ରତ୍ନାକର ଭୋଇ
ସମ୍ବଲପୁର: ରାଜ୍ୟ ସରକାରଙ୍କ ରାଜସ୍ବ ସେବା ତ୍ବରାନ୍ବିତ କରିବାରେ ରାଜସ୍ବ ଡିଭିଜନ୍ଗୁଡ଼ିକର ପ୍ରମୁଖ ଭୂମିକା ରହିଥିବାବେଳେ ଏବେ କିନ୍ତୁ ଏସବୁ କାମଚଳା ସ୍ଥିିତିକୁ ଚାଲିଆସିଛି। ରାଜ୍ୟର ସମସ୍ତ ରାଜସ୍ବ ଡିଭିଜନ୍ ଏବେ କାମଚଳା ଆର୍ଡିସିଙ୍କୁ ନେଇ ଚାଲିଛି। ଖାଲି ପଦ ପୂରଣ ଦିଗରେ ଗୁରୁତ୍ବ ଦିଆଯାଉନାହିଁ। ଏପଟେ ଲୋକଙ୍କୁ ନିଜର ବିଭିନ୍ନ ସମସ୍ୟା ନେଇ ବାରମ୍ବାର ଦୌଡ଼ିବାକୁ ପଡ଼ୁଛି।
ରାଜ୍ୟ ସରକାର ଲୋକଙ୍କୁ ସୁବିଧା ଓ ସହଜର ରାଜସ୍ବ ସେବା ପ୍ରଦାନ କରିବା ପାଇଁ ରାଜ୍ୟର ୩୦ଟି ଜିଲ୍ଲାକୁ ୩ଟି ରାଜସ୍ବ ଡିଜିଭନ୍ରେ ବିଭକ୍ତ କରିଛନ୍ତି। ପୂର୍ବରୁ କେନ୍ଦ୍ରାଞ୍ଚଳ ରାଜସ୍ବ ଡିଭଜନ୍, କଟକ, ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ, ବ୍ରହ୍ମପୁର ଏବଂ ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ୍, ସମ୍ବଲପୁର ଅଧୀନରେ ୧୦ଟି ଲେଖାଏଁ ଜିଲ୍ଲା ରହିିଥିଲା। ତେବେ, ଜନସାଧାରଣଙ୍କ ଦାବି ଏବଂ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ସମ୍ବଲପୁର ରାଜସ୍ବ ଡିଭିଜନ୍ରେ ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାକୁ ସାମିଲ କରାଯାଇଛି। ପ୍ରତ୍ୟେକ ରାଜସ୍ବ ଡିଭିଜନ୍ରେ ଆଗରୁ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଆର୍ଡିସି ଭାବେ ନିଯୁକ୍ତି ଦିଆଯାଉଥିଲା। ହେଲେ, ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆର୍ଡିସି ପଦରେ ସ୍ଥାୟୀ ନିଯୁକ୍ତି ଦିଆ ନ ଯାଇ କାମଚଳା ଅଧିକାରୀଙ୍କୁ ନେଇ ରାଜସ୍ବ ଡିଭିଜନ୍ଗୁଡ଼ିକ ପରିଚାଳନା କରାଯାଉଛି।
କଟକ ରାଜସ୍ବ ଡିଭିଜନ୍ର ଆର୍ଡିସି ଭାବେ ଅତିରିକ୍ତ ଦାୟିିତ୍ବରେ ଥିଲେ ଗୁହା ପୁନମ ତାପସ କୁମାର। ନିକଟରେ ଗୁହା ପୁନମ ତାପସ କୁମାରଙ୍କଠାରୁ କଟକ ଆର୍ଡିସି ପଦର ଅତିରିକ୍ତ ଦାୟିତ୍ବ ପ୍ରତ୍ୟାହାର କରାଯାଇ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲଙ୍କୁ ଏହାର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେପଟେ ବ୍ରହ୍ମପୁରର ଭାରପ୍ରାପ୍ତ ଆର୍ଡିସି ଭାବେ କାର୍ଯ୍ୟ ତୁଳାଉଥିବା ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସମ୍ବଲପୁର ଆର୍ଡିସି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏହା ପୂର୍ବରୁ ସଚିନ ରାମଚନ୍ଦ୍ର ଯାଦବ ସମ୍ବଲପୁର ଆର୍ଡିସି ପଦର ଅତିରିକ୍ତ ଦାୟିତ୍ବରେ ରହିଥିଲେ। ଶ୍ରୀ ମହାପାତ୍ରଙ୍କୁ ପଶ୍ଚିମଓଡ଼ିଶା ବିକାଶ ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ତୁଲାଇବାକୁ ନିର୍ଦ୍ଦେଶ ହୋଇଛି। ପଶ୍ଚିମ ଓଡ଼ିଶା ବିିକାଶ ପରିଷଦର ମୁଖ୍ୟାଳୟ ରାଜଧାନୀ ଭୁବନେଶ୍ବରରେ ରହିଛି। ଏଭଳି ସ୍ଥିତିରେ ଶ୍ରୀ ମହାପାତ୍ର କୌଣସି ଜାଗାରେ ମାସ ସାରା ରହିପାରିବେ ନାହିଁ କି ନିଜ ପୂରା ସମୟ କୌଣସି ଗୋଟିଏ ପଦ ପାଇଁ ଦେଇପାରିବେ ନାହିଁ। କିଛିଦିନ ତାଙ୍କୁ ବ୍ରହ୍ମପୁର ତ ଆଉ କିଛି ଭୁବନେଶ୍ବର, ପୁଣି ବାକି ଦିନଗୁଡ଼ିକ ସମ୍ବଲପୁର ଆର୍ଡିସି ଭାବେ ଦାୟିତ୍ବ ନିର୍ବାହ କରିବାକୁ ପଡ଼ିବ।
ଉଲ୍ଲେଖଯୋଗ୍ୟ, ଶ୍ରୀ ଯାଦବଙ୍କର କ୍ରୀଡ଼ା ଓ ଯୁବସେବା ସଚିବ ଭାବେ ବଦଳି ପରେ ଗତ ୮ ମାସ ଧରି ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନ ସମ୍ବଲପୁରରେ ଆର୍ଡିସି ପଦ ଏକପ୍ରକାର ଖାଲି ପଡ଼ିଛି। ସେ ଅତରିକ୍ତ ଦାୟିତ୍ବରେ ଥିଲେ ବି କ୍ବଚିତ୍ ସମ୍ବଲପୁର ଆସୁଥିଲେ। ଫଳରେ ଜନସାଧାରଣ ଓ ପ୍ରଶାସନିକ ସ୍ତରରେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଆର୍ଡିସିଙ୍କ ସହ ତାଙ୍କ ଦପ୍ତରର ସଚିବ ପଦ ବି ପ୍ରାୟ ୮ ମାସ ହେଲା ଖାଲି ପଡ଼ିଛି। ଅସ୍ଥାୟୀ ସଚିବ ଭାବେ ଆଉ ଜଣେ କନିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଆର୍ଡିସି ନିଯୁକ୍ତ ହେଉ ନ ଥିବାରୁ ପ୍ରାୟତଃ ସବୁ ରାଜସ୍ବ ଡିଭିଜନରେ ଏକପ୍ରକାର ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ଦୈନନ୍ଦିନ କାମ ପାଇଁ ବି କର୍ମଚାରୀମାନଙ୍କୁ ଆର୍ଡିସି ଦାୟିତ୍ବରେ ଥିବା ଅଧିକାରୀ ଯେଉଁ ସହରରେ ରହୁଛନ୍ତି, ଫାଇଲ୍ ଧରି ସେଠାକୁ ଦୌଡ଼ିବାକୁ ପଡ଼ୁଛି। ଏହାଦ୍ବାରା କେବଳ ସମୟ ନଷ୍ଟ ହେଉନାହିଁ, ସରକାରୀ ଅର୍ଥ ମଧ୍ୟ ଅଯଥାରେ ଖର୍ଚ୍ଚ ହେବା ସହିତ ରାଜକୋଷର କ୍ଷତି ହେଉଛି।
ସୌଜନ୍ୟ ସମ୍ବାଦ
