ନୂଆଦିଲ୍ଲୀ,୩୦/୧୧: ଆଗକୁ ଯୁଗ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର । ଭବିଷ୍ୟତରେ ବିପୁଳ ସଂଖ୍ୟାରେ ଚାକିରି ଖାଇଯାଇପାରେ ଏଆଇ, ଏଭଳି ଆଶଙ୍କା ଏବେ ସବୁଠି । ନିକଟରେ ଗୁଗୁଲ୍ର ମୂଳ କମ୍ପାନି ଆଲ୍ଫାବେଟ୍ର ସିଇଓ ସୁନ୍ଦର ପିଚାଇ ସୂଚନା ଦେଇଥିଲେ ଯେ, କମ୍ପାନିରେ ଏକ ତୃତୀୟାଂଶରୁ ଅଧିକ ନୂଆ କୋଡ୍ ଏଆଇ ଦ୍ୱାରା ଉତ୍ପନ୍ନ ହୋଇଛି । ସେହିଭଳି ଫୋନ୍ପେ’ ଗତ ୫ ବର୍ଷରେ ଏହାର କଷ୍ଟମର ସପୋର୍ଟ ଷ୍ଟାଫ୍ ସଂଖ୍ୟା ୬୦% ହ୍ରାସ କରିଛି । ବଦଳରେ କମ୍ପାନି ୯୦% ରୁ ଊଦ୍ଧ୍ୱର୍ ଗ୍ରାହକ ସମସ୍ୟାର ସମାଧାନ ପାଇଁ ଏଆଇ-ପରିଚାଳିତ ଚାଟ୍ବୋଟ୍ର ବ୍ୟବହାର କରିଛି । ଜିରୋ ଏମ୍ଡିଆର୍ ଆଇନ ଏବଂ କୋଭିଡ୍-୧୯ ମହାମାରୀ ଭଳି ଆହ୍ୱାନ ସତ୍ତେ୍ୱ ଏହି ଅଟୋମେଶନ୍ ଦ୍ୱାରା ଫୋନ୍ପେ’ ଆଖିଦୃଶିଆ ଲାଭ ହାସଲ କରିପାରିଛି । ଏଆଇ କେବଳ କୋଡ୍ ରାଇଟର୍ କିମ୍ବା କଷ୍ଟମର ସପୋର୍ଟ ଷ୍ଟାଫ୍ଙ୍କୁ ହଟାଉନାହିଁ ବରଂ ଆଗକୁ କମ୍ପାନିର ଶୀର୍ଷ ଅଧିକାରୀଙ୍କ ଉପରେ ବି ଏଆଇର ପ୍ରହାର ପଡ଼ିପାରେ । ପ୍ରମୁଖ ପଦବୀରେ ବସିପାରନ୍ତି ଆର୍ଟିଫିସିଆଲ ସିଇଓ ।
ଏଆଇର ବହୁଳ ବ୍ୟବହାର ମଧ୍ୟରେ ଦୃଢ଼ ଅନୁମାନ ରହିଛି, ଆଗକୁ ହୁଏତ କର୍ମଚାରୀମାନଙ୍କୁ ଏଆଇ ବସ୍ଙ୍କୁ ରିପୋର୍ଟ କରିବାକୁ ପଡ଼ିପାରେ । ସିଇଓ ତଥା ପ୍ରତିଷ୍ଠାତାମାନଙ୍କ ଏଆଇ କ୍ଲୋନ୍ ଆଣିପାରନ୍ତି କମ୍ପାନି । ସେହିଭଳି ଏଆଇ ଭର୍ଚୁଆଲ ଆସିଷ୍ଟାଣ୍ଟ ଏବଂ ଏଆଇ ଭର୍ଚୁଆଲ ଗର୍ଲଫ୍ରେଣ୍ଡ ଆଗକୁ ସାଧାରଣ ହୋଇଯିବ ।
ଏକ ରିପୋର୍ଟ ଅନୁସାରେ, ପାନାସୋନିକ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଏହାର ସ୍ୱର୍ଗତଃ ପ୍ରତିଷ୍ଠାତା କୋନୋସ୍ୟୁକ୍ ମାସୁଶିତାଙ୍କ ଡିଜିଟାଲ ଭର୍ସନ ଆଣିଛି । ପାନାସୋନିକ୍ ହୋଲ୍ଡିଙ୍ଗ୍ସ ଏହାର ସ୍ୱର୍ଗତଃ ପ୍ରତିଷ୍ଠାତାଙ୍କ ଏକ ଏଆଇ କ୍ଲୋନ୍ ପ୍ରସ୍ତୁତ କରିଛି । ଏହି କ୍ଲୋନ୍ କୋନୋସ୍ୟୁକ୍ ମାସୁଶିତାଙ୍କ ଲେଖା, ଭାଷଣ ଏବଂ ୩,୦୦୦ରୁ ଊଦ୍ଧ୍ୱର୍ ଭଏସ୍ ରେକର୍ଡିଂ ଆଧାରରେ ପ୍ରସ୍ତୁତ ହୋଇଥିବା କମ୍ପାନି ଗତ ବୁଧବାର ଘୋଷଣା କରିଛି ।
ଜାପାନର ‘ଗଡ୍ ଅଫ୍ ମ୍ୟାନେଜ୍ମେଣ୍ଟ’ ଭାବେ ଜଣା ଥିଲେ କୋନୋସ୍ୟୁକ୍ ମାସୁଶିତା । ଜାପାନର ବ୍ୟବସାୟିକ ସମୁଦାୟରେ ସେ ବହୁ ସମ୍ମାନର ଅଧିକାରୀ ରହିଥିଲେ । ବର୍ତ୍ତମାନ ଡିଜିଟାଲ ଫର୍ମରେ ତାଙ୍କୁ ଫେରାଇ ଆଣିଛି ପାନାସୋନିକ୍ ।
କମ୍ପାନି ପ୍ରକାଶ କରିଛି ଯେ, ପରବର୍ତ୍ତୀ ପିଢ଼ିଙ୍କ ମଧ୍ୟରେ ଜ୍ଞାନ ବିତରଣ କରିବା ପାଇଁ ମାସୁଶିତାଙ୍କୁ ଆମେ ଫେରାଇ ଆଣିଛୁ । ଏଥିପାଇଁ ଜେନେରେଟିଭ୍ ଏଆଇ ପ୍ରଯୁକ୍ତି ବ୍ୟବହାର କରିଛୁ । ଆଗକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ଲାଗି କମ୍ପାନି ଏଭଳି ଡିଜିଟାଲ କ୍ଲୋନ୍ ବିକାଶ ଜାରି ରଖିବ ବୋଲି ପ୍ରକାଶ କରିଛି ।
୧୯୮୯ରେ ମାସୁଶିତାଙ୍କ ପରଲୋକ ହୋଇଥିଲା । କମ୍ପାନିକୁ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏକ ଲିଡର ବନାଇବାରେ ସେ ବଡ଼ ଯୋଗଦାନ ଦେଇଥିଲେ । ବର୍ତ୍ତମାନ ତାଙ୍କର ଡିଜିଟାଲ ଭର୍ସନ କମ୍ପାନିକୁ ଅଗ୍ରଗତିର ପରବର୍ତ୍ତୀ ସ୍ତରକୁ ନେବ ବୋଲି ପାନାସୋନିକ୍ ଆଶାବାଦୀ ରହିଛି । ବ୍ୟବସାୟିକ ନିଷ୍ପତ୍ତି ନେବାରେ ପାନାସୋନିକ୍ ଏବେ ମାସୁଶିତାଙ୍କ ଏଆଇ କ୍ଲୋନ୍କୁ ବ୍ୟବହାର କରିବ । ଏହା ସଫଳ ହେଲେ ବଡ଼ ବଡ଼ ଉଦ୍ୟୋଗଗୁଡ଼ିକ ପାଇଁ ଏଆଇ କ୍ଲୋନ୍ ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହେବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ ।
ସେମାନେ ମଧ୍ୟ ନିଜ ନିଜର ଲୋକପ୍ରିୟ ପ୍ରତିଷ୍ଠାତା ଏବଂ ସିଇଓମାନଙ୍କ କ୍ଲୋନ୍ ଆଣିବାକୁ ଚେଷ୍ଟା କରିପାରିବେ । କିପରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପରିଚାଳିତ ଡିଜିଟାଲ ଅବତାର ଭବିଷ୍ୟତରେ ବିରକ୍ତିକର ବୈଠକଗୁଡ଼ିକରେ ଯୋଗ ଦେବେ, ତାହା ଉପରେ ନିକଟରେ ନିଜର ଦୂରଦୃଷ୍ଟି ପ୍ରକାଶ କରିଥିଲେ ଜୁମ୍ ସିଇଓ ଏରିକ୍ ୟୁଆନ୍ । କ୍ଲୋନ୍ ସିଇଓମାନଙ୍କ ଦ୍ୱାରା କମ୍ପାନିଗୁଡ଼ିକର ଖର୍ଚ୍ଚ ମଧ୍ୟ ବହୁ ମାତ୍ରାରେ କମିଯିବ । ସେମାନଙ୍କୁ ଆଉ ସିଇଓମାନଙ୍କୁ ମୋଟା ପ୍ୟାକେଜ୍ ଦେବାକୁ ପଡ଼ିବ ନାହିଁ । ସିଇଓଙ୍କ କାର୍ଯ୍ୟ ଲୋଡ୍ ନେବେ କ୍ଲୋନ୍ ସିଇଓ ।
ସୌଜନ୍ୟ-ପ୍ରମେୟ
