ଦେଶ ବିଦେଶ

ଦୁଇ ଦେଶର ଯୁଦ୍ଧ ଜାହାଜ ଧକ୍କା ହେବା ଘଟଣା; ପାକିସ୍ତାନର ସଫେଇକୁ ଭାରତର ଅଗ୍ରାହ୍ୟ

ନୂଆଦିଲ୍ଲୀ: ଉତ୍ତର ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧଜାହାଜ ‘ଆଇଏନ୍‌ଏସ୍ କଲକାତା’ ଓ ପାକିସ୍ତାନୀ ନୌସେନା ଜାହାଜ ‘ପିଏନ୍‌ଏସ୍ ହୁନେନ୍’ ମଧ୍ୟରେ ହୋଇଥିବା ଧକ୍କାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ପାକିସ୍ତାନର ସଫେଇକୁ ଭାରତ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିବା ସହ ପାକିସ୍ତାନ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଛି ବୋଲି କହିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ପାକିସ୍ତାନ ଯେଉଁ ପ୍ରତିକ୍ରିୟା ଦେଇଛି ତାହା ଛଳନାପୂର୍ଣ୍ଣ। ଏହା ଅସତ୍ୟ ଉପରେ ଆଧାରିତ। ତେଣୁ ପାକିସ୍ତାନର ସମସ୍ତ ଅଭିଯୋଗକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ, ପାକିସ୍ତାନୀ ଯୁଦ୍ଧଜାହାଜ ‘ପିଏନଏସ୍‌ ହୁନେନ’ ଦ୍ରୁତ ଗତିରେ ଆସି ବେପରୁଆ ଭାବେ ଗତିପଥ ବଦଳାଇଥିଲା ଓ ଆଇଏନ୍‌ଏସ୍‌ କଲକାତାକୁ ଧକ୍କା ଦେଇଥିଲା। ଏହା ୧୯୯୧ ମସିହାର ଦ୍ୱିପାକ୍ଷିକ ଚୁକ୍ତିର ଧାରା ୧୦ର ଉଲ୍ଲଙ୍ଘନ। ଏହି ଚୁକ୍ତି ଅନୁଯାୟୀ ଦୁଇ ଦେଶର ସାମରିକ ଜାହାଜ ମଧ୍ୟରେ ଅତିକମରେ ୩ ନଟିକାଲ୍ ମାଇଲ୍ (ପ୍ରାୟ ୫.୫ କିମି) ଦୂରତା ରହିବା ବାଧ୍ୟତାମୂଳକ। ଏହି ଅସୁରକ୍ଷିତ ଗତିବିଧି ଦ୍ୱାରା ପାକିସ୍ତାନ ଯୁଦ୍ଧଜାହାଜ ଅନ୍ତର୍ଜାତୀୟ ସାମୁଦ୍ରିକ ନିୟମର ମଧ୍ୟ ଉଲ୍ଲଙ୍ଘନ କରିଛି। ଭାରତର ୭,୪୦୦ ଟନ୍ ବିଶିଷ୍ଟ ମିସାଇଲ୍ ଡିଷ୍ଟ୍ରୋୟର୍ ‘ଆଇଏନଏସ୍‌ କଲକାତା’ର କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ। ଏହା ନିଜର ସାମୁଦ୍ରିକ ପାଟ୍ରୋଲିଂ ଜାରି ରଖିଛି। ଅନ୍ୟପଟେ ପାକିସ୍ତାନର ୨,୬୦୦ ଟନ୍ ବିଶିଷ୍ଟ ‘ପିଏନ୍‌ଏସ୍ ହୁନେନ’ ଏହି ଧକ୍କାରେ କ୍ଷତିଗ୍ରସ୍ତ ହୋଇ ମରାମତି ପାଇଁ ନିଜ ବନ୍ଦର (ବେସ୍‌)କୁ ଫେରିବାକୁ ବାଧ୍ୟ ହୋଇଛି। ଭାରତ ସରକାର ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରି ଏପରି କାର୍ଯ୍ୟ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ମଙ୍ଗଳବାର ପାକିସ୍ତାନ ଯୁଦ୍ଧଜାହାଜ ଉତ୍ତର ଆରବ ସାଗରର ଆନ୍ତର୍ଜାତିକ ଜଳସୀମାରେ ଭାରତ ଯୁଦ୍ଧଜାହାଜକୁ ଦ୍ରୁତ ବେଗରେ ଆସି ଧକ୍କା ଦେଇଥିଲା। ଓମାନ ଉପସାଗର ଠାରୁ ୧୨୦ ନଟିକାଲ ମାଇଲ ଦୂରରେ ଏହି ଧକ୍କା ହୋଇଥିଲା।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button