ଜାତୀୟ

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର ଉଭୟ ଗୃହକୁ ଅଚଳ କରି ରଖିଥିବାବେଳେ ଶେଷ ମୁହୂର୍ତ୍ତରେ ଶାହା ଆଲୋଚନାରେ ଭାଗ ନେବାକୁ ବୁଧବାର ରାଜି ହୋଇଛନ୍ତି। ଏହା ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଭାବମୂର୍ତ୍ତି ବେଲୁନ୍‌ ଫାଟିଯାଇଥିବାବେଳେ ଶେଷ ମୁହୂର୍ତ୍ତରେ ସେଥିରେ ଗ୍ୟାସ୍‌ ଭରିବା ଲାଗି ପ୍ରୟାସ ହେଉଛି। ବିରୋଧୀ ପାର୍ଲାମେଣ୍ଟରେ ଶାହାଙ୍କ ଭାଷଣ ଶୁଣିବାକୁ ଚାହାନ୍ତି ନାହିଁ, ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ଉପରକୁ ଗୁଳି ଚଳାଇବାକୁ କିଏ ନିର୍ଦ୍ଦେଶ ଦେଇଥିଲେ, ତାହା ଜାଣିବାକୁ ଚାହାନ୍ତି ବୋଲି ଲୋକ ସଭାର ବିରୋଧୀ ଦଳ ନେତା କହିଛନ୍ତି। ଯଦି ଶାହା ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥାନ୍ତି, ତେବେ ସେ ଦୋଷୀ ଏବଂ ଯଦି ସେ ଦେଇ ନ ଥିଲେ, ତେବେ ସେ ଅସମର୍ଥ। ଉଭୟ ମାମଲାରେ ସେ ଇସ୍ତଫା ଦେବା ଉଚିତ ବୋଲି ରାହୁଲ କହିଛନ୍ତି।
ଆନ୍ଦୋଳନ ସମେତ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ଶାହା କହିବା ପରେ କଂଗ୍ରେସ ନେତା ଏଭଳି ମନ୍ତବ୍ୟ ଦେଇଛନ୍ତି। ଯଦି ବରୋଧୀମାନେ ଅପରାହ୍ନ ୨ଟା ସୁଦ୍ଧା ଲୋକ ସଭା ବାଚସ୍ପତିଙ୍କୁ ଏନେଇ ଲିଖିତ ଭାବେ ଜଣାଇବେ, ତେବେ ବୁଧବାର ଅପରାହ୍ନ ୩ଟାରୁ ଗୁରୁବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆଲୋଚନା ହେବ ବୋଲି ଶାହା କହିଥିଲେ। ତେବେ ଆମେ ଶାହାଙ୍କ ଗପ ଶୁଣିବାକୁ ଆଗ୍ରହୀ ନୋହୁଁ। ସେ ଗୃହରେ ଭାଷଣ ଦିଅନ୍ତୁ, ଏହା ଆମେ ଚାହୁଁନାହୁଁ ବୋଲି ରାହୁଲ କହିଛନ୍ତି। ଆମେ କେବଳ ଗୋଟିଏ କଥା ଚାହୁଁ ଯେ ଦେଶର ଯୁବପିଢ଼ିଙ୍କ ଉପରେ କିଏ ଗୁଳି ଚଳାଇଲା ଓ କିଏ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ। କଣ୍ଟା ଲାଗିଥିବା ଲାଠିରେ ଛାତ୍ରୀଛାତ୍ରଙ୍କୁ ବାଡ଼େଇବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥିଲା। କାରଣ ଉଭୟ ଦିଲ୍ଲୀ ପୋଲିସ ଏବଂ ରାପିଡ୍‌ ଆକ୍ସନ ଫୋର୍ସ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ରହିଥିବା ରାହୁଲ କହିଛନ୍ତି।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button