ଜିଲ୍ଲା

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ ବରଗଡ଼ ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର ଦେଖିବାକୁ ମିଳିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିଛି। କେଉଁଠି ପଲିଥିନ ତ ଆଉ କେଉଁଠାରେ ବ୍ୟବହୃତ ଖଲିଦନା ପଡ଼ି ରହିଛି। ସେହିପରି ପଚାସଢ଼ା ପରିବା ମଧ୍ୟ ରାସ୍ତାକଡ଼ରୁ ଆରମ୍ଭ କରି ବଜାର ପାର୍ଶ୍ୱରେ ପଡ଼ିଛି। ନାକଫଟା ଦୁର୍ଗନ୍ଧ ବାହାରୁଛି। ସରକାରୀ ବସଷ୍ଟାଣ୍ଡ ଭଳି ଅନେକ ସ୍ଥାନରେ ଦୀର୍ଘଦିନ ଧରି ଆବର୍ଜନା ପାଣି ଜମି ରହିଛି। ଏଥିରୁ ସ୍ଥାନୀୟ ପୌର ପ୍ରଶାସନ ସହରର ସ୍ବଚ୍ଛତା ଦିଗରେ କେତେ ତପତ୍ର, ତାହା ଆପେ ବାରି ହୋଇ ପଡ଼ୁଛି। ଅନ୍ୟପଟେ ଏଭଳି ଅବ୍ୟବସ୍ଥିତ ପରିମଳ ବ୍ୟବସ୍ଥା ଯୋଗୁ ସଂକ୍ରାମକ ରୋଗର ଆଶଙ୍କା ବଢ଼ି ଯାଇଛି।
ସହରରେ ଆବର୍ଜନା ପକାଇବା ପାଇଁ ପୂର୍ବରୁ ବିଭିନ୍ନ ସ୍ଥାନରେ ରାସ୍ତାପାର୍ଶ୍ୱରେ ବଡ଼ ବଡ଼ ଡଷ୍ଟବିନ ରହୁଥିଲା। ହେଲେ ଆଉ ତାହା ଦେଖିବାକୁ ମିଳୁନାହିଁ। ଫଳରେ ରାସ୍ତା ଉପରେ ଲୋକେ ମଇଳା, ଆବର୍ଜନା ପକାଉଛନ୍ତି। ଅନେକ ସ୍ଥାନରେ ରାସ୍ତାପାର୍ଶ୍ୱରେ ଆବର୍ଜନାର ପାହାଡ଼ ଦେଖିବାକୁ ମିଳୁଛି। ସ୍ଥାନୀୟ ସି.ଟି ଜିଏସ୍‌ଟି କାର୍ଯ୍ୟାଳୟ ସମ୍ମୁଖ ରାସ୍ତାପାର୍ଶ୍ୱରେ ଏହା ନିତିଦିନ ଦେଖିବାକୁ ମିଳୁଛି। ସେହିପରି ଜେଲ୍‌ରାସ୍ତା ପାର୍ଶ୍ୱରେ ମଧ୍ୟ ଅନେକ ସମୟରେ ଏଭଳି ଆବର୍ଜନା ସ୍ତୁପ ପରିଲକ୍ଷିତ ହେଉଛି। ଶୁକ୍ରବାର ସନ୍ଧ୍ୟାରେ ସେଠାରେ ପାହାଡ଼ ଭଳି ପଡ଼ି ରହିଥିବା ଆବର୍ଜନାକୁ ପୌର ପ୍ରଶାସନ ଉଠାଉଥିବା ଦେଖିବାକୁ ମିଳିଥିଲା। ହସ୍ପିଟାଲ ରାସ୍ତା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ହସ୍ପିଟାଲ କାନ୍ଥକୁ ଲାଗି ରହିଥିବା ରାସ୍ତାପାର୍ଶ୍ୱରେ ସବୁଦିନ ଅଳିଆ ଆବର୍ଜନା ସ୍ତୁପ ଭଳି ଗଦା ହୋଇ ରହୁଛି। ଘରୋଇ ବସଷ୍ଟାଣ୍ଡ୍‌ ପରିସର କଥା ନ କହିବା ଭଲ। ଦୀର୍ଘବର୍ଷ ଧରି ଏଠାରେ ପରିମଳ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି। ଡ୍ରେନେଜ ବ୍ୟବସ୍ଥା ମଧ୍ୟ ଠିକ୍‌ ନାହିଁ। ଫଳରେ ବର୍ଷାଜଳ ହେଉ କିମ୍ବା ନର୍ଦ୍ଦମା ପାଣି ଦୀର୍ଘଦିନ ଧରି ଜମି ରହୁଛି। ଏଥିରୁ ମଶା, ମାଛି ସମେତ ଆଦି ରୋଗ, ଜୀବାଣୁ ଉପଦ୍ରବ ସ୍ବାଭାବିକ ହୋଇ ପଡ଼ିଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା, ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖ ଆଦି ସ୍ଥାନରେ ଅନୁରୂପ ଅବସ୍ଥା। ଏହା କେବଳ ଗୋଟିଏ ଗୋଟିଏ ଦୃଷ୍ଟାନ୍ତ ମାତ୍ର। ସହରର ଅନେକ ସ୍ଥାନରେ କେଉଁଠି ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନ ଥିବା ଯୋଗୁ ନର୍ଦ୍ଦମା ପାଣି ଜମି ରହୁଛି ତ ଆଉ କେଉଁଠାରେ ଦିନ ଦିନ ଧରି ମଇଳା, ଆବର୍ଜନା ଉଠାଯାଉନାହିଁ। ଫଳରେ ସ୍ବଚ୍ଛ ସହର ବଦଳରେ ଏଠାରେ ସଂକ୍ରାମକ ରୋଗର ଆଶଙ୍କା ବଢ଼ି ଚାଲିଛି ଏବଂ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button