ରାଜ୍ୟ

ଡରାଉଛି ‘ଅର୍ଣ୍ଣବ’ ; ଆଜି ଅବପାତ ରୂପ ନେବ ଲଘୁଚାପ

ଭୁବନେଶ୍ବର: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି। ଏହା ଅବପାତର ରୂପ ନେଇ ପରବର୍ତ୍ତୀ ସମୟରେ ଗଭୀର ଅବପାତରେ ପରିଣତ ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଯଦିଓ ପାଣିପାଗ ବିଭାଗ ଗଭୀର ଅବପାତ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେବା ନେଇ କୌଣସି ସ୍ପଷ୍ଟ ଆକଳନ କରିନାହିଁ ତଥାପି ସମ୍ଭାବ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ସମ୍ଭାବ୍ୟ ବାତ୍ୟାର ନାଁ ‘ଅର୍ଣ୍ଣବ’ ରଖାଯାଇଛି। ଏହି ନାଁଟି ପଡ଼ୋଶୀ ‘ବାଂଲାଦେଶ’ ଦେଇଛି। ଉତ୍ତର ଭାରତ ମହାସାଗର, ବଙ୍ଗୋପସାଗର ଓ ଆରବ ସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ବିଶ୍ୱ ପାଣିପାଗ ସଂଗଠନ ଏବଂ ଇସ୍କାପ୍ ଅଧୀନରେ ଥିବା ଭାରତ, ବାଂଲାଦେଶ, ଇରାନ, ମାଳଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, କାତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ, ୟୁଏଇ ଓ ୟେମେନ୍ ଭଳି ୧୩ଟି ଦେଶ ମିଳିତ ଭାବେ ବାଛିଥାନ୍ତି।
ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢ଼ୁଛି। ୨୧ରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିପଥ ବଜାୟ ରଖିବା ସହିତ ଅଧିକ ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେବାର ସମ୍ଭାବନା ରହିଛି। ୨୨ତାରିଖ ବେଳକୁ ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ରୂପ ନେଇପାରେ। ୨୩ରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିପଥ ବଜାୟ ରଖି ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଆସିବ। ଗଭୀର ଅବପାତ ଆହୁରି ଅଧିକ ଘନୀଭୂତ ହେବ କି ନାହିଁ ଏବଂ କେଉଁ ଜାଗାରେ ସ୍ଥଳଭାଗ ଅତିକ୍ରମ କରିବ ସେନେଇ ପାଣିପାଗ ବିଭାଗ କିଛି ସ୍ପଷ୍ଟ କରିନାହିଁ। ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ସମ୍ଭାବ୍ୟ ଗଭୀର ଅବପାତ ପ୍ରଭାବରେ ଆସନ୍ତା ୨୩ ଓ ୨୪ତାରିଖରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି ଏବଂ ପୁରୀ ଜିଲାର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହିସବୁ ଜିଲାଗୁଡ଼ିକରେ ଘଣ୍ଟାପ୍ରତି ୫୦ରୁ ୬୦କି.ମି. ବେଗରେ ପବନ ବହିପାରେ। ପାଣିପାଗ ବିଭାଗ ପକ୍ଷରୁ ଏହିସବୁ ଜିଲାଗୁଡ଼ିକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାକୁ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ୨୧ତାରିଖ ସନ୍ଧ୍ୟା ସୁଦ୍ଧା ଉପକୂଳକୁ ଫେରି ଆସିବାକୁ କୁହାଯାଇଛି। ୨୫ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅତି ପ୍ରବଳ ବର୍ଷା ହେବା ଦ୍ବାରା ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇପାରେ। ପାହାଡ଼ିଆ ଅଞ୍ଚଳରୁ ମାଟି ଅତଡ଼ା ଧସିବା, ଅଚାନକ ବନ୍ୟା ଆସିବାର ସମ୍ଭାବନା ଥିବାରୁ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ସତର୍କ ରହିବାକୁ କୁହାଯାଇଛି।
ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଗଭୀର ଅବପାତ ପ୍ରଭାବରେ ୨୨ତାରିଖ ଅପରାହ୍ଣରୁ ବର୍ଷା ଆରମ୍ଭ ହୋଇଯିବ। ଦକ୍ଷିଣରେ କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବା ସହିତ ଉତ୍ତର, ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ। ୨୬ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ତୁହାକୁତୁହା ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୭ରୁ ପାଗରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିବ। ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ, ବୈତରଣୀ ଏବଂ ଜଳକାରେ ବନ୍ୟା ଆସିପାରେ। ମହାନଦୀରେ ମଧ୍ୟ ବନ୍ୟା ଆସିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେବେ ସିଷ୍ଟମଟି ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି।
ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍ ସାହୁ କହିଛନ୍ତି; ସିଷ୍ଟମ ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଛୁଇଁବା ପୂର୍ବରୁ ଗଭୀର ଅବପାତ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଛୋଟ ବାତ୍ୟା ରୂପ ନେଇପାରେ, କିନ୍ତୁ ଆଇଏମ୍‌ଡି ଏହାକୁ ବାତ୍ୟା ଘୋଷଣା କରିବ କି ନାହିଁ ଜଣାନାହିଁ। ଗଭୀର ଅବପାତ ୨୩ତାରିଖ ସକାଳେ ଗୋପାଳପୁରରୁ ଦକ୍ଷିଣରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ୨୩ ଓ ୨୪ରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ଲୋକେ ସତର୍କ ରହନ୍ତୁ। ବାତ୍ୟା ଚର୍ଚ୍ଚାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button