ଦୁଇ ଲଘୁଚାପ ସତ୍ତ୍ବେ ୫ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ବର : ଜୁନ୍ ୧ରୁ ଜୁଲାଇ ୧୭ସୁଦ୍ଧା ରାଜ୍ୟରେ ସ୍ବାଭାବିକ ୩୮୨.୮ମି.ମି. ବର୍ଷା ହେବାକୁ ଥିବା ବେଳେ ୪୪୬.୯ମି.ମି. ବର୍ଷା ହୋଲାଣି। ଏହା ସ୍ବାଭାବିକ ବର୍ଷାଠାରୁ ୧୭% ଅଧିକ। ଜୁନ ୧ରୁ ୩୦ ସୁଦ୍ଧା ରାଜ୍ୟରେ ୧୧୦.୩ମି.ମି ବର୍ଷା ହୋଇଥିଲା। ଜୁଲାଇର ୧୭ଦିନରେ ୩୩୬.୬ମି.ମି. ବର୍ଷା ହେଲାଣି। ମାସ ପୂରିବାକୁ ଆହୁରି ୧୪ ଦିନ ବାକି ରହିଛି। ଏହି ଦୁଇ ସପ୍ତାହରେ ରାଜ୍ୟରେ କେତେ ପରିମାଣ ବର୍ଷା ହେଉଛି, ତାହା ଉପରେ ପାଣିପାଗ ଓ ଜଳ ସମ୍ପଦ ବିଭାଗ ନଜର ରଖିଛି। ତେବେ ଜୁଲାଇରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ଦେବଗଡ଼, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି ଏବଂ ଗଜପତି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗ ରିପୋର୍ଟ କରୁଛି। କୋରାପୁଟ, ରାୟଗଡ଼ା, ଗଞ୍ଜାମ, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ବର ଏବଂ ମୟୂରଭଞ୍ଜରେ ସ୍ବାଭାବିକ ବର୍ଷା ହୋଇଛି। ବଲାଙ୍ଗିର, ଅନୁଗୋଳ, ନୟାଗଡ଼, ଖୋରଧା, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ ଏବଂ କେନ୍ଦୁଝରରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଛି। ବରଗଡ଼, ସୁବର୍ଣ୍ଣପୁର, କନ୍ଧମାଳ, ଢେଙ୍କାନାଳ ଏବଂ କେନ୍ଦ୍ରାପଡ଼ାରେ ସ୍ବାଭାବିକରୁ ଅତି ଅଧିକ ବର୍ଷା ହୋଇଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରର ହାଟଡିହିରେ ସର୍ବାଧିକ ୨୧୦ମି.ମି. ବର୍ଷା ହୋଇଥିବା ବେଳେ ବରଗଡ଼ର ଅତାବିରାରେ ୧୬୦.୪ମି.ମି ଏବଂ ସମ୍ବଲପୁର ବୁର୍ଲାରେ ୧୪୫.୧ମିମି ବର୍ଷା ହୋଇଛି। ଲଘୁଚାପ ପ୍ରଭାବରେ ଶୁକ୍ରବାର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି। କିନ୍ତୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାକୁ ଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଏବଂ ବଲାଙ୍ଗିର ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।
ସୌଜନ୍ୟ ସମାଜ




