ନୂଆଦିଲ୍ଲୀ ୧୫।୦୧: ମହାକୁମ୍ଭ ମେଳାରେ ପରିଚୟ ପାଇଥିବା ମଧ୍ୟପ୍ରଦେଶର ଭୋପାଳର ବାସିନ୍ଦା ହର୍ଷା ରିଚାରିୟା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଧର୍ମ ମାର୍ଗ ଛାଡିବାକୁ ଘୋଷଣା କରିଛନ୍ତି । ସେ ପ୍ରଥମେ ୨୦୨୫ ମହାକୁମ୍ଭ ମେଳା ସମୟରେ ଖବରରେ ଆସିଥିଲେ । ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରି ଏକ ଭାବପ୍ରବଣ ହୋଇଛନ୍ତି। ନିରନ୍ତର ବିରୋଧ, ଚରିତ୍ର ହତ୍ୟା ଏବଂ ମାନସିକ ଚାପର ସମ୍ମୁଖୀନ ହୋଇଛନ୍ତି, ଯାହା ତାଙ୍କୁ ଆଘାତ ଦେଇଛି । ତେଣୁ ସେ ତାଙ୍କର ପୁରୁଣା ବୃତ୍ତିକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ଗ୍ଲାମର ଦୁନିଆକୁ ଫେରିବାକୁ ଯାଉଛନ୍ତି ହର୍ଷା ।
ହର୍ଷା ରିଚାରିୟା ଏକ ଭିଡିଓରେ ସ୍ପଷ୍ଟ କରିଛନ୍ତି ଯେ, ସେ ମୌନୀ ଅମାବାସ୍ୟାରେ ସ୍ନାନ କରିବା ପରେ ଧାର୍ମିକତାର ପଥ ଅନୁସରଣ କରିବାର ତାଙ୍କର ପ୍ରତିଜ୍ଞା ସମାପ୍ତ କରିବେ । କୌଣସି ଭୁଲ କିମ୍ବା ଅନୈତିକ ଆଚରଣ କରିନାହାଁନ୍ତି, ତଥାପି ତାଙ୍କୁ ବାରମ୍ବାର ବାଧା ଦିଆଯାଇଥିଲା ଏବଂ ନିରାଶ କରାଯାଇଥିଲା । ଧର୍ମକୁ ବ୍ୟବସାୟରେ ପରିଣତ କରି କୋଟି କୋଟି ଟଙ୍କା ରୋଜଗାର କରିବାର ଅଭିଯୋଗକୁ ହର୍ଷା ଦୃଢ଼ ଭାବରେ ଅସ୍ୱୀକାର କରି କହିଛନ୍ତି ଯେ, ଏହି ଅଭିଯୋଗଗୁଡ଼ିକ ସମ୍ପୂର୍ଣ୍ଣ ମିଥ୍ୟା । ଆଜି ସେ ଆର୍ଥିକ ଦୃଷ୍ଟିରୁ ସଶକ୍ତ ନୁହଁନ୍ତି, ବରଂ ଋଣରେ ବୁଡ଼ି ରହିଛନ୍ତି । ଧର୍ମକୁ ଗ୍ରହଣ କରିବା ପୂର୍ବରୁ ତାଙ୍କର ଆଙ୍କରିଂ ଏବଂ ମଡେଲିଂରେ ଏକ ସଫଳ କ୍ୟାରିୟର ଥିଲା । ସେ ଦେଶ ଏବଂ ବିଦେଶରେ କାମ କରିଥିଲେ ଏବଂ ସମ୍ପୂର୍ଣ୍ଣ ସ୍ୱାବଲମ୍ବୀ ଥିଲେ । ବିବାଦ ଏବଂ ବିରୋଧ ଯୋଗୁଁ ତାଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଗଲା ଏବଂ ଋଣ ବୋଝ ରହିଛି ।
ଭାବୁକ ହୋଇ ହର୍ଷା ଆହୁରି କହିଛନ୍ତି କି,” ଆମ ସମାଜରେ ଜଣେ ମହିଳାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇବା ବହୁତ ସହଜ । ସେ ସୀତା ନୁହଁନ୍ତି, ଯାହାକୁ ବାରମ୍ବାର ଅଗ୍ନି ପରୀକ୍ଷା ଦେବାକୁ ପଡିବ । ଏହି ଧର୍ମରୁ ମୋର ବିଦାୟ କେବଳ ଏକ ବିଦାୟ ନୁହେଁ, ବରଂ ଏକ ବିଦ୍ରୋହୀ ମାନସିକତା ସହିତ ବିଦାୟ ହେବ।” ସର୍ବବୃହତ ଆଧ୍ୟାତ୍ମିକ ସମାବେଶ ଭାବରେ ବିବେଚିତ ମହାକୁମ୍ଭ ମେଳା ୨୦୨୫ରେ ହର୍ଷା ” ସୁନ୍ଦରୀ ସାଧ୍ୱୀ ” ଭାବରେ ଶିରୋନାମା ସୃଷ୍ଟି କରିଥିଲେ । ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହେବା ସମୟରେ, ହର୍ଷା ରିଚାରିଆଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ସମୟରେ, ଜଣେ ସାଧ୍ୱୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯାହାକୁ ଅନେକ ମହାକୁମ୍ଭର ସବୁଠାରୁ ସୁନ୍ଦରୀ ସାଧ୍ୱୀ ବୋଲି ବର୍ଣ୍ଣନା କରିଥିଲେ । ଜଣେ ସୁନ୍ଦରୀ ଯୁବତୀଙ୍କ ସାଧ୍ୱୀରେ ପରିଣତ ହେବା ବହୁତ ଧ୍ୟାନ ଆକର୍ଷଣ କରିଥିଲା । ସାଧ୍ବୀ ସ୍ପଷ୍ଟ କରିଛନ୍ତି ଯେ, ସେ ସାନ୍ତ୍ୱନା ପାଇବା ପାଇଁ ଭୌତିକ ଜଗତ ଛାଡିଛନ୍ତି ।
ସୌଜନ୍ୟ Prameya News7
