ଭୁବନେଶ୍ୱର, ୧୩/୦୧: ଜେଲ୍ ଗଲେ ଟୁଙ୍ଗୁରୁ ଭୋଳ। ହେଲେ ଏଥର କିନ୍ତୁ ବର୍ଷାଙ୍କ ପାଇଁ ନୁହେଁ, ଚୋରି କରି ଜେଲ୍ ଗଲେ ଟୁଙ୍ଗୁରୁ। ଗ୍ୟାସ୍ ସିଲିଣ୍ଡର ଚୋରି କରି ଗିରଫ ହୋଇଛନ୍ତି ଆଲୋକ ଭୋଳ । ତାଙ୍କୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିବା ସହ ତାଙ୍କଠାରୁ ଗ୍ୟାସ୍ ସିଲିଣ୍ଡର, ଏକ ଡ୍ରିଲ୍ ମେସିନ ଓ ଯାତ୍ରୀବାହୀ ଅଟୋ ଜବତ କରିଛି ।
ଟୁଙ୍ଗୁରୁଙ୍କ ଘର ଗଞ୍ଜାମ ହିଞ୍ଜିଳି । ସେ ତମାଣ୍ଡୋ ଥାନା କଳିଙ୍ଗନଗର କେ-୪ ଅଞ୍ଚଳରେ ରହୁଥିଲେ ।ପୋଲିସ ସୂଚନା ଅନୁଯାୟୀ, ତମାଣ୍ଡୋ କୁବେରସାହିରେ ଏକ ଆପାର୍ଟମେଣ୍ଟ୍ରେ କାମ କରୁଥିବା ରାଜମସ୍ତ୍ରୀ ସୁଧାକର ବେହେରା ସେଠାରେ ଏକ ଷ୍ଟୋର ରୁମ୍ରେ ରହୁଥିଲେ । ରବିବାର ମଧ୍ୟାହ୍ନରେ ସୁଧାକରଙ୍କ ଅନୁପସ୍ଥିତିରେ ଟୁଙ୍ଗୁରୁ ଏକ ଅଟୋରେ ଯାଇ ସେଠାରେ ପହଞ୍ଚିଥିଲେ । ସୁଧାକରଙ୍କ ରୁମ୍ରେ ପଶି ଗ୍ୟାସ୍ ସିଲିଣ୍ଡର, ଏକ ଡ୍ରିଲ ମେସିନ ଓ ଏକ ଡେକ୍ଚି ଚୋରି କରି ନେଇ ପଳାଇଥିଲେ ।
ସୁଧାକର ଫେରି ଚୋରି ସଂପର୍କରେ ଜାଣିବା ପରେ ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁକରି ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଟୁଙ୍ଗୁରୁଙ୍କୁ ଚିହ୍ନଟ କରିଥିଲା । ପୋଲିସ ଟୁଙ୍ଗୁରୁଙ୍କୁ ଗିରଫ କରିବା ସହ ଅଟୋ, ଗ୍ୟାସ୍ ସିଲିଣ୍ଡର, ଡ୍ରିଲ୍ ମେସିନ ଓ ସିଲ୍ଭର ଡେକ୍ଚି ଜବତ କରିଥିଲା । ତାଙ୍କ ନାମରେ ପୂର୍ବରୁ ଚନ୍ଦକା, ଭରତପୁର ଓ ତମାଣ୍ଡୋ ଥାନାରେ ମାମଲା ଥିବା ଜଣା ପଡ଼ିଛି । ଟୁଙ୍ଗୁରୁଙ୍କୁ ଗିରଫ ପରେ ଟୁଙ୍ଗୁରୁଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୌଜନ୍ୟ Prameya News7
