ମନୋରଞ୍ଜନ

ଗାୟକ ବି-ପ୍ରାକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ, କହିଲା-୧୦ କୋଟି ଟଙ୍କା ଦିଅ ନଚେତ୍‌…

ମୁମ୍ଵାଇ ୧୭।୦୧; ଗତ କିଛି ବର୍ଷ ହେବ, ଲରେନ୍ସ ଗ୍ୟାଙ୍ଗ ମନୋରଞ୍ଜନ ଶିଳ୍ପର ଅନେକ ତାରକାଙ୍କୁ ଟାର୍ଗେଟ୍ କରିଛି । ସେଥିମଧ୍ୟରୁ ବିଶେଷକରି ତାଲିକାରେ ପଞ୍ଜାବୀ ଗାୟକମାନ ନାମ ଅଛି। ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ଦାୟିତ୍ୱ ନେବା ପରେ, ଏହି ଗ୍ୟାଙ୍ଗ ହନି ସିଂହ, ଏପି ଧିଲୋନ ଏବଂ ମନକିର୍ତ୍ତ ଔଲଖଙ୍କ ସମେତ ଅନେକ ପ୍ରମୁଖ ଗାୟକ, ରାପର୍ ଏବଂ କଳାକାରଙ୍କୁ କ୍ଷତି ପହଞ୍ଚାଇବାକୁ ଧମକ ଦେଇଛି।

ଏବେ ଲରେନ୍ସ ଗ୍ୟାଙ୍ଗ୍ ପ୍ରସିଦ୍ଧ ପଞ୍ଜାବୀ ଗାୟକ ବି-ପ୍ରାକ୍‌ଙ୍କୁ ଟାର୍ଗେଟ କରିଥିବା ଜଣାପଡ଼ିଛି । ବି-ପ୍ରାକ୍‌ଙ୍କ ଘନିଷ୍ଠ ବନ୍ଧୁ ଏବଂ ଗାୟକ ଦିଲନୂରଙ୍କୁ ଏକ ଧମକପୂର୍ଣ୍ଣ ଫୋନ୍ ଆସିଛି । ଯେଉଁଥିରେ ମୋଟା ଅଙ୍କର ଟଙ୍କା ଦାବି କରାଯାଇଛି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ମାମଲା କ’ଣ… ରିପୋର୍ଟ ଅନୁଯାୟୀ, ପଞ୍ଜାବୀ ଗାୟକ ଦିଲନୂରଙ୍କୁ ଏକ ବିଦେଶୀ ନମ୍ବରରୁ ଏକ ଧମକପୂର୍ଣ୍ଣ କଲ୍ ଆସିଥିଲା। ଏହି ଘଟଣା ପରେ, ସେ ମୋହାଲି ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଅର୍ଜୁ ବିଷ୍ଣୋଇ ବୋଲି ପରିଚୟ ଦେଇଥିଲେ ଏବଂ ଦିଲନୂରଙ୍କୁ ପଞ୍ଜାବୀ ଗାୟକ ବି-ପ୍ରାକଙ୍କୁ ୧୦ କୋଟି ଟଙ୍କା ଦେବାକୁ କହିଥିଲେ। ଦିଲନୂର ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଯଦି ସେ ଏପରି କରିବାରେ ବିଫଳ ହୁଅନ୍ତି ତେବେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ଧମକ ଦେଇଥିଲେ।

 

ମୋହାଲିର ଏସଏସପିଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ଅନୁଯାୟୀ, ଦିଲନୂର ଏହି ବିଷୟରେ ବିସ୍ତୃତ ଭାବରେ କହିଛନ୍ତି ଯେ ଜାନୁଆରୀ ୫ ତାରିଖରେ ତାଙ୍କୁ ବିଦେଶରୁ ଦୁଇଟି କଲ୍ ଆସିଥିଲା। ଯାହାର ସେ ଉତ୍ତର ଦେଇ ନଥିଲେ। ଜାନୁଆରୀ ୬ ତାରିଖରେ ତାଙ୍କୁ ଏକ ଭିନ୍ନ ବିଦେଶୀ ନମ୍ବରରୁ ଏକ କଲ୍ ଆସିଥିଲା। ଯେତେବେଳେ ଦିଲନୂର କଲ ଉଠାଇଥିଲେ, ତାଙ୍କୁ ଫୋନ କଲଟି ଫେକ୍ ଜଣାପଡିଥିଲା । ସେ ତୁରନ୍ତ କଲ୍ଟିକୁ କାଟି ଦେଇଥିଲେ ।

ଫୋନ୍ କାଟିବା ମାତ୍ରେ ତାଙ୍କୁ ଏକ ଧମକପୂର୍ଣ୍ଣ ଭଏସ୍ ମେସେଜ୍ ମିଳିଥିଲା। କଲ୍ କରିଥିବା ବ୍ୟକ୍ତି ଗୋଟିଏ ସପ୍ତାହ ମଧ୍ୟରେ ୧୦ କୋଟି ଟଙ୍କା ଦାବି କରିଥିଲେ ଯଦି ସେ ନ ଦିଅନ୍ତି ତାହାଲେ ସେ ବି-ପ୍ରାକଙ୍କୁ କ୍ଷତି ପହଞ୍ଚାଇବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଦିଲନୂରଙ୍କ ଅଭିଯୋଗ ପରେ, ପୋଲିସ ତଦନ୍ତ ଆରମ୍ଭ କରିଛି।

ବି-ପ୍ରାକ ଜଣେ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ସଂଗୀତଜ୍ଞ । ଯିଏ ତାଙ୍କ ଦମ୍ଦାର କଣ୍ଠସ୍ୱର ଦ୍ୱାରା ପଞ୍ଜାବୀ ସିନେମା ସହିତ ହିନ୍ଦୀ ସଙ୍ଗୀତ ଶିଳ୍ପରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କର ପ୍ରଥମ ଗୀତ “ମନ ଭରେୟା” ଆଜି ମଧ୍ୟ ପ୍ରଶଂସକଙ୍କ ପ୍ରିୟ ଗୀତ । ସେ ତାଙ୍କର ଚମତ୍କାର ସିଙ୍ଗିଙ୍ଗ୍ କ୍ୟାରିଅର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଅନେକ ପ୍ରତିଷ୍ଠିତ ପୁରସ୍କାର ଜିତିଛନ୍ତି।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button