ଖଣି ମାଫିଆ ରାଜା ଚକ୍ରର ଆଉ ଏକ ଠକେଇ ଫର୍ଦ୍ଦ: ଗାଏବ୍ ଅସ୍ଥାୟୀ କ୍ରସର ୟୁନିଟ୍କୁ ଖୋଜୁଛି EOW, ଖୁବ୍ଶୀଘ୍ର ରିମାଣ୍ଡ ଆବେଦନ

ଭୁବନେଶ୍ୱର,୧୭/୧୦: କ୍ରସର ୟୁନିଟ୍ ମାଲିକଠୁ ୧.୨୨ କୋଟି ଟଙ୍କା ଠକିବା ମାମଲାରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) କେନ୍ଦୁଝର ବିଜେଡି ନେତା ରାଜା ଚକ୍ର ଓରଫ୍ ସୌମ୍ୟଶଙ୍କର ଚକ୍ରଙ୍କୁ ଗିରଫ କରିଛି । ଏହାସହ ରାଜାଙ୍କ ଠକେଇ ପେଡି଼ରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ସମ୍ପୃକ୍ତ କ୍ରସର ୟୁନିଟ୍ ମାଲିକଙ୍କୁ ପାର୍ଟନରସିପର ଲୋଭ ଦେଖାଇ କେବଳ ସର୍ବସ୍ୱାନ୍ତ କରିନଥିଲେ, ସମ୍ପୃକ୍ତ ଜମିରେ ଏକ ଅସ୍ଥାୟୀ କ୍ରସର ୟୁନିଟ୍ ଖୋଲିଥିଲେ । ଯାହାକି, ସମ୍ପୂର୍ଣ୍ଣ ବେଆଇନ୍ ବୋଲି ଇଓଡବ୍ଲୁ ଦର୍ଶାଇଛି ।
ଇଓଡବ୍ଲୁ ସୂତ୍ରରୁ ପ୍ରକାଶ ଯେ, ପୂର୍ବ ସରକାର ବଳରେ ବଳୀୟାନ ହୋଇ ରାଜା ବର୍ଷବର୍ଷ ଧରି ଖଣି ମାଫିଆ ସାଜିଥିଲେ । ବେଆଇନ୍ ଭାବେ ଲଘୁ ଖଣିଜ ଖନନ କରି ଶହ ଶହ କୋଟି ଟଙ୍କା ପକେଟ୍ରେ ପୁରାଇଛନ୍ତି । ରଘୁନାଥପୁର ଗ୍ରାମପଞ୍ଚାୟତର ନୁନୁଝରଣ ମୌଜାରେ ୨ ଏକର ଜମିରେ ଥିବା କ୍ରସର ୟୁନିଟ୍ ଉପରେ ତାଙ୍କର ଆଖି ପଡି଼ଥିଲା । ୨୦୨୧ ମସିହାରେ ସେ କ୍ରସର ୟୁନିଟ୍ର ମାଲିକ ଅଞ୍ଜନ କୁମାର ବେଜଙ୍କୁ ୫୦-୫୦ ପ୍ରତିଶତ ପାର୍ଟନରସିପର ଲୋଭ ଦେଖାଇଥିଲେ । ଡରାଇ ଧମକାଇ ଉକ୍ତ ଜମିକୁ ଶାଗମାଛ ଦରରେ କିଣିଥିଲେ । ଏବାବଦକୁ ଶ୍ରୀ ବେଜଙ୍କୁ ମାତ୍ର ୧୦ ଲକ୍ଷ ଟଙ୍କା ଧରାଇଥିଲେ । ଉକ୍ତ ଜମିରେ ଥିବା ପୁରୁଣା କ୍ରସର ୟୁନିଟ୍ର ବିଭିନ୍ନ ଯନ୍ତ୍ରାଂଶକୁ ମନଇଚ୍ଛା ବିକିଦେଇଥିଲେ। ଆଉ ତାଙ୍କ ଜମିରେ ଏକ ଭ୍ରାମ୍ୟମାଣ କ୍ରସର ୟୁନିଟ୍ ସ୍ଥାପନ କରିଥିଲେ । ଯାହାର ଆନୁମାନିକ ବଜାର ମୂଲ୍ୟ ପାଖାପାଖି ୨.୫ କୋଟି ଟଙ୍କା ହେବ । ରାଜା ଗିରଫ ପରଠୁ ସେହି ଅସ୍ଥାୟୀ କ୍ରସର ୟୁନିଟ୍ଟି ନୁନୁଝରଣରୁ ଗାଏବ୍ ହୋଇଯାଇଛି । ଇଓଡବ୍ଲୁ ଏବେ ଅସ୍ଥାୟୀ କ୍ରସର ୟୁନିଟ୍କୁ ଖୋଜୁଛି । ଖୁବ୍ଶୀଘ୍ର ଉକ୍ତ ୟୁନିଟ୍କୁ ଜବତ କରାଯିବ ବୋଲି ସୂଚନା ମିଳିଛି ।
ସୌଜନ୍ୟ ପ୍ରମେୟ




