ଭୁବନେଶ୍ୱର ୩୦।୦୪: ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଲଗାତାର ନିଆଁ ମାଡ଼ରେ ଛଟପଟ ହେଉଥିବା ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରାରେ ଅଳ୍ପ ହ୍ରାସ ଘଟିଛି । ୪୪-୪୫ ଡିଗ୍ରୀ ତାତିରେ ସିଝୁଥିବା ପାରଦ ବୁଧବାର ୪୨.୪ ଡିଗ୍ରୀକୁ ଖସି ଆସିଥିଲା । ସବୁଠାରୁ ଉତ୍ତପ୍ତ ଥିଲା ବଲାଙ୍ଗୀର ସହର । ଏଠାରେ ତାପମାତ୍ରା ୪୩. ୨ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ଟିଟିଲାଗଡ଼ ୪୨. ୫, ବୌଦ୍ଧ ୪୨. ୬, ସୋନପୁର ୪୨. ୨, ତାଳଚେର, ଅନୁଗୁଳ ୪୨. ୫, ସୁନ୍ଦରଗଡ଼, ନୂଆପଡ଼ା ୪୨ ଡିଗ୍ରୀ ତାପମାତ୍ରାରେ ସିଝିଥିଲା ।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରଭାବ ରହିବନି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗରମ ସହ ଗୁଳୁଗୁଳି ଜାରି ରହିବ । ଆସନ୍ତା ଦୁଇଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଲାଗି ରହିବ । ଗୁରୁବାର ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ରୁ ୪୩ ଡିଗ୍ରୀ ଏବଂ ଉପକୂଳରେ ୩୫ରୁ ୩୮ ଡିଗ୍ରୀ ମଧ୍ୟରେ ରହିପାରେ ।
ମେ’ ପହିଲାରେ ତାପମାତ୍ରା ଆହୁରି କମିପାରେ । ଯାହାକି ପରବର୍ତ୍ତୀ ୫-୬ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବାର ସମ୍ଭାବନା ରହିଛି । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇପାରେ । ଗୁରୁବାର ଉପକୂଳ ସହ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସୌଜନ୍ୟ Prameya News7

