ଦୁନିଆର ସବୁଠାରୁ ମହଙ୍ଗା ଡୋମେନ୍ ବିକ୍ରି, ମାତ୍ର ୩୦୦ ଟଙ୍କାରେ ହୋଇଥିଲା କିଣା

ନୂଆଦିଲ୍ଲୀ: ଆଜିର ଦିନରେ ଓ୍ବେବସାଇଟର ଖୁବ୍ ଗୁରୁତ୍ବ ରହିଛି। କୌଣସି କମ୍ପାନି ବିଷୟରେ ଜାଣିବା ହେଉ କିମ୍ବା ପୁଣି ପାଠପଢ଼ା… ସବୁ କିଛି ଓ୍ବେବସାଇଟରେ ଯଥେଷ୍ଟ ଉପଲବ୍ଧ। ତେଣୁ ଓ୍ବେବସାଇଟ କେତେ ଜରୁରୀ ତାହା ସମସ୍ତଙ୍କୁ ଜଣା। ହେଲେ ଦିନ ଥିଲା ଇଣ୍ଟରନେଟରେ କୌଣସି ୱେବସାଇଟ୍ ନାଁ କିଣିବା ଏକ ବିରଳ କଥା ଥିଲା। ଡୋମେନର ମୂଲ୍ୟବି ଖୁବ୍ କମ୍ ଥିଲା। ଲୋକେ ଏହା ମଧ୍ୟ ଜାଣିନଥିଲେ ଯେ, କୌଣସି ଓ୍ବେବସାଇଟ ମୂଲ୍ୟ ଭବିଷ୍ୟତରେ ମୂଲ୍ୟବାନ ହୋଇପାରିବ।

ତେବେ ନିକଟରେ ଓ୍ବେବସାଇଟ ସହ ଜଡ଼ିତ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଯାହା ଆପଣଙ୍କୁ ନିଶ୍ଚୟ ବିସ୍ମୟ କରିବ। ମାଲେସିଆର ଆର୍ସିଆନ ଇସମାଇଲ୍ ଏକଦା ଗୋଟିଏ ଓ୍ବେବସାଇଟ କିଣିଥିଲେ ଯାହା ଏବେ ୬୩୦ କୋଟି ଟଙ୍କାରେ ବିକ୍ରି ହୋଇଛି।

ଆର୍ସିଆନ୍ ଇସମାଇଲ୍ କୁହନ୍ତି, ସେ ୧୯୯୩ ମସିହାରେ ଯେତେବେଳେ ୧୦ ବର୍ଷର ବାଳକ ଥିବାବେଳେ AI.com ନାଁର ଡୋମେନକୁ ନିଜ ମାଆଙ୍କ କ୍ରେଡିଟ୍ କାର୍ଡରେ ମାତ୍ର ୩୦୦ ଟଙ୍କାରେ କିଣିଥିଲେ। ହେଲେ ୩୦ ବର୍ଷ ପରେ, ସେହି ସମାନ ଡୋମେନ୍ ୭୦ ମିଲିୟନ ଡଲାର ବା ୬୩୪ କୋଟି ଟଙ୍କା ହୋଇଛି। ଇସମାଇଲ କହିଛନ୍ତି, ସେତେବେଳେ ଏହା ଏକ ଛୋଟ ଏବଂ ମଜାଦାର କ୍ରୟ ପରି ଅନୁଭବ ହେଉଥିଲା। ତାଙ୍କୁ କେବଳ ନାମଟି ପସନ୍ଦ ଆସିଥିଲା କାରଣ “AI” ଅକ୍ଷର ତାଙ୍କ ନିଜ ନାମର ପ୍ରଥମ ଅକ୍ଷର ସହିତ ସମାନ ଥିଲା। ହେଲେ ତାଙ୍କ ପିଲାଦିନର ନିଷ୍ପତ୍ତି ଏବେ କୃତ୍ରିମ ବୁଦ୍ଧିମତ୍ତା ବୃଦ୍ଧି ସହିତ ଜଡ଼ିତ ସବୁଠାରୁ ବଡ଼ ଡିଜିଟାଲ୍ ସଫଳତା କାହାଣୀ ମଧ୍ୟରୁ ଗୋଟିଏ ହୋଇଛି।

Crypto.com କିଣିଛି AI.com

ତେବେ ୨୦୨୫ରେ ଇସମାଇଲ୍ ଡୋମେନ୍ଟିକୁ Crypto.com ସିଇଓ କ୍ରିସ୍ ମାର୍ଜାଲେକଙ୍କୁ ୭୦ ମିଲିୟନ ଡଲାରରେ କରିଥିଲେ। ରିପୋର୍ଟ ଅନୁଯାୟୀ ସମ୍ପୂର୍ଣ୍ଣ ଦେୟ କ୍ରିପ୍ଟୋକରେନ୍ସିରେ କରାଯାଇଥିଲା। ଅନେକ ଗଣମାଧ୍ୟମ ରିପୋର୍ଟରେ ଏହାକୁ ସବୁଠାରୁ ମହଙ୍ଗା ଡୋମେନ୍ ନାମ ବିକ୍ରୟ ବୋଲି କହିଛନ୍ତି। ଏହା ପୂର୍ବରୁ ୨୦୧୦ରେ CarInsurance.com ୪୯.୭ ନିୟୁତ ଡଲାରରେ ବିକ୍ରି ହୋଇଥିଲା।

ସୂଚନାଥାଉକି, ଇସମାଇଲ ମାଲେସିଆର ଟେକ୍ ଶିଳ୍ପରେ ବହୁ ବର୍ଷ ଧରି କାମ କରିଛନ୍ତି। ସେ ପ୍ରାରମ୍ଭିକ ସୋସିଆଲ ନେଟୱାର୍କିଂ ପ୍ରକଳ୍ପରେ ଜଡ଼ିତ ଥିଲେ ଏବଂ ନଫନାଙ୍ଗ ଆଣ୍ଡ୍ ଫ୍ରେଣ୍ଡଷ୍ଟର ଭଳି କମ୍ପାନି ସହ କାମ କରିଥିଲେ। ପରେ, ସେ 1337 ଟେକ୍ ନାମକ ନିଜର କମ୍ପାନି ଆରମ୍ଭ କରିଥିଲେ। ସେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଟକଏନ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଆସେଟକୁ ମଧ୍ୟ ସମର୍ଥନ କରିଥିଲେ। ୨୦୨୫ରେ ଯେତେବେଳେ ସେ ଡୋମେନ୍ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲେ, ରିପୋର୍ଟ ଅନୁଯାୟୀ ତାଙ୍କୁ ପ୍ରାୟ ୧୦୦ ମିଲିୟନ ଡଲାରର ଅଫର ମିଳିଥିଲା। ତଥାପି ସେ ଏହାକୁ ୭୦ ମିଲିୟନ ଡଲାରରେ ବିକ୍ରି କରିବାକୁ ରାଜି ହୋଇଥିଲେ। ଚୁକ୍ତି ପରେ ସେ ଲୋକଙ୍କୁ ବିଲିୟନେୟାରଙ୍କ ସହ ମୂଲଚାଲ ନକରିବାକୁ ପରାମର୍ଶ ଦେଇଥିଲେ।

ସୌଜନ୍ୟ Prameya News7

Exit mobile version