ରାଜ୍ୟ

କିଏ ହେବେ ରାଜ୍ୟର ନୂଆ ଡିଜିପି: ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ଭୁବନେଶ୍ୱର,୧୨ା୮(ସୁନିତ୍‌ ମିଶ୍ର): ରାଜ୍ୟର ନୂଆ ଡିଜିପି କିଏ ହେବେ ତାହାକୁ ନେଇ ଏଯାଏଁ କିଛି ସ୍ପଷ୍ଟ ଚିତ୍ର ଆସିପାରି ନାହିଁ। ଇତିମଧ୍ୟରେ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ଡିଜି(ଏଡିଜି) ଭାବେ ଦାୟିତ୍ୱ ତୁଲାଉଥିବା ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସଞ୍ଜୀବ ପଣ୍ଡା ଏବଂ ଯଶବନ୍ତ କୁମାର ଜେଠଓ୍ବାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏହାକୁ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ନୂଆ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ବାଲେଶ୍ୱର ଜିଲାର ଜୟନ୍ତ ଦାସ ଏହି ପିଆଇଏଲ୍‌ ଫାଇଲ୍‌ କରିଥିବା ଜଣାପଡିଛି। ଜୟନ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍‌ ପକ୍ଷ ରଖିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ ଏହି ବିଷୟରେ ଶୁଣାଣି କରିଛନ୍ତି।
ଚିଦାମ୍ବରମ୍‌ ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ କହିଛନ୍ତି, ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ନିକଟକୁ ୧୧ ଜଣିଆ ଆଇପିଏସ୍‌ ଅଫିସରଙ୍କ ତାଲିକା ପଠାଇଥିଲେ। ୟୁପିଏସ୍‌ସି ପକ୍ଷରୁ ଉକ୍ତ ୧୧ ଜଣିଆ ତାଲିକା ମଧ୍ୟରୁ ଚୁଡ଼ାନ୍ତ ୩ ଜଣ ଆଇପିଏସ୍‌ ଅଫିସରଙ୍କ ନାମ ଚୟନ କରିବାର ଥିଲା। ଏଥିଲାଗି ରାଜ୍ୟ ସରକାରଙ୍କ ଅଧିକାରୀ, କେନ୍ଦ୍ର ସରକାରଙ୍କ ଅଧିକାରୀ ଏବଂ ୟୁପିଏସ୍‌ସି ବୋର୍ଡ ମଧ୍ୟରେ ବୈଠକ ହୋଇଥିଲା। ମାତ୍ର ଗତ ଅଗଷ୍ଟ ୭ ତାରିଖରେ ଓଡ଼ିଶା ସରକାର ସେହି ତାଲିକା ପ୍ରତ୍ୟାହାର କରିନେଇଛନ୍ତି। ୟୁପିଏସ୍‌ସି ମଧ୍ୟ ଏଥିଲାଗି ରାଜ୍ୟ ସରକାରଙ୍କୁ ଅନୁମତି ଦେଇସାରିଛି। ଏବେ ରାଜ୍ୟ ସରକାର ଆଉ ଗୋଟିଏ ନୂଆ ତାଲିକା ୟୁପିଏସ୍‌ସିକୁ ପଠାଇବା ପାଇଁ ପ୍ରସ୍ତୁତ କରୁଛନ୍ତି। ଯାହା ସୁପ୍ରିମକୋର୍ଟରେ ପୂର୍ବରୁ ହୋଇଥିବା ପ୍ରକାଶ ସିଂ ମାମଲା ରାୟର ଖୋଲା ଉଲ୍ଲଂଙ୍ଘନ। ନୂଆ ଡିଜିପି ଚୟନ କ୍ଷେତ୍ରରେ ଲେଭଲ-୧୬ ବର୍ଗର ଆଇପିଏସ୍‌ ଅଫିସରଙ୍କ ତାଲିକାକୁ କେବଳ ଗ୍ରହଣ କରାଯିବା କଥା। ମାତ୍ର ରାଜ୍ୟ ସରକାର ଗତ ସୋମବାର ରାତିରେ କିମ୍ବା ମଙ୍ଗଳବାର ସକାଳୁ ଏଡିଜି ପୋଲିସ୍‌ ପାହ୍ୟା ଅଦିକାରୀଙ୍କୁ ପଦୋନ୍ନତି ଦେବାକୁ ଚେଷ୍ଟା କରାଯାଇଛି। ପଦୋନ୍ନତି ପାଇଥିବା ଅଫିସରଙ୍କ ନାଁ ୟୁପିଏସ୍‌ସି ତାଲିକାରେ ଡିଜି ପାହ୍ୟା ଭାବେ ଭର୍ତ୍ତି କରିବାକୁ ସରକାର ଚେଷ୍ଟା କରିଛନ୍ତି। ଡିଜିପି ଚୟନ ନେଇ ସୁପ୍ରିମକୋର୍ଟଙ୍କ ସମ୍ପୂର୍ଣ୍ଣ ରାୟ ପଢ଼ିବା ପରେ ଅନେକ ଗୁଡିଏ ରାଜ୍ୟ ନିୟମ ଉଲଙ୍ଘନ କରୁଥିବା ଦେଖିବାକୁ ମିଳିଛି। ୟୁପିଏସ୍‌ସି ମଧ୍ୟ କୋର୍ଟଙ୍କ ନିକଟରେ ପୂର୍ବରୁ ଜଣାଇଛନ୍ତି, ଅନେକ ରାଜ୍ୟ ଡିଜିପି ଚୟନ ନେଇ ଯୋଗ୍ୟ ଅଫିସରମାନଙ୍କ ତାଲିକା ପଠାଉନାହାନ୍ତି ବୋଲି ଚିଦାମ୍ବରମ କହିଛନ୍ତି।
ସେ ଆହୁରି କହିଛନ୍ତି, ଓଡିଶା ସରକାର ଆଇପିଏସ୍‌ ଅଫିସରଙ୍କ ଏକ ତାଲିକା ଗତ ଏପ୍ରିଲରେ ୟୁପିଏସ୍‌ସିକୁ ପଠାଇଥିଲେ। ପରବର୍ତ୍ତୀ ସମୟରେ ତାହାକୁ ପ୍ରତ୍ୟାହାର କରିନେଲେ। ଏହାପରେ ୩ ଜଣ  ଡିଜି ଏବଂ ୮ ଜଣ ଏଡିଜି ପାହ୍ୟାର ଆଇପିଏସ୍‌ ଅଫିସରଙ୍କ ତାଲିକା ୟୁପିଏସ୍‌ସିକୁ ପଠାଇଲେ। ଗତ ୭ ତାରିଖ ବୈଠକରେ ୟୁପିଏସ୍‌ସି କହିଲା କେବଳ ଡିଜି ପାହ୍ୟାର ଅଫିସରଙ୍କ ତାଲିକା ପଠାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲା। ଏହା  ଲୋକମାନଙ୍କ ସ୍ବାର୍ଥ ସମ୍ବଳିତ ସମସ୍ୟା, କୌଣସି ଅଫିସର ଏନେଇ ରିଟ୍‌ ପିଟିସନ ଦାଖଲ କରିନାହାନ୍ତି। ଏହାପରେ ସିଜେଆଇ ପଚାରିଥିଲେ, କୌଣସି ସରକାରୀ ଅଫିସର ଆମ ନିକଟକୁ ଏହି ବିଷୟ ନେଇ ଆସିନାହାନ୍ତି। ଚିଦାମ୍ବାରମ୍‌ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି, ସେହି ପାହ୍ୟାର ଅଫିସରମାନେ ମୁଖ୍ୟତଃ ଡିଜିପି ହେବା ପାଇଁ ଅପେକ୍ଷା କରିଥାଆନ୍ତି। ଏହା ଏକ ଲୋକଙ୍କ ସ୍ବାର୍ଥ ସମ୍ବଳିତ ବିଷୟ ହେଇଥିବା ବେଳେ ଆବେଦନକାରୀ ହେଉଛନ୍ତି ଜଣେ ପୂର୍ବତନ ସ୍ବାଧୀନତା ସଂଗ୍ରାମୀଙ୍କ ପୁତ୍ର। ଆବେଦନକାରୀ ପୂର୍ବରୁ ଚିଟ୍‌ପଣ୍ଡ ଭଳି ଅନେକ ଲୋକଙ୍କ ସ୍ବାର୍ଥ ସମ୍ବଳିତ ବିଷୟ ଉଠାଇଛନ୍ତି। ସିଜେଆଇ କହିଥିଲେ, ୟୁପିଏସ୍‌ସି ଜାଣିଛି କିପରି ଯୋଗ୍ୟ ଅଫିସରଙ୍କୁ ଏହି ପଦ ପାଇଁ ଯୋଗ୍ୟ କାହାକୁ ତାଲିକାରେ ସାମିଲ କରାଯିବ। ଯଦି ଅଯୋଗ୍ୟ ତାଲିକା ପଠାଯାଏ ତେବେ ୟୁପିଏସ୍‌ସି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବ। ଏହାପରେ ଚିଦାମ୍ବରମ କହିଥିଲେ, ଏଭଳି ସ୍ଥିତିରେ ଓଡ଼ିଶା ସରକାର ଏଡିଜି ପାହ୍ୟା ଅପିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇ ସେମାନଙ୍କ ନାଁ ନୂଆ ତାଲିକାରେ ଭର୍ତ୍ତି କରିଛନ୍ତି। ୟୁପିଏସ୍‌ସିକୁ ଦର୍ଶାଉଛନ୍ତି ଏମାନେ ହେଉଛନ୍ତି ଡିଜିପି। ଏହା ସମ୍ପୂର୍ଣ୍ଣ କୋର୍ଟଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଙ୍ଘନ। ତେଣୁ ଏହି ବିଷୟରେ ବୁଧବାର ଶୁଣାଣି କରିବାକୁ ଚିଦାମ୍ବରମ୍‌ ଦାବି କରିଥିବା ବେଳେ ସିଜେଆଇ ଏହାକୁ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଜଣେ ବରିଷ୍ଠ ଗୃହ ବିଭାଗ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ଖବର ମୁତାବକ, ଆସନ୍ତା ୧୩ ତାରିଖରେ ୟୁପିଏସ୍‌ସି ବୋର୍ଡ ସହିତ ରାଜ୍ୟ ସରକାରଙ୍କ ବୈଠକ ଅନୁଷ୍ଠିତ ହୋଇପାରେ।
ସୂଚନାଯୋଗ୍ୟ, ରାଜ୍ୟରେ ନୂଆ ଡିଜିପି ଚୟନ ନେଇ ଓଡ଼ିଶା ସରକାର ୧୧ ଜଣଙ୍କ ତାଲିକା ପଠାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେହି ତାଲିକାରୁ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ନାଁ ହଟାଇବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ। ମାତ୍ର ୟୁପିଏସ୍‌ସି ଓଲଟା ରାଜ୍ୟ ସରକାରଙ୍କୁ ଏପର୍ଯ୍ୟନ୍ତ କାହିଁକି ଏ ବିଷୟରେ କିଛି କହି ନ ଥିଲ, ଏବେ ବୈଠକ ସମୟରେ କହୁଛ ବୋଲି ପ୍ରଶ୍ନ କରିଥିଲେ। ଆଉଥରେ ଠିକ୍‌ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button