ଭୁବନେଶ୍ଵର: ବାହାଘର ହେଲା, ଚତୁର୍ଥୀ କର୍ମ ପାଇଁ ବର ବି ରେଡ୍ଡି। ହେଲେ ନବବିବାହିତା ଗଲେ କୁଆଡେ? ସଂସାର ଗଢ଼ିବାର ଫିଲ୍ମ ଆରମ୍ଭ ପୂର୍ବରୁ ସବୁ ଫ୍ଲପ୍ ହୋଇଗଲା। ଶ୍ୱଶୁର ଘରେ ନବ ବିବାହିତାଙ୍କ ମନ ଲାଗିଲାନି। ଅତୀତରେ ପ୍ରେମିକ ସହ ବିତାଇଥିବା ସ୍ମୃତି ସବୁ ଆଖି ଆଗରେ ଝଲସି ଯାଉଥିଲା। ଅଭୁଲା ମୁହୂର୍ଭକୁ ଭୁଲି ପାରୁନଥିଲା ସେ। ଫୋନ୍ରେ ପ୍ରେମିକକୁ ସହ ମିଶି ନୂଆ ସଂସାର ଗଢ଼ିବାର ଯୋଜନା ପଞ୍ଚିଲା। ଆଉ ରାତିଅଧରେ ଶ୍ୱଶୁର ଘରୁ ଲୁଚିଛପି ପ୍ରେମିକ ସହ ଛୁ ମାରିଲା।
ଶେଷରେ ଭଣ୍ଡୁର ହେଲା ରିସେପନ୍ସ ଭୋଜି। ପୁଅ ଘର ଭାଣ୍ଡିଆ ହୋଇଛନ୍ତି। ଭୋଜି ପାଇଁ କିଣାଯାଇଥିବା ମାଛଠାରୁ ଆରମ୍ଭ କରି ଚିକେନ ଏବଂ ମଟନ ସବୁ ବରବାଦ୍ ହୋଇଛି। ପିପିଲି ଥାନା ଅଧୀନ କୌଶଲ୍ୟାଗଙ୍ଗ ଫାଣ୍ଡି ଅଞ୍ଚଳରୁ ଏଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଚତୁର୍ଥୀ ପୂର୍ବରୁ ଜଣେ ନବବଧୂ ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି।
ସୂଚନା ମୁତାବକ, ଏହି ଫାଣ୍ଡି ଅଧୀନରେ ଜଣେ ଯୁବକଙ୍କର ନିମାପଡ଼ା ଅଞ୍ଚଳରେ ୨୬ ବର୍ଷର ଏକ ଯୁବତୀଙ୍କ ସହ ଗତ ୧୫ ତାରିଖରେ ବାହାଘର ହୋଇଥିଲା। ପରେ ପରେ ବୋହୂକୁ ବୋହୂକୁ ଧରି ସମସ୍ତେ ଘରକୁ ଆସିଲେ। ଘରେ ବନ୍ଧୁବାନ୍ଧବଙ୍କଠାରୁ ଆରମ୍ଭ କରି ସାହିପଡ଼ିଶାଙ୍କ ଗହଳି ଚହଳି ଲାଗିଥିଲା। ୩ ଦିନ ଧରି ବୋହୂ ଶ୍ୱଶୁର ଘର ଲୋକଙ୍କ ସହ ଭଲରେ କଥାବାର୍ଭା ହୋଇଥିଲେ। ତାଙ୍କ ଚାଲିଚଳଣ ଓ ହାବଭାବରୁ କେହି ସନ୍ଦେହ କରୁନଥିଲେ। ଶୁକ୍ରବାର ପୁଅ ଘର ପକ୍ଷରୁ ଚତୁର୍ଥୀ ଭୋଜି ଥିଲା । ମଣ୍ଡପ ବୁକ୍ ହୋଇଥିଲା।
ପୁଅ ଘର ଲୋକେ ଭବ୍ୟ ଆୟୋଜନ ପାଇଁ ଦିନରାତି ଏକ କରିଥିଲେ। ହେଲେ ଗୁରୁବାର ରାତି ୩ଟାରେ ନବବଧୁ ଜଣଙ୍କ ଘରେ ଥିବା ଟଙ୍କା ପଇସା ଓ ସୁନାଗହଣା ନେଇ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି । ସକାଳେ ପୁଅ ଘର ଲୋକେ ଉଠିଲା ବେଳକୁ ନବବଧୂ ଘରେ ନଥିଲେ । ପୁଅ ଘର ଲୋକେ ବିଭିନ୍ନ ଜାଗାରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ପରେ କୌଶଲ୍ୟାଗଙ୍ଗ ଫାଣ୍ଡିରେ ଅଭିଯୋଗ କରିଛନ୍ତି ।
ପୁଲିସ ଆଖପାଖ ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରିବାରୁ ସତ ସାମ୍ନାକୁ ଆସିଲା। ଅନ୍ୟପଟେ ପୁଅ ଘର ଲୋକେ ଲୋକଲଜ୍ୟାରୁ ବର୍ତ୍ତିବା ପାଇଁ ତୁରନ୍ତ ଝିଅ ସନ୍ଧାନରେ ଲାଗିଗଲେ। ଦିନକ ଭିତରେ ହିଁ ନିକଟସ୍ଥ ଏକ ଗାଁରେ ଅନ୍ୟ ଏକ ଝିଅ ସହ ପୁଅକୁ ମନ୍ଦିରରେ ବାହାଘର କରାଇଛନ୍ତି।
ସୌଜନ୍ୟ Prameya News7

