ଜିଲ୍ଲାରାଜ୍ୟ

କଳାହାଣ୍ଡିରେ ଇନ୍ଦ୍ରକୋପ

ଭବାନୀପାଟଣା : କଳାହାଣ୍ଡିରେ ଲଗାଣ ବର୍ଷା ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶନିବାରରୁ ରବିବାର ସକାଳ ସୁଦ୍ଧା ୧୦୨୩ ମିମି ବର୍ଷା ରେକର୍ଡ ହୋଇଛି। ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ୩୪୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଜୟପାଟଣା ବ୍ଲକରେ ୨୦୦ ମିମି, କଲମପୁର ବ୍ଲକରେ ୧୪୬ ମିମି, ଜୁନାଗଡ଼ ବ୍ଲକରେ ୧୦୫ ମିମି, କୋକସରାରେ ୧୦୨ ମିମି ବର୍ଷା ରେକର୍ଡ କରାଯାଇଛି। ଥୁଆମୂଳ ରାମପୁର, ଜୟପାଟଣା, କଲମପୁର, ଜୁନାଗଡ଼, କୋକସରା ଆଦି ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜର ଜଳଧାରଣ କ୍ଷମତା ଶୀର୍ଷରେ ପହଞ୍ଚିଛି। ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ୍ ଖୋଲାଯାଇଛି। ପ୍ରତି ସେକେଣ୍ଡରେ ୪୧୨ କ୍ୟୁମେକ୍ସ ପାଣି ହାତୀ ନଦୀକୁ ଛଡ଼ା ଯାଉଥିବାରୁ ହାତୀନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି। ଗତକାଲି ସକାଳ ଠାରୁ ଇନ୍ଦ୍ରାବତୀ ପ୍ରକଳ୍ପ ପାୱାର ହାଉସରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରଖାଯାଇଛି। ଧର୍ମଗଡ଼ ଉପଖଣ୍ଡର ହାତୀ ନଦୀ, ମୁଡ୍ରା ନଦୀ, ବେହେରା ନଦୀ, କମଳ ନଦୀ, ହାଲେର ଜୋରରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଛି। ବେହେରା ନଦୀରେ ବନ୍ୟା ଜଳ ଆସିବା ଯୋଗୁଁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଡୋକରିଚଞ୍ଚରାକୁ ସଂଯୋଗକାରୀ ରାସ୍ତା ଧୋଇ ହୋଇଯାଇଛି।
କୋକସରା ଅଞ୍ଚଳରେ ପ୍ରାୟ ୩୦ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିବା ବର୍ଷା ଯୋଗୁଁ ଦୁର୍ଦ୍ଦଶା ବୃଦ୍ଧି ପାଇଛି।
କୋକସରା ବ୍ଲକରେ ୧୦୨ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ପର୍ଯ୍ୟଟନ ସ୍ଥଳ ଗୁଡ଼ହାଣ୍ଡି ଡୋକରୀଚଞ୍ଚରାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଖଲିଗଡ଼ ସ୍ଥିତ ଡୁମେରଦର ପୋଲ ଧୋଇ ହୋଇଯାଇଛି। ଖୁଣ୍ଟିଆ ପଞ୍ଚାୟତ ଅନ୍ତର୍ଗତ ବାରବଖରା ଗାଁର ୫ପରିବାର ଚାଷ ଜମିକୁ ଯାଇଥିବା ବେଳେ ମୁଟୁରା ନଦୀରେ ହଠାତ୍ ପାଣି ବଡ଼ି ଯିବାରୁ ଜଳସ୍ରୋତରେ ଫସି ରହିଥିଲେ। ପରେ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ସେହିପରି କୁଲେରଗୁଡ଼ା-ଟେମରାକୁ ସଂଯୋଗ କରୁଥିବା ବେହେରା ନାଳାର ଖୁର୍ସେଲଗୁଡ଼ା ନିକଟସ୍ଥ ପୋଲରେ ଘାଇ ହେବା ସହ ରାସ୍ତା ଉପରେ ପାଣି ବହୁଛି। ଲଡ଼ୁଗାଁ, ସୁପାଡ଼ ରାସ୍ତାରେ ଥିବା ଅସ୍ଥାୟୀ ପୋଲରେ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୨୬ ନମ୍ବର ଜାତୀୟ ରାଜପଥର କୁସୁମଖୁଣ୍ଟି ନିକଟରେ ଗଛ ପଡ଼ିଥିବାରୁ ଯୋଗାଯୋଗ ପ୍ରଭାବିତ ହୋଇଥିଲା। ବଡ଼ପୋଡ଼ାଗୁଡ଼ା ଗ୍ରାମ ଦେଇ ପ୍ରବାହିତ ହେଉଥିବା ମୁଟୁରା ନଦୀ ଉପରେ ପାଣି ପ୍ରଭାହିତ ହୋଇ ଚାଷ ଜମି ଜଳମଗ୍ନ ହୋଇଛି। ବାଞ୍ଜିବାହାଲରେ ତିନୋଟି ଟ୍ରାନ୍ସଫର୍ମର ଅଚଳ ହୋଇ ପଡ଼ିବାରୁ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି।
ଇନ୍ଦ୍ରାବତୀ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ହାତୀ ନଦୀରେ ପାଣି ଛଡ଼ା ଯିବାରୁ କଲମପୁର ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟାରେ କଲମପୁର ବ୍ଲକ ଅଞ୍ଚଳରେ ୧୪୬. ୪ ମିମି ବର୍ଷା ରେକର୍ଡ କରାଯାଇଛି। ହାତୀନଦୀ କୂଳରେ ଥିବା ବାଲିଛଡ଼ା ଗାଁକୁ ସଂଯୋଗ ହୋଇଥିବା ରାସ୍ତାରେ ପ୍ରାୟ ୩ ଫୁଟ ପାଣି ପ୍ରବାହିତ ହେଉଛି। ବାଲିଛଡ଼ା ଗାଁ ପାଣିଘେରରେ ରହିଛି। ବିରିପୁର, କରମେଲ, ପରୁଆଗୁଡ଼ା, ବୋଦେଲବନ୍ଦ, ଟେମରା, ବଙ୍କାପଲା ଆଦି ଗାଁରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପରୁଆଗୁଡ଼ା ତଳପଡ଼ା ଓ ବୋଦେଲବନ୍ଧ ଗାଁକୁ ପାଣି ପଶିବା ପରେ ପ୍ରଶାସନ ପହଞ୍ଚି ଲୋକଙ୍କୁ ଉଦ୍ଧାର କରାଯାଇଥିବା ପ୍ରକାଶ। ତଳପଡ଼ାର ପ୍ରାୟ ୨୦୦ ଜଣଙ୍କୁ ପରୁଆଗୁଡ଼ା ସ୍କୁଲରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଇଛି। ଲଗାଣ ବର୍ଷାରେ ଥୁଆମୂଳ ରାମପୁର ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁଣୁପୁରର ୪ ପରିବାର ପାଣି ଘେରରେ ରହିଛନ୍ତି। ଗୋପାଳପୁର ପଞ୍ଚାୟତ ସର୍ଗିଗୁଡ଼ା ଠାରୁ ଭଟାଗୁଡ଼ା ରାସ୍ତାରେ ଘାଇ ହୋଇଯାଇଛି। ଥୁଆମୂଳ ରାମପୁର କାଶୀପୁରକୁ ବସ ସେବା ବନ୍ଦ ହୋଇ ଯାଇଛି। ଇନ୍ଦ୍ରାବତୀ ନଦୀ ପୋଲ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଛି। ଫେଟଫୁଲା ନଦୀ, ଶଗଡ଼ା ନଦୀ, ନାଗାବଳି ନଦୀରେ ଅଧିକା ପାଣି ପ୍ରବାହିତ ହେଉଥିବାରୁ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button