ମହାନଗର

ଦୋହଲିଲା ଆମେରିକା ଅର୍ଥନୀତି, ମହଙ୍ଗା ପଡିଲା ଇରାନ ସହ ଯୁଦ୍ଧ, ମଜଭୁତ ହେଉଛି ଭାରତ

ନୂଆଦିଲ୍ଲୀ: ପଶ୍ଚିମ ଏସିୟାରେ ଜାରି ଯୁଦ୍ଧର ପ୍ରଭାବ ଏବେ ବିଶ୍ୱର ସର୍ବ ବୃହତ୍ତ ଅର୍ଥ ବ୍ୟବସ୍ଥା ଉପରେ ସ୍ପଷ୍ଟ ପରିଲକ୍ଷିତ ହେଉଛି। ଗୋଟିଏ ପଟେ ଆମେରିକାର ଆର୍ଥିକ ବିକାଶ ଗତି ଧିମେଇଥିବା ବେଳେ ଅନ୍ୟପଟେ ଭାରତ ଲାଗି ଭଲ ଖବର ଆସିବାରେ ଲାଗିଛି। ଅନ୍ତର୍ଜାତୀୟ ସଂସ୍ଥାମାନେ ଭାରତର ମଜଭୁତ ସ୍ଥିତିକୁ ଦେଖି ସେମାନଙ୍କ ଆର୍ଥିକ ଅନୁମାନକୁ ଲଗାତାର ବଢାଇ ଚାଲିଛନ୍ତି। ଏ କଥାରୁ ଏହା ସ୍ପଷ୍ଟ ସଂକେତ ମିଳୁଛି ଯେ ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଭାରତ ଏକ ମଜଭୁତ ଅର୍ଥ ବ୍ୟବସ୍ଥା ରୂପେ ଉଭା ହେବାକୁ ଯାଉଛି।

ବଢୁଛି ଆମେରିକା ଅର୍ଥ ବ୍ୟବସ୍ଥା ଉପରେ ଚାପ
ଇରାନ ସହ ଯୁଦ୍ଧ ଓ ପଶ୍ଚିମ ଏସିୟାରେ ଲାଗି ରହିଥିବା ଉତ୍ତେଜନା ଆମେରିକା ଅର୍ଥ ବ୍ୟବସ୍ଥା ଉପରେ ଚାପକୁ ଆହୁରି ବଢାଇ ଦେଇଛି। ଏବେକା ତଥ୍ୟ ଅନୁସାରେ ୨୦୨୫ ଚତୁର୍ଥ ତ୍ରୈମାସିକରେ ଆମେରିକା ଅର୍ଥ ବ୍ୟବସ୍ଥାର ବିକାଶ ହାର ୦.୫% ଥିଲା। ଏହି ତଥ୍ୟ ପିଛିଲା ତ୍ରୈମାସିକମାନଙ୍କଠାରୁ ବେଶ୍ ଦୁର୍ବଳ। ୨୦୨୫ ଆର୍ଥିକ ବର୍ଷରେ ଆମେରିକାର ଜିଡିପି ବିକାଶ ହାର ମାତ୍ର ୨.୧% ରେକର୍ଡ କରାଯାଇଛି, ଯାହା ୨୦୨୪ର (୨.୮%) ଓ ୨୦୨୩ (୨.୯%)ତଥ୍ୟ ତୁଳନାରେ ହ୍ରାସକୁ ଦର୍ଶାଉଛି।

ଭାରତ ଲାଗି ଭଲ ସମୟ
ଗୋଟିଏ ପଟେ ଆମେରିକା ଅର୍ଥବ୍ୟବସ୍ଥା ଚାପର ସମ୍ମୁଖୀନ ହୋଇଥିବା ବେଳେ ଅନ୍ୟପଟେ ଭାରତୀୟ ଅର୍ଥ ବ୍ୟବସ୍ଥା ଦୃଢତାର ସହ ଆଗକୁ ବଢିବାରେ ଲାଗିଛି। ଏସିୟା ବିକାଶ ବ୍ୟାଙ୍କ (ଏଡିବି) ୨୦୨୬ ଆର୍ଥିକ ବର୍ଷ ନିମନ୍ତେ ଭାରତର ବିକାଶ ହାର ୬.୯%କୁ ପହଞ୍ଚିବାର ଅନୁମାନ କରିଛି। ଏହା ପୂର୍ବରୁ ବିଶ୍ୱ ବ୍ୟାଙ୍କ ଭାରତର ବିକାଶ ହାର ୭.୬% ରହିବ ବୋଲି ଅନୁମାନ କରିଥିଲେ। ଭାରତର ମଜଭୁତ ଘରୋଇ ଚାହିଦା ସାଙ୍ଗକୁ ଉନ୍ନତ ଆର୍ଥିକ ସ୍ଥିତିରେ ଆମେରିକାର ଟାରିଫ ହ୍ରାସ ଭାରତର ବିକାଶ ଯାତ୍ରାକୁ ଅଧିକ ବଳ ଦେଇଛି।

ଘରୋଇ ଚାହିଦା ବିକାଶର ବଡ଼ ସାହାରା
ଭାରତୀୟ ଅର୍ଥ ବ୍ୟବସ୍ଥାର ତାକତ ତାର ଘରୋଇ ଚାହିଦାରେ ରହିଛି। ଦେଶ ଭିତରେ ଘରୋଇ ଉପଭୋଗ ଲଗାତାର ମଜଭୁତ ହେବାରେ ଲାଗିଛି। ଏହା ଉଭୟ ଔଦ୍ୟୋଗିକ ଓ ସେବା କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ସାହାରା ଦେଉଛି। ଏହାଛଡା ସରକାରୀ ସୁଧାର, ଭିତ୍ତିଭୂମି ବ୍ୟୟବୃଦ୍ଧି ଓ ଘରୋଇ କ୍ଷେତ୍ରର ନିବେଶ ଆର୍ଥିକ ବିସ୍ତାରର ଗତିକୁ ଦ୍ରୁତ କରିଛି।

ଏଡିବିର ଚେତାବନୀ
ଗୋଟିଏପଟେ ଏସିୟ ବିକାଶ ବ୍ୟାଙ୍କ ଭାରତର ଆର୍ଥିକ ବିକାଶକୁ ନେଇ ସକରାତ୍ମକ ଦୃଷ୍ଟିକୋଣ ବ୍ୟକ୍ତ କରୁଥିବା ବେଳେ ଅନ୍ୟପଟେ କିଛି ଜଟିଳତା ନେଇ ଚେତାବନୀ ମଧ୍ୟ ଜାରି କରିଛନ୍ତି। ରିପୋର୍ଟ ଅନୁସାରେ ପଶ୍ଚିମ ଏସିୟାରେ ଲାଗି ରହିଥିବା ସଂଘର୍ଷ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିପାରେ। ଏଥିରେ ତୈଳ ମୂଲ୍ୟରେ ବୃଦ୍ଧି ଦେଖାଯାଇପାରେ। ଏପରି ଘଟଣାକ୍ରମ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧିର କାରଣ ହୋଇପାରେ ଓ ସମ୍ଭାବିତ ରୂପେ ଏସିୟ ଦେଶଙ୍କ ବିକାଶ ସମ୍ଭାବନାକୁ ମଧ୍ୟ ପ୍ରଭାବିତ କରିପାରେ। ଏହା ଛଡା ବୈଶ୍ୱିକ ବିତ୍ତିୟ ସ୍ଥିତି କଡ଼ା ହେବା ଯୋଗୁ ଋଣ କରିବା ମହଙ୍ଗା ପଡିପାରେ। ଏଣୁ ବିକାଶ ଲାଗି ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ।

୨୦୨୭ ଲାଗି ସକରାତ୍ମକ ସଂକେତ
ଏସିୟ ବିକାଶ ବ୍ୟାଙ୍କ ୨୦୨୭ ନିମନ୍ତେ ଭାରତର ଜିଡିପି ବୃଦ୍ଧି ହାର ୭.୩% ରହିପାରେ ବୋଲି ଆକଳନ କରିଛି। ଆଶା କରାଯାଉଛି ୟୁରୋପିୟ ସଂଘ (ଇୟୁ) ସହିତ ସମ୍ଭାବିତ ବାଣିଜ୍ୟିକ ବୁଝାମଣା, ସରକାରୀ କର୍ମଚାରୀଙ୍କ ବେତନ ବୃଦ୍ଧି ଓ ଜାରି ସଂସ୍କାର କାର୍ଯ୍ୟକ୍ରମ ଯୋଗୁ ଅର୍ଥବ୍ୟବସ୍ଥା ଆହୁରି ମଜଭୁତ ହେବ। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୨୭ ଲାଗି ସାମାନ୍ୟ କମ୍ ବୃଦ୍ଧି ହାର ଅନୁମାନ କରିଛନ୍ତି। ଅର୍ଥାତ ଭାରତର ଜିଡିପି ବିକାଶ ହାର ୬.୯% ରହିବାର ଅନୁମାନ କରିଛନ୍ତି।

ବଦଳିଛି ବୈଶ୍ୱିକ ଅର୍ଥ ବ୍ୟବସ୍ଥା ସନ୍ତୁଳନ
ଏବେକା ପରିସ୍ଥିତିରୁ ଯାହା ଜଣାପଡୁଛି ବୈଶ୍ୱିକ ଆର୍ଥିକ ସନ୍ତୁଳନରେ ପରିବର୍ତ୍ତନ ଆସୁଛି। ଗୋଟିଏପଟେ ଆମେରିକା ଭଳି ବଡ଼ ଅର୍ଥବ୍ୟବସ୍ଥାଗୁଡିକ ଆହ୍ୱାନର ସମ୍ମୁଖୀନ ହୋଇଥିବା ବେଳେ ଅନ୍ୟପଟେ ଭାରତ ଭଳି ବିକାଶଶୀଲ ଦେଶମାନେ ଦ୍ରୁତ ଆଗକୁ ବଢୁଛନ୍ତି।

ସୌଜନ୍ୟ Prameya News7

Show More
Back to top button