ଜିଲ୍ଲା

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଦୁଇଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବାବେଳେ ଅନ୍ୟଜଣଙ୍କ ମରଡଙ୍ଗ ଗ୍ରାମର ଅନିଲ କୁମାର ସାହୁ ବୋଲି ଜଣାପଡ଼ିଛି।

ପୋଲିସ ସେମାନଙ୍କଠାରୁ ୬ଟି ନକଲି ୫୦୦ ଟଙ୍କିଆ ନୋଟ ଜବତ କରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଅନିଲ ନାବାଳକଙ୍କୁ ନକଲି ୫୦୦ ଟଙ୍କିଆ ଖେଳଣା ନୋଟ ଦେଇ ବିଭିନ୍ନ ଦୋକାନରୁ ସାମଗ୍ରୀ କିଣାଉଥିଲେ।

ସନ୍ଦିଗ୍ଧ ନୋଟଗୁଡ଼ିକରେ ‘Reserve Bank of India’ ବଦଳରେ ‘Children’s Bank of India’ ଲେଖା ଥିବା ଜଣାପଡ଼ିଛି। ଦେଖିବାକୁ ଏହା ଅସଲି ୫୦୦ ଟଙ୍କିଆ ନୋଟ ସଦୃଶ ହୋଇଥିବାରୁ ଦୋକାନୀମାନେ ତୁରନ୍ତ ଚିହ୍ନଟ କରିପାରୁ ନ ଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ମରଡଙ୍ଗ ଗ୍ରାମର ଦେବାନନ୍ଦ ସାହୁଙ୍କ ଦୋକାନରେ ଏକ ନକଲି ୫୦୦ ଟଙ୍କିଆ ନୋଟ ଦେଇ କିଛି ସାମଗ୍ରୀ କିଣାଯାଇଥିଲା। ଏହାପରେ ରାତିରେ ଦୋକାନ ଫାଡ଼ି ପ୍ରାୟ ୧୦ ହଜାର ୫୦୦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଚୋରି ଘଟଣା ପରେ ଗ୍ରାମବାସୀ ସନ୍ଦେହରେ ନାବାଳକଙ୍କୁ ପଚରାଉଚରା କରିଥିଲେ। ଏହାପରେ ଘଟଣା ସମ୍ପର୍କରେ କିଛି ତଥ୍ୟ ମିଳିବା ପରେ ଉଭୟଙ୍କୁ କାବୁ କରି ବାରକୋଟ ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ମରଡଙ୍ଗ ଗ୍ରାମରେ ପହଞ୍ଚି ନାବାଳକଙ୍କ ସମେତ ଅନିଲଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି।

ଅନ୍ୟପକ୍ଷରେ, ଗ୍ରାମବାସୀ ଉଭୟଙ୍କୁ କାବୁ କରିବା ପୂର୍ବରୁ ଅନିଲ ନାବାଳକଙ୍କ ଘରକୁ ଯାଇ ତାଙ୍କ ନାଁରେ କୌଣସି ବୟାନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି। ଘଟଣାରେ ଚୋରି ଏବଂ ନକଲି ନୋଟ ବ୍ୟବହାରର ପ୍ରକୃତ ତଥ୍ୟ କ’ଣ, ସେନେଇ ବାରକୋଟ ଥାନା ପୋଲିସ ତଦନ୍ତ ଜାରି ରଖିଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button