ଜିଲ୍ଲାରାଜ୍ୟ

‘ବ୍ଲାକରୋଜ୍‌’ ପରେ ‘ଓସେନ୍‌ ୱିନର’ ; ଜାହାଜ ବୁଡ଼ିର କାରଣ ଖୋଜା

ପାରାଦ୍ବୀପ : ଠିକ୍‌ ୧୭ବର୍ଷ ପରେ ପୁଣି ପାରାଦ୍ବୀପ ବନ୍ଦରରେ ଜାହାଜ ବୁଡି ଘଟଣାର ପୁନରାବୃତ୍ତି ଘଟିଛି। ୧୭ବର୍ଷ ତଳେ ପାରାଦ୍ବୀପ ବନ୍ଦରରୁ ଲୁହାପଥର ନେଇ ଯାଉଥିବା ‘ବ୍ଲାକ ରୋଜ’ ଗଭୀର ସମୁଦ୍ରରେ ବୁଡି ଯାଇଥିଲା। ଏହି ଜାହାଜ ବୁଡିଯିବାର କୌଣସି ନିର୍ଦିଷ୍ଟ କାରଣ ଏ ପର୍ଯ୍ୟନ୍ତ ଜଣାପଡିନି। ‘ବ୍ଲାକ ରୋଜ’ ପରି ଗତକାଲି ପାରାଦ୍ବୀପ ବନ୍ଦରଠାରୁ ପ୍ରାୟ ୩୬୦କିମି ଦୂର ଗଭୀର ସମୁଦ୍ରରେ ଲୁହାପଥର ନେଇ ସିଙ୍ଗାପୁର ଅଭିମୁଖେ ଯାଉଥିବା ଜାହାଜ ‘ଓସେନ ଉଇନର’ ବୁଡିଯାଇଛି। ଏହି ଜାହାଜରେ ୨୪ଜଣ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ସଦସ୍ୟଙ୍କୁ ବନ୍ଦର ଅଭିମୁଖେ ଆସୁଥିବା ଏକ ତୈଳବାହୀ ଜାହାଜର କର୍ମଚାରୀଗଣ ଉଦ୍ଧାର କରିଥିଲେ। ଏ ପର୍ଯ୍ୟନ୍ତ ଅନ୍ୟ ୨୨ଜଣ କର୍ମଚାରୀଙ୍କ କୌଣସି ପତ୍ତା ମିଳିନାହିଁ। ସମୁଦ୍ରରେ ଜାହାଜ ବୁଡିବା ପରେ ଜାହାଜରେ ମାଲ ଭର୍ତ୍ତି ହେବାର ସଠିକ ଯାଞ୍ଚ କରାଯାଉଛି କି ନାହିଁ, ଜାହାଜରେ କ୍ଷମତାଠାରୁ ଅଧିକ ଲୁହାପଥର ନେବା ପାଇଁ ବନ୍ଦର କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ କି ନାହିଁ, ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୁହାଯାଉଛି, ଜାହାଜରେ ବିଦେଶକୁ ରପ୍ତାନୀ ହେଉଥିବା ଲୁହାପଥରକୁ ଅତ୍ୟନ୍ତ ବେପରୁଆ ଢଙ୍ଗରେ ବନ୍ଦର ଭିତରେ ମହଜୁଦ କରାଯାଉଛି। ବର୍ଷାରେ ଓଦା ଲୁହାପଥର ଗୁଣ୍ଡକୁ ଜାହାଜରେ ଭର୍ତ୍ତି କରାଯାଇଥିଲା। ମାଲ ପରିବହନ କ୍ଷମତାଠାରୁ ଅଧିକ ଓଜନ ହେବାରୁ ଭାରସାମ୍ୟ ହରାଇ ଜାହଜଟି ବୁଡି ଯାଇଥିବା ଆଶଙ୍କା କରାଯାଉଛି । ତେବେ ଏନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଛି।
ପ୍ରକାଶ ଯେ, ପାରାଦ୍ବୀପ ବନ୍ଦରରୁ ଲୁହାପଥର ବୋଝେଇ କରି ‘ଓସେନ ଉଇନର’ ଜାହାଜ ସିଙ୍ଗାପୁର ଅଭିମୁଖେ ଯାଉଥିଲା। ଜାହାଜରେ ପାନାମା ଦେଶର ପତାକା ଲାଗିଥିଲା। ଉକ୍ତ ଜାହାଜରେ ୨୪ କ୍ରୁ-ସଦସ୍ୟ ଥିଲେ। ନିଖୋଜ ୨୨ଜଣ କ୍ରୁ ସଦସ୍ୟଙ୍କ ସନ୍ଧାନ ମିଳିପାରିନାହିଁ।
ଜାହାଜ ବୁଡ଼ିବା ସମୟରେ ସେଥିରେ ଥିବା କର୍ମଚାରୀ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧି ସମୁଦ୍ରକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ଜାହାଜରେ ୨୦ ଜଣ ଚୀନ୍‌ ନାଗରିକ, ଜଣେ ବାଂଲାଦେଶର ନାଗରିକ ଓ ୩ ଜଣ ମିଆଁମାର ନାଗରିକ ଥିଲେ।
ସୂଚନାଥାଉ କି, ଜାହାଜଟି ୨୦ ତାରିଖରେ ପାରାଦ୍ବୀପ ବନ୍ଦର ଛାଡ଼ି ସିଙ୍ଗାପୁର ଅଭିମୁଖେ ଯାଉଥିଲା। ୨୧ ତାରିଖରେ ପାରାଦ୍ବୀପଠାରୁ ୩୬୦ କି.ମି. ଦୂରରେ ଥିବା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ନିକଟରେ ଥିବାବେଳେ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଯୋଗାଯୋଗ ବିଚ୍ଛିନ୍ନ ପରେ ଜାହାଜକୁ ଖୋଜାଖୋଜି କରାଯାଇଥିଲା। ଜାହାଜର ଅବସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଆଣ୍ଡାମାନର ତଟରକ୍ଷୀବାହିନୀ ଓ ନୌସେନା ପହଞ୍ଚି ଖୋଜାଖୋଜି କରିଥିବା ଜଣାପଡ଼ିଛି। ପାରାଦ୍ବୀପକୁ ଆସୁଥିବା ଲୁହାପଥରକୁ ସୁରକ୍ଷାର ସହିତ ଅଣାଯାଉନାହିଁ। । ଜାହାଜରେ ଯେତିକି ଉଚ୍ଚତା ପର୍ଯ୍ୟନ୍ତ ଲୁହାପଥର ଲୋଡିଂ ହେଲେ ଏହାର ଓଜନ ଜାହାଜ କ୍ଷମତା ଭିତରେ ରହୁନାହିଁ। ଓଦା ଲୁହାପଥରକୁ କାଦୁଆ ଆକାରରେ ଲୋଡିଂ ଯୋଗୁଁ ଏହାର ଓଜନ ପାଖାପାଖି ଦୁଇରୁ ତିନି ଗୁଣା ହେଉଛି। ଏଥିଯୋଗୁଁ ଜାହାଜର ଭାରସାମ୍ୟ ବିଗାଡ଼ିବାର କାରଣ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ତେବେ ଜାହାଜ ବୁଡ଼ି ଘଟଣାର ଅଧିକ ତଦନ୍ତ ହେଲେ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button