ଟଙ୍କା ନୁହେଁ, ATMରୁ ମିଳିବ ଚାଉଳ.. ଢେଙ୍କାନାଳରେ ଖୋଲିବ ‘ରାଇସ୍ ATM’, ରାସନ କାର୍ଡର ନମ୍ବର ଓ ଟିପ୍ପଚିହ୍ନ ଦେଇ ନେପାରିବେ ହିତାଧିକାରୀ

ଢେଙ୍କାନାଳ,୨୪/୦୮: ଏଟିଏମ୍ରୁ ଟଙ୍କା ଉଠାଇବା ସମସ୍ତେ ଜାଣନ୍ତି । ଏବେ କିନ୍ତୁ ଏଟିଏମ୍ରୁ ଚାଉଳ ବାହାରିବ । ଚାଉଳ ଏଟିଏମ୍ରେ ରାସନ କାର୍ଡର ନମ୍ବର ମାରି ବାୟୋମେଟ୍ରିକ୍ ଟିପ୍ପଚିହ୍ନ ଦେଇ ହିତାଧିକାରୀ ଚାଉଳ ନେଇପାରିବେ । ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଏବେ ଢେଙ୍କାନାଳରେ ଖୋଲିବାକୁ ଯାଉଛି ଚାଉଳ ଏଟିଏମ୍ । ଯୋଗାଣ ବିଭାଗ ପକ୍ଷରୁ ‘ଅନ୍ନପୂର୍ତ୍ତି’ ଯୋଜନାରେ ଏଭଳି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ୩୧ ତାରିଖରୁ ଢେଙ୍କାନାଳ ଆର୍ଟିଓ ଅଫିସ୍ ନିକଟରେ ଚାଉଳ ଏଟିଏମ୍ ଖୋଲିବ । ଏଟିଏମ୍ ପ୍ରତିଷ୍ଠା କାମ ଜାରି ରହିଛି । ରବିବାର ଏକ ବୈଷୟିକ ଦଳ ଏହାର ପରୀକ୍ଷା କରିଦେଖିଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ହିତାଧିକାରୀଙ୍କ ସୁବିଧା ପାଇଁ ବିଭାଗ ଏଭଳି ପଦକ୍ଷେପ ନେଇଛି ।
ରାସନ କାର୍ଡର ଇ-କେୱାଇସି କରାଯିବା ପରେ କିଭଳି ବଣ୍ଟନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯିବ ଯୋଗାଣ ବିଭାଗ ପଦକ୍ଷେପ ଗ୍ରହଣ କରିଛି । ଚାଉଳ ବଣ୍ଟନ ପାଇଁ ଏଟିଏମ୍ ପ୍ରତିଷ୍ଠା କରାଯାଉଛି । ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୨୪ ଅଗଷ୍ଟ ୨୪ ତାରିଖରେ ଭୁବନେଶ୍ୱରର ପ୍ରଥମେ ଚାଉଳ ଏଟିଏମ୍ ପ୍ରତିଷ୍ଠା କରାଯାଇଥିଲା । ପରେ ଝାରସୁଗୁଡ଼ାରେ ଖୋଲାଯାଇଥିଲା । ତୃତୀୟ ପର୍ଯ୍ୟାୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିଜ ଜିଲ୍ଲା ଢେଙ୍କାନାଳରେ ଚାଉଳ ଏଟିଏମ୍ ସ୍ଥାପନ କରାଯାଉଛି । ଢେଙ୍କାନାଳ ସହର୍ର ଆର୍ଟିଓ ଅଫିସ୍ ନିକଟରେ ଏହା ଖୋଲିବ । ଘର ତିଆରି ସହ ମେସିନ୍ ଖଞ୍ଜାଯାଇଛି । ଅନ୍ୟାନ୍ୟ କାର୍ଯ୍ୟ ଆଗେଇ ଚାଲିଛି । ଖୁବ୍ ଶୀଘ୍ର କାମ ସାରି ଆସନ୍ତା ୩୧ ତାରିଖରେ ଉଦ୍ଘାଟନ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ରବିବାର ଏକ ବୈଷୟିକ ଦଳ ଉକ୍ତ ମେସିନ୍କୁ କାର୍ଯ୍ୟକ୍ଷମ କରି ପରୀକ୍ଷା କରିଛନ୍ତି । ଅନ୍ୟାନ୍ୟ କାମ ସରିବା ପରେ ପୁଣି ଆସନ୍ତା ୨୭ ତାରିଖରେ ପରୀକ୍ଷା କରାଯିବ । ୩୧ ତାରିଖରେ ଏହାର ଉଦ୍ଘାଟନ ହେବ ।
ମେସିନ୍ରେ ୨୫ କୁଇଣ୍ଟାଲରୁ ଅଧିକ ଚାଉଳ ରହିଥିବ । ହିତାଧିକାରୀ ନିଜର ରାସନ କାର୍ଡର ନମ୍ବର ମାରି, ଟିପଚିହ୍ନ ଦେଇ ସେମାନଙ୍କ ଚାଉଳ ଉଠାଇ ପାରିବେ । ସମ୍ମୁଖ ଭାଗରେ ବସ୍ତା ରଖିବାକୁ ଏକ ସ୍ଥାନ ରହିଛି । ସେଥିରେ ଚାଉଳ ଅତି କମ୍ ସମୟ ମଧ୍ୟରେ ଭରି ହୋଇଯିବ । କେତେ ଚାଉଳ ଦିଆଗଲା ତାହାର ପରିମାଣ ସେଠାରେ ଦେଖାଯିବ । ହିତାଧିକାରୀ ଯେବେ ଚାହିଁବେ ଯାଇ ଚାଉଳ ଉଠାଇ ପାରିବେ । ଡିଲରଙ୍କୁ ଆଉ ଅପେକ୍ଷା କରିବାକୁ ପଡି ଼ବ ନାହଁ ି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ପୂର୍ବରୁ ଡିଲରଙ୍କ ଆସିବାକୁ ଅପେକ୍ଷା କରିବାକୁ ପଡୁ଼ଥିଲା । ଉକ୍ତ ଏଟିଏମ୍ ୨୪ ଘଣ୍ଟା କାର୍ଯ୍ୟ କରିବ । ହିତାଧିକାରୀ ଯେବେ ଚାହିଁବେ ଓ ତାଙ୍କ ଭାଗର ଯେତିକି ପରିମାଣର ଚାଉଳ ଆଣିବାକୁ ଚାହଁ ିବେ ଆଣିପାରିବେ । ଚାଉଳ ଓ ଗହମ ଉଭୟର ବିକଳ୍ପ ରହିବ । ସଫଳ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାରେ ଏହି ଚାଉଳ ଏଟିଏମ୍ ଖୋଲାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ସାଢ଼େ ୮ ଲକ୍ଷ ହିତାଧିକାରୀ ରାସନ କାର୍ଡରେ ଆନ୍ତର୍ଭୁକ୍ତ ହୋଇ ରାସନ ପାଉଛନ୍ତି ।
ସୌଜନ୍ୟ ପ୍ରମେୟ




