ଦେଶ ବିଦେଶ

Protest: ଯନ୍ତର-ମନ୍ତରରେ ‘ଆରକ୍ଷଣ ହଟାଅ’ ଆନ୍ଦୋଳନ, ୟୁଜିସି ନିୟମକୁ ନେଇ ବିକ୍ଷୋଭ

ସିଜେପିର ନିଟ୍‌ ପେପର ଲିକ୍ ବିରୋଧୀ ଛାତ୍ର ଆନ୍ଦୋଳନ ପରେ ଏବେ ଦିଲ୍ଲୀର ଯନ୍ତର-ମନ୍ତରରେ ନୂଆ ଆନ୍ଦୋଳନ ଆରମ୍ଭ ହୋଇଛି। ଆରକ୍ଷଣ ବ୍ୟବସ୍ଥା ହଟାଇବା ଦାବିରେ ଶୁକ୍ରବାର ଏଠାରେ ଶହଶହ ଲୋକ ଏକାଠି ହୋଇଛନ୍ତି। ‘ଆରକ୍ଷଣ ହଟାଅ ଆନ୍ଦୋଳନ’ ନାମରେ...

ନୂଆଦିଲ୍ଲୀ: ସିଜେପିର ନିଟ୍‌ ପେପର ଲିକ୍ ବିରୋଧୀ ଛାତ୍ର ଆନ୍ଦୋଳନ ପରେ ଏବେ ଦିଲ୍ଲୀର ଯନ୍ତର-ମନ୍ତରରେ ନୂଆ ଆନ୍ଦୋଳନ ଆରମ୍ଭ ହୋଇଛି। ଆରକ୍ଷଣ ବ୍ୟବସ୍ଥା ହଟାଇବା ଦାବିରେ ଶୁକ୍ରବାର ଏଠାରେ ଶହଶହ ଲୋକ ଏକାଠି ହୋଇଛନ୍ତି। ‘ଆରକ୍ଷଣ ହଟାଅ ଆନ୍ଦୋଳନ’ (ଆର୍‌ଏଚ୍‌ଏ) ନାମରେ ଡକାଯାଇଥିବା ଏହି ବିକ୍ଷୋଭରେ ଆରକ୍ଷଣ ସହ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନୂଆ ନିୟମକୁ ନେଇ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳୁ ଲୋକମାନେ ବ୍ୟାନର ଓ ପୋଷ୍ଟର ଧରି ଯନ୍ତର-ମନ୍ତରରେ ପହଞ୍ଚିଥିଲେ। ଦ୍ୱିପ୍ରହର ବେଳକୁ ଭିଡ଼ ବଢ଼ିଥିଲା।

ବିକ୍ଷୋଭକାରୀମାନେ ଜାତିଭିତ୍ତିକ ଆରକ୍ଷଣ ବଦଳରେ ଆର୍ଥିକ ଆଧାରରେ ଆରକ୍ଷଣ ଦେବାକୁ ଦାବି କରିଥିଲେ। ସେମାନଙ୍କ ପୋଷ୍ଟରରେ ‘ଗରିବଙ୍କୁ ଆରକ୍ଷଣ, ଜାତିକୁ ନୁହେଁ’ ଭଳି ସ୍ଲୋଗାନ ରହିଥିଲା। ଆନ୍ଦୋଳନକାରୀମାନେ ‘ଭାରତ ମାତା କୀ ଜୟ’ ଓ ‘ଜୟ ଶ୍ରୀରାମ’ ନାରା ମଧ୍ୟ ଦେଇଥିଲେ। ଜାତିଭିତ୍ତିକ ଆରକ୍ଷଣ ହଟାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ କେତେକ ପ୍ରଦର୍ଶନକାରୀ କହିଥିଲେ। ଏହା ସହିତ ୟୁଜିସିର ୨୦୨୬ ନିୟମକୁ ନେଇ ମଧ୍ୟ ବିକ୍ଷୋଭ ହୋଇଛି।

ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବ ରୋକିବା ପାଇଁ ୟୁଜିସି ପକ୍ଷରୁ ଆଣାଯାଇଥିବା ନିୟମରେ ପରିବର୍ତ୍ତନକୁ ସବର୍ଣ୍ଣ ସମାଜର କିଛି ସଂଗଠନ ବିରୋଧ କରୁଛନ୍ତି। ଏହି ନିୟମର ଦୁରୁପଯୋଗ ହୋଇପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରି ନିୟମ ପ୍ରତ୍ୟାହାର ଦାବି କରିଛନ୍ତି। ତେବେ ଯନ୍ତର-ମନ୍ତରରେ ଏହି ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସ ଅନୁମତି ଦେଇନଥିଲା।

ସୋସିଆଲ ମିଡିଆରେ ଅନୁମତି ମିଳିଥିବା ନେଇ ପ୍ରଚାରିତ ଭିଡିଓକୁ ପୁଲିସ ମିଥ୍ୟା ଓ ବିଭ୍ରାନ୍ତିକର ବୋଲି କହିଥିଲା। ନୂଆଦିଲ୍ଲୀ ଜିଲ୍ଲାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁସାରେ ନିଷେଧାଦେଶ ମଧ୍ୟ ଲାଗୁ ରହିଛି। ପରେ ଦିଲ୍ଲୀ ପୁଲିସ ରାମଲୀଳା ମଇଦାନରେ ସର୍ତ୍ତସାପେକ୍ଷ ଭାବେ ପ୍ରଦର୍ଶନକୁ ଅନୁମତି ଦେଇଥିବା ଜଣାପଡ଼ିଛି। ଶୁକ୍ରବାର ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସର୍ବାଧିକ ୫୦୦ ଲୋକଙ୍କୁ ନେଇ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇଛି। ତେବେ ଶୋଭାଯାତ୍ରା କିମ୍ବା ଧାରଣାସ୍ଥଳରେ ରହିବାକୁ ଅନୁମତି ନାହିଁ। ପ୍ରଦର୍ଶନ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବାକୁ ପୁଲିସ ନିର୍ଦ୍ଦେଶ ଦେଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button