ରାଇରଙ୍ଗପୁର: କ୍ରିକେଟ ଖେଳରୁ ମହାଭାତ। ମ୍ୟାଚ୍ ହାରିବା ନେଇ ଚାଲିଲା ଖଣ୍ଡ ଯୁଦ୍ଧ। ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର। ଏଭଳି ଘଟଣା ଦେଖିବାକୁ ମିଳିଛି ବହଳଦା ଥାନା ଜାରିଟା ଗ୍ରାମରେ।
ସୂଚନା ଅନୁଯାୟୀ, ଜାରିଟାଣ୍ଡି ଗ୍ରାମରେ ଜାରିଟାଣ୍ଡି ଓ ସାତ ପୌଟିଆ ମଧ୍ୟରେ କ୍ରିକେଟ ମ୍ୟାଚ୍ ଚାଲିଥିଲା । ତେବେ ସାତ ପୌଟିଆ ଦଳ ହାରି ଯାଇଥିଲା ବେଳେ ଏହାକୁ ନେଇ ପ୍ରଥମେ ଯୁକ୍ତି ତର୍କ ହୋଇ ସମାଧାନ ହୋଇଥିଲା। କିନ୍ତୁ କିଛି ସମୟ ପରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ସାତ ପୌଟିଆ ଗ୍ରାମରୁ ସାତଟି ଗାଡ଼ିରେ ପ୍ରାୟ ୫୦ ଜଣ ଯୁବକ ଲୁହା ଛଡ଼, ଠେଙ୍ଗା, ମାରଣାସ୍ତ୍ର ଧରି ଜାରିଟାଣ୍ଡି ପହଞ୍ଚି ଆଖିବୁଜା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଆକ୍ରମଣରେ ଜାରିଟାଣ୍ଡି ଗ୍ରାମର ଶେଖ୍ ଅଖତାରଙ୍କ ମୁଣ୍ଡରେ ମାଡ଼ ହେବା ଯୋଗୁଁ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା। ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ସ୍ଥାନାନ୍ତର କରା ଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ରାଇରଙ୍ଗପୁର ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ସୌଜନ୍ୟ Prameya News7
