Indian Tourists: ନେପାଳରେ ୩୦ ଦିନରୁ ଅଧିକ ସମୟ ରହିପାରିବେନି ଭାରତୀୟ ପର୍ଯ୍ୟଟକ

କାଠମାଣ୍ଡୁ: ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ନେପାଳର ବାଲେନ ଶାହ ସରକାର କଠୋର ହେବାରେ ଲାଗିଛନ୍ତି। ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରିବା ପରେ ଏବେ ଆଉ ଏକ ନୂଆ ନିୟମ ଲାଗୁ କରିଛନ୍ତି। ଏହି ନିୟମ ଅନୁସାରେ ଭାରତୀୟ ପର୍ଯ୍ୟଟକମାନେ ନେପାଳରେ ମାତ୍ର ୩୦ ଦିନ ରହିପାରିବେ। ନେପାଳରେ ଏହି ୩୦ ଦିନ ରହଣି ସମୟରେ ପର୍ଯ୍ୟଟକଙ୍କ ଗାଡ଼ି ଉପରୁ ଶୁଳ୍କ ଆଦାୟ କରାଯିବ। ୩୦ ଦିନ ପରେ ଭାରତୀୟ ପର୍ଯ୍ୟଟକଙ୍କୁ ନେପାଳରେ ରହିବାକୁ ଦିଆଯିବ ନାହିଁ ଓ ସେମାନଙ୍କ ଗାଡ଼ି ଜବତ କରିନିଆଯିବ।
ଭାରତୀୟ ଗାଡ଼ିର ପ୍ରବେଶ ଓ ନେପାଳରେ ରହିବା ଅବଧି ସହିତ ଯିବାଆସିବା ବିବରଣୀ ଏବେ ଡିଜିଟାଲ ତଥ୍ୟ ଆକାରରେ ରଖାଯିବ। ମାଲବାହୀ ଗାଡ଼ିଗୁଡ଼ିକ ପାଇଁ ଅଲଗା ବ୍ୟବସ୍ଥା ହୋଇଛି। ଏଣିକି ଭାରତୀୟ ଟ୍ରକ୍ ନେପାଳରେ ପ୍ରବେଶ କରିବା ସମୟରେ ୧୭୦୦ ଟଙ୍କା ନେପାଳୀ ମୁଦ୍ରାରେ ଶୁଳ୍କ ପ୍ରଦାନ କରିବେ।
ନେପାଳରୁ ମାଲ ଆଣି ଦୁଇ ଦିନ ଭିତରେ ଗାଡ଼ିଗୁଡ଼ିକୁ ଭାରତ ଫେରିବାକୁ ପଡ଼ିବ। ଏହାସହିତ ଭାରତରୁ ମାଲ ନେଇ ନେପାଳ ଯାଉଥିବା ଗାଡ଼ିକୁ ନେପାଳରେ ପ୍ରବେଶ କରିବା ପୂର୍ବରୁ ୧୫୦୦ ଟଙ୍କା ନେପାଳୀ ମୁଦ୍ରାରେ ଶୁଳ୍କ ପ୍ରଦାନ କରିବାକୁ ପଡ଼ିବ। ଏହି ଗାଡ଼ିଗୁଡ଼ିକୁ ୭୨ ଘଣ୍ଟା ଭିତରେ ନେପାଳ ଛାଡ଼ିବାକୁ ପଡ଼ିବ। ଭାରତୀୟ ଟ୍ରକ୍ ଯଦି ନେପାଳରେ ୭୨ ଘଣ୍ଟାରୁ ଅଧିକ ସମୟ ରହିଯାଏ, ତେବେ ଗାଡ଼ିଗୁଡ଼ିକୁ ଅଢ଼େଇ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ସୀମାବର୍ତ୍ତୀ ଅଞ୍ଚଳର ଭାରତୀୟ ଲୋକମାନଙ୍କ ପାଇଁ ସେମାନଙ୍କ କାର୍, ଜିପ୍ ଓ ବାଇକ୍ ନେପାଳ ବଜାରରେ ୧୨ ଘଣ୍ଟା ପର୍ଯ୍ୟନ୍ତ ମାଗଣା ରହିବା ସୁବିଧା ମିଳିବ। ନେପାଳର କଷ୍ଟମ କାର୍ଯ୍ୟାଳୟଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅନଲାଇନ ବ୍ୟବସ୍ଥା ଲାଗୁ ହେବା ପରେ ଭାରତୀୟ ଯାନବାହନ ପ୍ରବେଶ ସଂଖ୍ୟା ଓ ସମୟ ସୀମା ଉଲ୍ଲଂଘନ ଘଟଣା ତୁରନ୍ତ ଧରାପଡ଼ିଯିବ।
ସୌଜନ୍ୟ ସମ୍ବାଦ




