଚାଷୀମାନେ ଲାଭବାନ ହେଉଛନ୍ତି। ଏହାସହ ୨୦%ରୁ ଅଧିକ ଇଥାନଲ୍‌ ମିଶ୍ରଣ କରିବାର କୌଣସି ତୁରନ୍ତ ଯୋଜନା ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button