କିଏ ଯିବ ରାଜ୍ୟସଭା ସସ୍‌ପେନ୍ସ ଜାରି: ଆଜିଠାରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ

ଗୁରୁବାରଠାରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ଦାଖଲ । ମାର୍ଚ୍ଚ ୬ରେ ନାମାଙ୍କନ ଯାଞ୍ଚ ଓ ୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ୧୬ରେ ହେବ ଭୋଟ ।

ଭୁବନେଶ୍ୱର ୨୬/୦୨: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି । ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା । ଏହାସହ ବିଧିବଦ୍ଧ ଭାବେ ରାଜ୍ୟସଭା ମହାସମର ପାଇଁ ବାଜିବ ରଣଦୁନ୍ଦୁଭି । ସାଂସଦ ସୁଜିତ କୁମାର, ମମତା ମହନ୍ତ, ନିରଞ୍ଜନ ବିଶି, ମୁନ୍ନା ଖାଁଙ୍କ ରାଜ୍ୟସଭା ଆସନ ଖାଲି ହେଉଛି ଏପ୍ରିଲରେ । ଖାଲି ହେଉଥିବା ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ।

ଗୁରୁବାରଠାରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ଦାଖଲ । ମାର୍ଚ୍ଚ ୬ରେ ନାମାଙ୍କନ ଯାଞ୍ଚ ଓ ୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ୧୬ରେ ହେବ ଭୋଟ । ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଗତକାଲି ସରିଥିବା ବେଳେ ଏବେ ସବୁ ଦଳର ନଜର ରାଜ୍ୟସଭା ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉପରେ । ସଂଖ୍ୟା ଥାଉ କି ନଥାଉ, ସବୁ ଦଳ ଏହି ରେସରେ ଧାଇଁଲେଣି । ଓଡ଼ିଶାରୁ ରାଜ୍ୟସଭା ପାଇଁ ବିଜେପି କାହାକୁ ପ୍ରାର୍ଥୀ କରିବ, ତାହା ଦଳର କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ ।

ଗତ ରବିବାର ପାର୍ଟି କାର୍ଯ୍ୟାଳୟରେ ବିଜେପିର କୋର କମିଟି ବୈଠକ ବସିଥିଲା । ସେଥିରେ ରାଜ୍ୟସଭାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ସୂତ୍ର ଅନୁସାରେ ପ୍ରତି ଆସନ ପାଇଁ ସମ୍ଭାବ୍ୟ ୪ଜଣ ଲେଖାଏଁ ନେତାଙ୍କ ନାମର ପ୍ରସ୍ତାବ ଦେଇଛି କୋର କମିଟି । ଏଭଳି ଭାବେ ୨ଟି ଆସନ ପାଇଁ ୮ଜଣ ନେତାଙ୍କ ନାମ ସମ୍ଭାବ୍ୟ ତାଲିକାରେ ରଖାଯାଇଛି ।

ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁଜିତ କୁମାର, ମମତା ମହାନ୍ତ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସୁକେଶୀ ଓରାମ, ଶାରଦା ଶତପଥୀ, ପୂର୍ଣ୍ଣିମା କେରକେଟାଙ୍କ ନାମକୁ ନେଇ ବେଶ ଚର୍ଚ୍ଚା ରହିଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ଇଚ୍ଛୁକ ନଥିବା କୁହାଯାଉଛି । ଚତୁର୍ଥ ଆସନଉପରେ ବି ବିଜେପିର ନଜର ରହିଛି । ଏଥିପାଇଁ ବିଜେପି ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ ଘୋଷଣା କରିବା ସମ୍ଭାବନା ଥିବା ଶୁଣିବାକୁ ମିଳୁଛି ।

ଏସବୁ ଚର୍ଚ୍ଚା ବାଦ୍ ବିଜେପି କିଛି ନୂଆ ନାଁ ଘୋଷଣା କରି ଚକମା ଦେଇପାରେ । ସବୁ କିଛି କେନ୍ଦ୍ରୀୟ ନେତୃତ୍ୱ ହାତରେ ଛାଡ଼ି ଦିଆଯାଇଛି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଚତୁର୍ଥ ଆସନରେ ପ୍ରାର୍ଥୀ ଦେବା ସହ ବିଜେପି ନିଶ୍ଚିତ ୩ଟି ଆସନ ଜିତିବ । ନିଷ୍ପତ୍ତି ସଂସଦୀୟ ବ୍ୟାପାର କମିଟି ନେବ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗୋଟି ଚାଳନାକୁ ଏବେ ବି ଦଳର ବରିଷ୍ଠ ନେତାଏ ଠଉରାଇ ପାରୁନାହାନ୍ତି ।

ବଡ଼ ପ୍ରଶ୍ନରାଜ୍ୟସଭା ପାଇଁ ନବୀନ କାହାକୁ ଭରସିବେ? ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି କର୍ପୋରେଟ ଜଗତରୁ ରାଜନୀତିକୁ ଆସିଥିବା ତଥା ନବୀନଙ୍କ ରାଜନୈତିକ ସଚିବ ଥିବା ସଂତୃପ୍ତ ମିଶ୍ରଙ୍କୁ ନେଇ । ଦିଲ୍ଲୀ ଦରବାରରେ ସଂତୃପ୍ତଙ୍କ ଦବଦବା ଥିବା କୁହାଯାଉଛି । ଆହୁରି ମଧ୍ୟ ଶୁଣିବାକୁ ମିଳୁଛି, ପୂର୍ବଭଳି ନବୀନ କିଛି ବଡ଼ ସରପ୍ରାଇଜ୍ କାର୍ଡ ଖେଳିପାରନ୍ତି । ତୃଣମୂଳ ସ୍ତରର ଦଳୀୟ ସଂଗଠକ କିମ୍ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ନବୀନ ରାଜ୍ୟସଭା ପଠାଇପାରନ୍ତି । ଏହାବାଦ୍ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମାଙ୍କ ନାମ ଚର୍ଚ୍ଚା ପରିଧିରେ ରହିଛି ।

ବିଜେଡି ଗୋଟିଏ ଆସନ ଜିତିବା ନିଶ୍ଚିତ ଥିବା ବେଳେ ଆଉ ଗୋଟିଏ ଆସନ ବିଜେପିକୁ ନ ଛାଡ଼ିବା ପାଇଁ ଦଳର କିଛି ବରିଷ୍ଠ ନେତା ଖୋଲା ମତ ରଖିଛନ୍ତି । ବିଧାୟକ ଅରୁଣ ସାହୁ, ବଦ୍ରି ପାତ୍ର, ପୂର୍ବତନ ସାଂସଦ ମହେଶ ସାହୁ ପ୍ରମୁଖଙ୍କ ମତ ହେଉଛି, ବିଜେପିକୁ ଅଧିକ ରାଜ୍ୟସଭା ଆସନ ନ ମିଳିବା ଉଚିତ । ଜାତୀୟସ୍ତରର ସୁନାମଧନ୍ୟ ହୃଦରୋଗ ବିଶେଷଜ୍ଞ ଡା. ରମାକାନ୍ତ ପଣ୍ଡାଙ୍କୁ ବିଜେଡି ଚତୁର୍ଥ ଆସନରେ ପ୍ରାର୍ଥୀ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ସୌଜନ୍ୟ Prameya News7

Exit mobile version